ବାଣୀବିହାରରେ ଭିସିଙ୍କ ଅନଶନ ! ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଶାନ୍ତିି ଫେରାଇ ଆଣିବା ପାଇଁ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ, ସମର୍ଥନରେ ଯୋଗ ଦେଲେ କିଛି ଅଧ୍ୟାପକ ଓ ଛାତ୍ର

36

କନକ ବ୍ୟୁରୋ : ଅନଶନରେ ଭିସି । ଶାନ୍ତି ପାଇଁ ଅନଶନରେ ବସିଲେ ଉତ୍କଳ ବିଶ୍ୱବିଦ୍ୟାଳୟର ଭିସି ସୌମେନ୍ଦ୍ର ମୋହନ ପଟ୍ଟନାୟକ । କ୍ୟାମ୍ପସରେ ଶାନ୍ତି ଓ ଶୈକ୍ଷିକ ବାତାବରଣ ଫେରାଇ ଆଣିବାକୁ ଅନଶନରେ ବସିଛନ୍ତି ଭିସି । ନିଜ କାର୍ଯ୍ୟାଳୟର ପେଣ୍ଡାଲରେ ଅନଶନ କରିଛନ୍ତି । ଭିସିଙ୍କୁ ନୈତିକ ସମର୍ଥନ ଜଣାଇ ବିଶ୍ୱବିଦ୍ୟାଳୟର କିଛି ଅଧ୍ୟାପକ ଓ ଛାତ୍ର ଅନଶନରେ ବସିଛନ୍ତି । ସୋମବାର ଦିନ ୟୁନିଭରସିଟିରୁ ସାଇନ୍-ଏ-ଡାଏ ଉଠିବା ସହ କ୍ଲାସ ଆରମ୍ଭ ହୋଇଥିଲା । ଏବଂ କଡା ଚେକିଂ ସହ ଆରମ୍ଭ ହୋଇଥିଲା ପ୍ରଥମ ଦିନ । କିନ୍ତୁ ଖୋଲିବାର ମାତ୍ର କିିଛି ସମୟ ଭିତରେ ନିର୍ବାଚନ କରିବା ଦାବିରେ ପୁଣି କ୍ୟାମ୍ପସରେ ଅଶାନ୍ତିି ଦେଖାଦେଇଥିଲା । କିଛି ଆଶାୟୀ ଛାତ୍ର ନେତା ଭିସିଙ୍କ କାଯ୍ୟାଳୟକୁ ଘେରାଉ କରିବା ସହ ନିର୍ବାଚନ କରିବାକୁ ଦାବି କରିଥିଲେ ।

ଉତ୍କଳ ବିଶ୍ୱବିଦ୍ୟାଳୟରେ ଶୈକ୍ଷିକ ବାତାବରଣ ଫେରାଇ ଆଣିବା ପାଇଁ କୁଳପତି ଧାରଣାରେ ବସିଥିବା ବେଳେ ପ୍ରତିକ୍ରିୟା ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ର ଅନନ୍ତ ନାରାୟଣ ଦାସ । ଭିସି ଅନଶନ ସମ୍ପର୍କରେ ସରକାରଙ୍କୁ ଅବଗତ କରାଇନାହାନ୍ତି ବୋଲି କହିଛନ୍ତି ମନ୍ତ୍ରୀ । ଏହାସହ ପୁଣି ଥରେ ନିର୍ବାଚନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ମନ୍ତ୍ରୀ କହିଛନ୍ତି ଥରେ ଥରେ ନିର୍ବାଚନ ସରିଲେ ଆଉ ହୋଇନଥାଏ । ତେବେ ବାଣୀବିହାରରେ ନିର୍ବାଚନ ନେଇ ଏବେ କିଛି କହିହେବନି ବୋଲି କହିଛନ୍ତି ମନ୍ତ୍ରୀ ଅନନ୍ତ ଦାସ ।

ସେପଟେ ବାଣୀବିହାରରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ କରିବା ଲାଗି ଛାତ୍ରନେତାମାନେ କରୁଥିବା ଦାବିକୁ ନେଇ ଆଜି ଆଲୋଚନା ହୋଇଛି । ତିନି ଦଳର ଛାତ୍ରନେତା ଓ ପିଜି କାଉନସିଲର ସଦସ୍ୟଙ୍କ ସହ ଆଲୋଚନା ହୋଇଛି । ନିର୍ବାଚନ ପାଇଁ ଆବଶ୍ୟକ ପରିବେଶ ହେଲେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ହୋଇପାରିବ ବୋଲି ଜଣାପଡିଛି । ଏନେଇ ବାଣୀବିହାର କର୍ତ୍ତୃପକ୍ଷ ସରକାରଙ୍କୁ ଅବଗତ କରାଇବେ । ଏହା ସହ ଆଇନଶୃଙ୍ଖଳା ପରିସ୍ଥିତିର ଅନୁଧ୍ୟାନ କରିବା ପାଇଁ ପୋଲିସ ମହାନିର୍ଦ୍ଦେଶକଙ୍କୁ ମଧ୍ୟ ବାଣୀବିହାର କର୍ତୃପକ୍ଷ ଜଣାଇବେ । କ୍ୟାମ୍ପସରେ ଅନୁକୁଳ ପରିବେଶ ହେଲେ ବାଣୀବିହାର ଛାତ୍ର ସଂସଦ ନିର୍ବାଚନ ପୁଣିଥରେ ସମ୍ଭବ ବୋଲି ଛାତ୍ର ସଂସଦ ଉପଦେଷ୍ଟା ସୂଚନା ଦେଇଛନ୍ତି ।