ମାଲ୍ୟାଙ୍କୁ ଘାରିଛି ସମ୍ପତି ବାଜ୍ୟାପ୍ତି ଭୟ : ଭାରତ ଫେରିବାକୁ ବ୍ୟାକୁଳ ପଳାତକ ମଦ ସମ୍ରାଟ

22

କନକ ବ୍ୟୁରୋ : ଭାରତ ପ୍ରତ୍ୟାବର୍ତ୍ତନ କରିବାକୁ ଇଚ୍ଛା ପ୍ରକଟ କରିଛନ୍ତି ମଦ ସାମ୍ରାଟ କିଙ୍ଗଫିସର ମାଲିକ ବିଜୟ ମାଲ୍ୟା । ଭାରତ ଫେରିବା ପାଇଁ କେନ୍ଦ୍ରୀୟ ତଦନ୍ତ ଏଜେନ୍ସି ଓ ସରକାରଙ୍କ ନିକଟରେ ମାଲ୍ୟା ନିଜର ଇଚ୍ଛା ଜାହିର କରିଥିବା ସୂଚନା ମିଳିଛି । ଯଦି ମାଲ୍ୟା ଭାରତ ଫେରନ୍ତି, ତାହେଲେ ଋଣ ଠକେଇ ଓ ମନି ଲଣ୍ଡ୍ରିଙ୍ଗ ମାମଲାରେ ଚାଲିଥିବା ମାମଲାର ତାଙ୍କୁ ସାମ୍ନା କରିବାକୁ ପଡିବ । ପ୍ରବର୍ତ୍ତନ ନିଦ୍ଦେଶାଳୟ ବା ଇଡି ସୂତ୍ରରୁ ଏହି ସୂଚନା ମିଳିଛି । ମାଲ୍ୟାଙ୍କ ସମ୍ପତି ଜବତ କରିବା ପାଇଁ ସରକାରଙ୍କ ନିଷ୍ପତି ପରେ ମାଲ୍ୟା ଏପରି ଚାହୁଁଥିବା ଇଡି କହିଛି । ୨୦୧୬ରେ ମାଲ୍ୟ ଭାରତ ଛାଡି ବିଦେଶରେ ଅଛନ୍ତି । ପାଖାପାଖି ୯ହଜାର କୋଟିର ଋଣ ଠକେଇ କରି ଫେରାର ହୋଇଯାଇଛନ୍ତି ମାଲ୍ୟା । ନୂଆ ଆଇନ ଅନୁଯାୟୀ ଇଡି ମାଲ୍ୟାଙ୍କର ୧୨ହଜାର ୫ଶହ କୋଟି ସମ୍ପତି ଜବତ କରିବାକୁ ଦାବି କରିଛି ।

ଠକେଇ ଅଭିଯୋଗ ଗୁଡ଼ିକ ପାଇଁ ଥିବା ଅର୍ଡ଼ିନାନ ଅନୁସାରେ କୋର୍ଟକୁ ଅଧିକାର ମଳିଛି, ପଳାତକଙ୍କ ସମ୍ପତି ବ୍ୟାଜାପ୍ତି ପାଇଁ ଆଦେଶ ଦେଇପାରିବେ । ମୁମ୍ବାଇ କୋର୍ଟରେ ଏହି ନୂଆ ନିିୟମ ସାମ୍ନା କରିବାର ପ୍ରଥମ ବ୍ୟକ୍ତି ହେଉଛନ୍ତି ମାଲ୍ୟା । ତେବେ ଭାରତ ଫେରିବା ଖବର ଉପରେ ମାଲ୍ୟା ନିଜେ କୌଣସି ବୟାନ ଦେଇନାହାନ୍ତି । ସୂଚନାଯୋଗ୍ୟ କିଛି ଦିନ ପୂର୍ବରୁ ମାଲ୍ୟାଙ୍କୁ ବ୍ରିଟେନରୁ ପ୍ରତ୍ୟର୍ପଣ ମାଧ୍ୟମରେ ଅଣାଯିବାକୁ ପ୍ରୟାସ ଚାଲିଥିଲା । ଲଣ୍ଡନର ଏକ କୋର୍ଟ ଏପରି ନିଷ୍ପତ୍ତି ଶୁଣାଇଥିଲେ ।