ଆଉ ସର୍ଜରୀ କରିବେନି ଭିମସାର ନିର୍ଦ୍ଦେଶକ ଅଶ୍ୱିନୀ । ଲୁଣ ଚିକିତ୍ସାରେ ଦୋଷୀ ସାବ୍ୟସ୍ତ ହେବା ପରେ ନେଲେ ଏଭଳି ନିଷ୍ପତି

224

କନକ ବ୍ୟୁରୋ : ଆଉ ଅପରେସନ କରିବେନି ଭିମସାର ନିର୍ଦ୍ଦେଶକ ଅଶ୍ୱିନୀ ପୂଜାହାରୀ । ଏନେଇ ସର୍ଜରୀ ବିଭାଗର ଏଚଓଡିଙ୍କୁ ଚିଠି ଲେଖି ଜଣାଇଛନ୍ତି ଅଶ୍ୱିନୀ । ଏହାଛଡା ସର୍ଜରୀ ୟୁନିଟି-୧ର ଦାୟିତ୍ୱ ମଧ୍ୟ ସେ ଛାଡିଥିବା ନେଇ ଚିଠିରେ ଉଲ୍ଲେଖ କରିଛନ୍ତି । ଭିମସାର ଅଧ୍ୟକ୍ଷଙ୍କ ଲୁଣ ଚିକିତ୍ସା ଘଟଣା ସାମ୍ନାକୁ ଆସିବା ପରେ ଏହାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା । ୪ ଜଣିଆ ଟିମକୁ ନେଇ ହୋଇଥିବା ତଦନ୍ତରେ ଅଶ୍ୱିନୀ ପୂଜାହାରୀଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ରିପୋର୍ଟରେ ଅଶ୍ୱିନୀଙ୍କୁ ଲୁଣ ଚିକିତ୍ସା ପାଇର୍ ଦୋଷୀ ସାବ୍ୟସ୍ତ କରାଯାଇଛି । ଆଉ ଏହି ରିପୋର୍ଟ ଆସିବା ପରେ ଆଉ ଅପରେସନ କରିବେନି ବୋଲି ଅଶ୍ୱନୀ କହିଛନ୍ତି ।

ଏହାଛଡା ତାଙ୍କୁ ବିରୋଧ କରି ଜୁନିୟର ଡାକ୍ତର ମାନେ ଯେଉଁ ଆନ୍ଦୋଳନ କରୁଛନ୍ତି ସେଥିରୁ ଓହରିଯିବାକୁ ସେ ନିବେଦନ କରିଛନ୍ତି । ଏପରିକି ଜୁନିୟର ଡାକ୍ତର ମାନଙ୍କ ଜିଦ୍ ଯୋଗୁଁ ଯେପରି ରୋଗୀ ସେବା ବାଧାପ୍ରାପ୍ତ ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ସେ କହିଛନ୍ତି । ଅନ୍ୟ ପଟରେ ଭିମସାର ଅଧ୍ୟକ୍ଷଙ୍କ ସପକ୍ଷରେ ବାହାରିଛନ୍ତି ବୁର୍ଲା ସଚେତନ ନାଗରିକ ମଞ୍ଚ । ସହର ସାରା ରାଲି କରିବା ସହ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କୁଶପୁତଳିକା ଦାହ କରିଛନ୍ତି ।

ଦୁଇ ଦିନ ତଳେ ଭିମସାର ନିର୍ଦ୍ଦେଶକ ଡାକ୍ତର ଅଶ୍ୱିନୀ ପୂଜାହାରୀଙ୍କ ପରୀକ୍ଷାନିରୀକ୍ଷା ଏବଂ ଅସ୍ତ୍ରୋପଚାର ବେଳେ ଲୁଣ ପ୍ରୟୋଗ କରିଥିବାର ଭିଡିଓ ଭାଇରାଲ ହୋଇଥିଲା । ଆଉ ଏଭଳି ଚିକିତ୍ସା ପାଇଁ ରୋଗୀଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା । ସେତେବେଳେ ମଧ୍ୟ ଅଶ୍ୱିନୀ ଅବାନ୍ତର ଯୁକ୍ତି ବାଢିଥିଲେ । କ୍ୟାନସର ଚିକିତ୍ସା କିମ୍ବା କୌଣସି ସଂକ୍ରମଣ ବେଳେ ହାଇପରଟନିକ୍ ସାଲାଇନରେ ସଂକ୍ରମିତ ସ୍ଥାନକୁ ଧୋଇବାର ବ୍ୟବସ୍ଥା ରହିଛି । ଏମିତି କି ସେ, ଛାତ୍ର ଥିବା ସମୟରେ ଶିକ୍ଷକଙ୍କଠାରୁ ଲୁଣ ଚିକିତ୍ସା ଶିଖିଥିବା କହିବାକୁ ପଛାଇନଥିଲେ ଅଶ୍ୱିନୀ ପୂଜାହାରୀ ।