କଟକ ଶିଶୁଭବନକୁ ଚିକିତ୍ସା ପାଇଁ ଆସି ଫସିଗଲେ ମା’ ! ଅଶ୍ଲୀଳ ଫଟୋ ହେଲା ଭାଇରାଲ

51

କନକ ବ୍ୟୁରୋ: ଶିଶୁଭବନକୁ ଶିଶୁକନ୍ୟାର ଚିକିତ୍ସା ପାଇଁ ଆସି ଫସିଛନ୍ତି ଜଣେ ଶିଶୁର ମା’। ଶିଶୁଭବନରେ କାର୍ଯ୍ୟରତ ଜଣେ ଯୁବ କର୍ମଚାରୀ ସମ୍ପୃକ୍ତ ମହିଳାଙ୍କ ଫଟୋ ସଫଟଓୟାର ମାଧ୍ୟମରେ ଏଡିଟ୍ କରି ସୋସିଆଲ୍ ମିଡ଼ିଆରେ ଭାଇରାଲ୍ କରିଦେଇଛନ୍ତି । ଗଲା ପ୍ରାୟ ଏକ ବର୍ଷ ହେବ ସମ୍ପୃକ୍ତ କର୍ମଚାରୀ ଅଶ୍ଳୀଳ ଫଟୋ ଭାଇରାଲ୍ କରୁଥିବା ବେଳେ ମହିଳାଙ୍କ ପରିବାର ଲୋକଙ୍କୁ ବିଭିନ୍ନ ସମୟରେ ବ୍ଲାକ୍ ମେଲ କରିବା ଏବଂ ଧମକଚମକ ଦେଉଥିବା ସଂକ୍ରାନ୍ତରେ କ୍ରାଇମବ୍ରାଞ୍ଚର ସାଇବର ସେଲରେ ଗତକାଲି ଲିଖିତ ଅଭିଯୋଗ ହୋଇଛି । କ୍ରାଇମବ୍ରାଞ୍ଚ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି ।

ସୂଚନା ଅନୁଯାୟୀ, ୨୦୧୭, ଜାନୁଆରିରେ ଭଦ୍ରକ ଜିଲ୍ଲାର ଜଣେ ବ୍ୟକ୍ତିଙ୍କ ଶିଶୁକନ୍ୟାର ଦେହ ଭୀଷଣ ଖରାପ ହେବାରୁ ସେ ଓ ତାଙ୍କ ସ୍ତ୍ରୀ ଶିଶୁକୁ ନେଇ କଟକ ଶିଶୁଭବନ ଆସିଥିଲେ । ଏଠି ଚିକିତ୍ସିତ ହେଉଥିବା ବେଳେ ଶିଶୁଭବନରେ ଅକ୍ସିଜେନ୍ ଗ୍ୟାସ୍ ଫିଲିଂ କରୁଥିବା ଜଣେ କର୍ମଚାରୀଙ୍କ ସହିତ ସେମାନଙ୍କର ସମ୍ପର୍କ ହୋଇଥିଲା । ଭଦ୍ରକର ଉକ୍ତ ବ୍ୟକ୍ତି ଏବଂ ଶିଶୁଭବନର କର୍ମଚାରୀଙ୍କ ମଧ୍ୟରେ ମୋବାଇଲ୍ ନମ୍ବର ଦେବା ନେବା ହୋଇଥିଲା । ଶିଶୁ କନ୍ୟାର ସ୍ୱାସ୍ଥ୍ୟ ଭଲ ହେବା ପରେ ସେମାନେ ଭଦ୍ରକ ଫେରିଯାଇଥିଲେ । କିନ୍ତୁ ଫେବ୍ରୁଆରିରେ ପୁଣି ଭଦ୍ରକର ଉକ୍ତ ବ୍ୟକ୍ତି କୌଣସି କାର୍ଯ୍ୟରେ ଶିଶୁଭବନ ଆସିଥିଲେ । କିନ୍ତୁ ଭୁଲ ବଶତ ନିଜ ମୋବାଇଲ୍ ଫୋନ୍ ହସ୍ପିଟାଲ୍ ପରିସରରେ ଛାଡ଼ି ଦେଇଯାଇଥିଲେ । ଫୋନ ଆଣିବାକୁ ଭୁଲିଯାଇଥିବାରୁ ଆଉ ଏକ ନମ୍ବରରେ ଶିଶୁଭବନର ଉକ୍ତ କର୍ମଚାରୀଙ୍କୁ ଫୋନଟି ସଂଗ୍ରହ କରିବାକୁ କହିଥିଲେ । ମୋବାଇଲ ଫୋନକୁ ତାଙ୍କ ଭଦ୍ରକ ଘରେ ଆଣି ଦେଇଯିବାକୁ ଶିଶୁଭବନର ଉକ୍ତ କର୍ମଚାରୀଙ୍କୁ ଅନୁରୋଧ କରିଥିଲେ ।

କର୍ମଚାରୀ ଜଣକ ଫୋନ୍ ନେଇ ଭଦ୍ରକ ଯାଇଥିଲେ ଏବଂ ଏକ ହୋଟେଲ୍ ରହି ସମ୍ପୃକ୍ତ ବ୍ୟକ୍ତିଙ୍କ ସ୍ତ୍ରୀଙ୍କୁ ହୋଟେଲକୁ ଡାକି ଫୋନ୍ ନେଇଯିବାକୁ କହିଥିଲେ। ମହିଳା ଜଣକ ସେଠାକୁ ଯାଇଥିଲେ ବି ହୋଟେଲ୍ ଭିତରକୁ ଯିବାକୁ ମନା କରିଦେଇଥିଲେ । ଫଳରେ ଶିଶୁଭବନର ଉକ୍ତ କର୍ମଚାରୀ ବାହାରକୁ ଆସି ସମ୍ପୃକ୍ତ ମହିଳାଙ୍କ ଆଉ ଏକ ମୋବାଇଲ୍ ଫୋନ୍ ଏବଂ ଅନ୍ୟାନ୍ୟ କାଗଜପତ୍ର ଛଡ଼ାଇନେଇଥିଲେ । ତାଙ୍କ ଅଶ୍ଳୀଳ ଫଟୋ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ କରିଦେବାକୁ ଧମକ ଦେଇଥିଲେ। କିନ୍ତୁ ମହିଳା ଜଣକ ତାଙ୍କ କଥା ନ ଶୁଣିବାରୁ ସେ ପରବର୍ତ୍ତୀ ସମୟରେ ଧମକ ଅନୁଯାୟୀ କାମ କରିବା ଆରମ୍ଭ କରିଥିଲେ ।ମୋବାଇଲରୁ ଫଟୋ ସଂଗ୍ରହ କରି ତାକୁ ଏଡିଟ କରିବା ପରେ ଫେସବୁକ ଏବଂ ହ୍ଵାଟସଆପରେ ଭାଇରାଲ୍ କରିଥିଲେ । ସମ୍ପୃକ୍ତ ବ୍ୟକ୍ତିଙ୍କ କେତେଜଣ ବନ୍ଧୁ ତାହାକୁ ଦେଖିବା ପରେ ତାଙ୍କୁ ଖବର ଦେଇଥିଲେ। ପରେ ଏହି ଘଟଣା ସାମ୍ନାକୁ ଆସିଥିଲା।

ସେ ଶିଶୁଭବନରେ ଛାଡ଼ି ଆସିଥିବା ମୋବାଇଲ୍ ଫୋନରୁ ଫଟୋ ସଂଗ୍ରହ କରି ଆପତ୍ତିଜନକ ଫଟୋ ପ୍ରସ୍ତୁତ କରି ଭାଇରାଲ୍ କରିଥିଲେ । ତାଙ୍କୁ ଫୋନରେ ବିରୋଧ କରିବାରୁ ସମ୍ପୃକ୍ତ କର୍ମଚାରୀ ଜଣକ ଫୋନରେ ଧମକ ଦେବା ସହିତ ଜୀବନ ପ୍ରତି ବିପଦ ଥିବା ଭୟ ଦେଖାଇଥିଲେ । ଏଭଳି ବାରମ୍ବାର ଘଟିବାରୁ ଗତକାଲି ପୀଡ଼ିତା ମହିଳାଙ୍କ ସ୍ୱାମୀ କଟକ ବକ୍ସିବଜାରସ୍ଥିତ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟକୁ ଆସି ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ତୁରନ୍ତ ସୋସିଆଲ୍ ମିଡ଼ିଆରୁ ଉକ୍ତ ଫଟୋ ହଟାଇବାକୁ ଅନୁରୋଧ କରିଛନ୍ତି ।