ସର୍ବଭାରତୀୟ ପ୍ରଶାସନିକ ପରୀକ୍ଷାରେ ପୁଣି ବାଜି ମାରିଲେ ଝିଅ : ଦିଲ୍ଲୀର ଟିନା ଡାବି ଟପ୍ପର

51

ଦିଲ୍ଲୀ ବ୍ୟୁରୋ, କନକ ନ୍ୟୁଜ୍: ଭାରତୀୟ ପ୍ରଶାସନିକ ପରୀକ୍ଷା – ୨୦୧୫ର ପରୀକ୍ଷା ଫଳ ପ୍ରକାଶ ପାଇଛି । ଦିଲ୍ଲୀର ଟିନା ଡାବି ନାମକ ଜଣେ ୨୨ ବର୍ଷୀୟ ଝିଅ ଏହି ପରୀକ୍ଷାରେ ଟପ୍ପର ହୋଇଛନ୍ତି । ରାଜନୀତି ବିଜ୍ଞାନର ଦିଲ୍ଲୀର ଏହି ଯୁବତୀ ପ୍ରଥମ ଉଦ୍ୟମରେ ଆଉଏଏସ୍ ଟପ୍ପର ହୋଇଛନ୍ତି । ଜାତୀୟ ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟାରେ ଟିନା କହିଛନ୍ତି ତାଂକ ଆଦର୍ଶ ତାଙ୍କ ମାଆ । ଏହା ସହ ବର୍ତମାନ ସେ ଟ୍ରେନିଂକୁ ଅପେକ୍ଷା କରିଛନ୍ତି । ଦେଶ ପାଇଁ କିଛି କରିବା ପାଇଁ ତାଙ୍କର ଲକ୍ଷ୍ୟ ବୋଲି ଟିନା କହିଚନ୍ତି । ଅନ୍ୟପଟେ ସାକ୍ଷାତକାର ପରୀକ୍ଷା ସମୟରେ ଦୀର୍ଘ ୪୦ ମିନିଟ ଧରି ତାଙ୍କୁ ପ୍ରଶ୍ନ କରାଯାଇଥିବା ସେ କହିଛନ୍ତି ।

ସେହିଭଳି ଦ୍ୱିତୀୟ ସ୍ଥାନରେ ଅତହର୍ ଆମୀର୍ ଉଲ ସାଫି ଖାନ, ତୃତୀୟ ସ୍ଥାନରେ ଯସ୍ମୀତ୍ ସିଂହ ସାନ୍ଧୁ ରହିଛନ୍ତି । ସେହିପରି ଚତୁର୍ଥ ସ୍ଥାନରେ ଆର୍ତିକା ଶୁକ୍ଲା ଓ ପଂଚମ ସ୍ଥାନରେ ଶଶାଙ୍କ ତ୍ରିପାଠୀଙ୍କ ନାଁ ରହିଛି । ୨୬ତମ ସ୍ଥାନରେ ଅଛନ୍ତି ଓଡିଆ ଯୁବକ ଦିବ୍ୟଜ୍ୟୋତି ପରିଡା । ମୋଟ ୧୦୭୮ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଏଥିରେ ରହିଛନ୍ତି ସାଧାରଣ ବର୍ଗର ୪୯୯, ପଛୁଆ ବର୍ଗର ୩୧୪, ଅନୁସୂଚିତ ଜାତି ବର୍ଗରେ ୭୬ ଓ ଅନୁସୂଚିତ ଜନଜାତି ବର୍ଗରେ ୮୯ ଜଣ ପରୀକ୍ଷାର୍ଥୀ ସଫଳତା ହାସଲ କରିଥିବା ୟୁପିଏସସି ପକ୍ଷରୁ ସୂଚନା ଦିଆଯାଇଛି । ଭାରତୀୟ ପ୍ରଶାସନିକ ସେବା, ଭାରତୀୟ ବୈଦେଶିକ ସେବା, ଭାରତୀୟ ପୋଲିସ ସେବା, କେନ୍ଦ୍ରୀ ସେବା – ଗ୍ରୁପ ଏ ଓ ଗ୍ରୁପ ବି ଭାବେ ଏହି ସଫଳ ହୋଇଥିବା ପରୀକ୍ଷାର୍ଥୀମାନେ ନିଯୁକ୍ତି ପାଇବେ ।