ଚୀନ ଓ ପାକିସ୍ତାନକୁ ଜଗିବ ଏସ୍ ୪୦୦ ! ଭାରତକୁ ଶକ୍ତିଶାଳୀ କରିବା ସହ ସାଜିବ ସତର୍କ ପ୍ରହରୀ

31

କନକ ବ୍ୟୁରୋ : ରୁଷ୍ ନିର୍ମିତ ଏସ୍ ୪୦୦ ଆଂଟି ମିସାଇଲ୍ ସିଷ୍ଟମ୍କୁ ଆମେରିକୀୟ ଥାଡ୍ ମିସାଇଲ୍ ସିଷ୍ଟମର ଅଧିକ ଉପଯୁକ୍ତ ବିକଳ୍ପ କୁହାଯାଏ । ୨୦୦୭ ମସିହାରୁ ରୁଷୀୟ ସେନାରେ ସାମିଲ୍ ହୋଇଥିବା ଏହି ବ୍ୟବସ୍ଥା ଦ୍ୱାରା ଭାରତୀୟ ସେନା ଅଧିକ ଶକ୍ତିଶାଳୀ ହେବ ଓ ୨ ପଡ଼ୋଶୀ ଦେଶର ଗତିବିଧି ଉପରେ ତୀକ୍ଷଣ ନଜର ରଖିପାରିବ । ପୂର୍ବରୁ ରୁଷ୍ ନିକଟରୁ ଚୀନ ଏହାକୁ କିଣିସାରିଥିବା ବେଳେ ୨ୟ ଦେଶ ଭାବେ ଏହାକୁ କିଣିବ ଭାରତ । ୪ ହଜାର୍ କିଲୋମିଟର ବିଶିଷ୍ଟ ଭାରତ-ଚୀନ ସୀମା ଉପରେ ନଜର ରଖିବାକୁ ଏସ୍ ୪୦୦ ସିଷ୍ଟମ୍କୁ କରାଯିବ ମୁତୟନ ଆଉ ଦୁଇ ପଡ଼ୋଶୀ ଦେଶର ଗତିବିଧି ଉପରେ ଏହା ରଖିବ ତୀକ୍ଷଣ ନଜର ।

କ’ଣ ରହିବ ଏହାର ମୁଖ୍ୟ କାମ ?

– ତିବତ୍ ଓ ଲଦାଖ୍ରେ ଚୀନ ଗତିବିଧି ଉପରେ ଏହା ରଖିବ ତୀକ୍ଷ୍ଣ ନଜର ।

– ନିୟନ୍ତ୍ରଣ ରେଖା ଓ ପିଓକେରେ ପାକ୍ ଗତିବିଧିର ଏହା ଦେବ ସୂଚନା ।

– ଦକ୍ଷିଣ ଏସିଆରେ ଏହାଦ୍ୱାରା ଭାରତ ନିଜର ସ୍ଥିତି ମଜବୁତ୍ କରିବ ।

ରୁଷ୍ ଏହାକୁ ସିରିଆରେ ମୁତୟନକରି ପୂର୍ବରୁ ସଫଳତା ହାସଲ୍ କରିସାରିଛି । ଏପରିକି ନିର୍ଭୁଲ ସୂଚନା ଯୋଗୁ ଏହାକୁ କିଣିବାକୁ ସାଉଦି ଆରବ, ବେଲାରୁସ, କାତାର୍, ତୁର୍କି ଓ ମିଶର ପରି ଦେଶ ମଧ୍ୟ ଆଗ୍ରହ ପ୍ରକାଶ କରିଛନ୍ତି । ସେହିପରି ଆମେରିକାର ସମ୍ଭାବ୍ୟ ପ୍ରତିବନ୍ଧକକୁ ଅଣଦେଖା କରି ଭାରତ ଏସ୍ ୪୦୦ ମିସାଇଲ୍ ସିଷ୍ଟମ୍ କିଣିବ ବୋଲି ପୂର୍ବରୁ ହିଁ ସୃଷ୍ଟି କରିସାରିଛି । ଥରକେ ତିନି ତିନୋଟି ମିସାଇଲ୍ ହମଲା କରିପାରୁଥିବା ଏହି ବ୍ୟବସ୍ଥା ସେନାକୁ ଶକ୍ତିଶାଳୀ କରିବା ସହ ସୀମା ସୁରକ୍ଷାକୁ ସୁନିଶ୍ଚିତ କରିବ ।

ଭାରତ ରୁଷ୍ ନିକଟରୁ ଏସ୍ ୪୦୦ ମିସାଇଲ୍ କିଣିବା ଏକପ୍ରକାର ନିଶ୍ଚିତ ହୋଇଥିବା ବେଳେ ଏନେଇ ଚିନ୍ତା ପ୍ରକଟ କରିଛି ଆମେରିକା । ଏହି ବ୍ୟବସ୍ଥା ଜରିଆରେ ଭାରତ ଆମେରିକୀୟ ଏଫ୍ ୩୫ ବିମାନର ଗୁପ୍ତ ସୂଚନା ସଂଗ୍ରହ କରିପାରିବ ବୋଲି କୁହାଯାଉଛି । ସାଧାରଣ ରାଡାରରେ ଏହି ବିମାନ ଆସୁନଥିବା ବେଳେ ଏସ୍ ୪୦୦ ସିଷ୍ଟମ୍ ଏନେଇ ନିର୍ଭୁଲ ସୂଚନା ଦେଇପାରିବ । ସେହିପରି ଭାରତ-ରୁଷ ମଧ୍ୟରେ ଡିଫେନ୍ସ ଟେକ୍ନଲଜି ଟ୍ରାନ୍ସଫର୍ ହେବାର ସମ୍ଭାବନା ଥିବା ଯୋଗୁ ମଧ୍ୟ ଆମେରିକା ଚିନ୍ତାପ୍ରକାଶ କରିଛି । ସେପଟେ କେବଳ ଶକ୍ତିବୃଦ୍ଧି ଉଦ୍ଦେଶ୍ୟରେ ଏସ୍ ୪୦୦ ସିଷ୍ଟମ୍ କିଣୁଥିବା ସ୍ପଷ୍ଟ କରିସାରିଛି ଭାରତ ।