ଅଫିସ ସାମ୍ନାରେ ଝୁଲିବ ଓଡିଆ ନାମଫଳକ ! ସରକାରଙ୍କ ବଡ ନିଷ୍ପତ୍ତି, ୧୫ ଦିନ ମଧ୍ୟରେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ।

45

ଓଡିଆରେ ନାମଫଳକ ଲେଖିବା ନେଇ କଡାକଡି ନିର୍ଦ୍ଦେଶ । ସହରାଂଚଳରେ ଥିବା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଗୁଡିକରେ ଓଡିଆ ଭାଷାରେ ନାମଫଳକ ସ୍ପଷ୍ଟ ଭାବରେ ଲେଖିବାପାଇଁ କଡାକଡି ନିର୍ଦ୍ଦେଶ ଦେଇଛନ୍ତି ସରକାର । ରାଜ୍ୟ ସଚିବାଳୟରେ ଉନ୍ନୟନ କମିଶନର ଆର ବାଲକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଓଡିଆରେ ନାମଫଳକକୁ କଡାକଡି ଭାବେ ପାଳନ ନେଇ ଗୁରୁତ୍ୱ ଦିଆଯାଇଛି । ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟ ଓ ଅନୁଷ୍ଠାନ ଗୁଡିକରେ ୧୫ ଦିନ ମଧ୍ୟରେ ଓଡିଆ ଭାଷାରେ ନାମଫଳକ ଲେଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହା ସହିତ ସହରାଞ୍ଚଳରେ ଥିବା ସମସ୍ତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନର ତାଲିକା ପ୍ରସ୍ତୁତ କରି ଓଡିଆ ଭାଷାରେ ନାମଫଳକ ଲେଖିବା ପାଇଁ ପଦକ୍ଷେପ ନେବା ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ୧୦୦ଗୋଟି ପ୍ରମୁଖ ପ୍ରତିଷ୍ଠାନ ଡାକ୍ତରଖାନା, ଘରୋଇ ବିଦ୍ୟାଳୟ, ହୋଟେଲ ଆଦିରେ ୩୦ ଦିନ ଭିତରେ ଓଡିଆରେ ନାମଫଳକ ଲେଖିବା ପାଇଁ ପଦକ୍ଷେପ ନେବାକୁ କୁହାଯାଇଛି । ଦୋକାନ ଓ ବାଣିଜ୍ୟିକ ଅନୁଷ୍ଠାନ ବା ପ୍ରତିଷ୍ଠାନ ବିରୋଧରେ ସର୍ବସାଧାରଣଙ୍କ ଦ୍ୱାରା ଅଭିଯୋଗ କରିବା ପାଇଁ ଏକ ପୋର୍ଟାଲ ଖୁବଶୀଘ୍ର ପ୍ରଚଳନ ପାଇଁ ବ୍ୟବସ୍ଥା କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି । ବୈଠକରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ, ସାଧାରଣ ପ୍ରଶାସନ ଓ ଜନସାଧାରଣ ଅଭିଯୋଗ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ ମୀନା ଓ ଗୃହ ଓ ନଗର ଉନ୍ନୟନ ବିଭାଗର ଶାସନ ସଚିବ ମାଥିଭାତିଆନ ପ୍ରମୁଖ ଉପସ୍ଥିତ ଥିଲେ ।