ରେଳବାଇରେ ଭିଆଇପି ରାଜ, ପ୍ରତିଦିନ ୭୩ ହଜାର ସିଟ୍ ହେଉଛି ବୁକ୍! ଜାଣନ୍ତୁ, ବ୍ୟବହାର ହେଉଛି କେତେ,ଖାଲି ପଡୁଛି କେତେ ?

114

ଦେଶରୁ ଭିଆଇପି କଲଚର ଲୋପ କରିବା ପାଇଁ ମୋଦି ସରକାର ଏପ୍ରିଲ ୨୦୧୭ରେ ଏକ ବଡ ଘୋଷଣା କରିଥିଲେ । ଭିଆଇପି କଲଚରର ସ୍କାରକ ସାଜିଥିବା ନାଲି ବତୀ ଉପରେ ରୋକ ଳଗାଇଥିଲେ ମୋଦି । ଏପରିକି ପ୍ରତ୍ୟେକ ଭାରତୀୟ ଜଣେ ଜଣେ ଭିଆଇପି ବୋଲି କହିଥିଲେ ମୋଦି । କିନ୍ତୁ ଏସବୁ ବାଦ ମଧ୍ୟ ଏଯାଏଁ ଭାରତରୁ ଲୋପ ପାଇନାହିଁ ଭିଆଇପି କଲଚର । ଭାରତୀୟ ରେଳ ବିଭାଗ ହେଉଛି ଏହାର ଏକ ନିଚ୍ଛକ ଉଦାହରଣ ।

Prayagraj_Expressଭାରତରେ ଗମନାଗମନର ଏକ ପ୍ରମୁଖ ମାଧ୍ୟମ ହେଉଛି ରେଳ । କିନ୍ତୁ ଏବେ ବି ମଧ୍ୟ ଅଧିକାଂଶ ଲୋକ ଟିକେଟ ନ ପାଇ ରେଳ ଯାତ୍ରାରୁ ବଞ୍ଚିତ ହେଉଛନ୍ତି । କିନ୍ତୁ ଏଭଳି ସ୍ଥିତିରେ ସାମ୍ନାକୁ ଆସିଛି ଏକ ଚାଞ୍ଚଲ୍ୟକର ତଥ୍ୟ । ଯାହା ରେଳବିଭାଗର ଭିଆଇପି କଲଚରକୁ ସୁଚାଉଛି । ଆରଟିଆଇରେ ସାମ୍ନାକୁ ଆସିଥିବା ଏକ ତଥ୍ୟ ଅନୁଯାୟୀ, ପ୍ରତିଦିନ ଭିଆଇପିଙ୍କ ପାଇଁ ଟ୍ରେନରେ ୭୩,୦୧୪ଟି ସିଟ୍ ରିଜର୍ଭ ରହିଥାଏ । ଯାହା ରେଳବିଭାଗର ମୋଟ ସଂରକ୍ଷିତ ସିଟର ୫.୧୫ ପ୍ରତିଶତ । ଏହା ମଧ୍ୟରୁ ୨୭,୧୦୫ଟି ସିଟ ଜରୁରୀକାଳୀନ ପରିସ୍ଥିତି ପାଇଁ ଭିଆଇପି ଯାତ୍ରୀଙ୍କ ବ୍ୟବହାର କରାଯାଇଥାଏ । ବଳକା ସିଟ ଗୁଡିକୁ ରେଳବିଭାଗ ୱେଟିଂ ଲିଷ୍ଟରେ ଥିବା ସାଧାରଣ ଯାତ୍ରୀଙ୍କୁ ଦିଆଯାଇଥାଏ । ତେବେ ରେଳ ମନ୍ତ୍ରାଳୟ ଏହି ଭିଆଇପି କୋଟାକୁ ଜରୁରୀକାଳୀନ କୋଟାର ସଂଜ୍ଞା ଦେଇଛି ।

ତେବେ ଏହା ଦର୍ଶାଉଛି ଯେ ରେଳ ବିଭାଗରେ ଏବେ ମଧ୍ୟ ଚାଲିଛି ଭିଆଇପି କଲଚର । ସାଧାରଣ ଲୋକଟିଏ ସଂରକ୍ଷିତ ଟିକେଟ ନ ପାଇ ରେଳ ଯାତ୍ରାରୁ ବଞ୍ଚିତ ହେଉଥିବା ବେଳେ ଭିଆଇପିଙ୍କ ପାଇଁ ୨୭,୧୦୫ଟି ସିଟ୍ ଜରୁରୀକାଳୀନ କୋଟାରେ ବୁକ୍ କରି ରଖାଯାଉଛି । ଗୋଟିଏ ପଟେ ମୋଦି ଭିଆଇପି କଲଚର ଲୋପ କରିବାକୁ କହୁଥିବା ବେଳେ ଅନ୍ୟପଟେ ରେଳବିଭାଗର ଏଭଳି ନୀତି ଭିଆଇପି କଲଚରକୁ ପୁଣିଥରେ ଉଜ୍ଜିବୀତ କରିଛି ।