ସମୟ ପୂର୍ବରୁ ନିର୍ବାଚନ ହେବା ନେଇ ପୁଣି ଆରମ୍ଭ ହେଲା ଚର୍ଚ୍ଚା ! ଗୋଟିଏ ଦିନରେ ବଦଳିଲେ ୭ଟି ରାଜ୍ୟର ରାଜ୍ୟପାଳ ।

23

କେନ୍ଦ୍ର ସରକାର କଣ ସମୟ ପୂର୍ବରୁ ସାଧାରଣ ଓ ଆଉ କେତେକ ରାଜ୍ୟର ବିଧାନସଭା ନିର୍ବାଚନ କରିବାକୁ ଯୋଜନା କରୁଛନ୍ତି ? ଏହି ପ୍ରଶ୍ନ ଗତ କିଛି ମାସ ଧରି ସମସ୍ତଙ୍କୁ ଆନ୍ଦୋଳିତ କରୁଛି । କିନ୍ତୁ ଆଜି କେନ୍ଦ୍ର ସରକାର ନେଇଥିବା ଏକ ପଦକ୍ଷେପକୁ ନେଇ ଏହି ସଂଦେହ ଦୃଢୀଭୁତ ହୋଇଛି । କଥା ହେଉଛି ଆଜି କେନ୍ଦ୍ର ସରକାର ଗୋଟିଏ ଦିନରେ ୭ଟି ରାଜ୍ୟର ରାଜ୍ୟପାଳଙ୍କୁ ବଦଳାଇ ଦେଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ବିହାର ରାଜ୍ୟପାଳ ତଥା ପୂର୍ବରୁ କିଛିଦିନ ଓଡ଼ିଶା ଦାୟିତ୍ୱରେ ଥିବା ସତ୍ୟପାଲ ମଲ୍ଲିକଙ୍କୁ ଜାମ୍ମୁ ଓ କାଶ୍ମୀରର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି । ସେହିପରି ବରିଷ୍ଠ ବିଜେପି ନେତା ଲାଲଜୀ ଟଣ୍ଡନଙ୍କୁ ବିହାର ରାଜ୍ୟପାଳ ନିଯୁକ୍ତ କରାଯାଇଛି । ସତ୍ୟଦେବ ନାରାୟଣ ଆର୍ଯ୍ୟା ହରିୟାଣାର ରାଜ୍ୟପାଳ ନିଯୁକ୍ତ ହୋଇଛନ୍ତି । ବେବିରାଣୀ ମୌର୍ୟ୍ୟ ଉତ୍ତରାଖଣ୍ଡ ଓ କପ୍ତାନ ସିଂ ସୋଲାଙ୍କି ତ୍ରିପୁରା ରାଜ୍ୟପାଳ ହେବେ । ତ୍ରିପୁରା ରାଜ୍ୟପାଳ ତଥାଗତ ରାୟ ମେଘାଳୟର ରାଜ୍ୟପାଳ ଓ ପୂର୍ବରୁ ମେଘାଳୟର ରାଜ୍ୟପାଳ ଥିବା ଗଂଗା ପ୍ରସାଦଙ୍କୁ ସିକ୍କିମ ରାଜ୍ୟପାଳ କରାଯାଇଛି । ଏସବୁ ରାଜ୍ୟପାଳଙ୍କ ନିଯୁକ୍ତିକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଂଜୁର କରିଛନ୍ତି ।