ଇମ୍ରାନଙ୍କୁ ଭାରତର ଜବାବ୍ ! ପାପ ଲୁଚାଉଛି ପାକିସ୍ତାନ, ପାକ୍ ସେନାଙ୍କ କାଠ କଣ୍ଢେଇ ପାଲଟିଛି ପାକିସ୍ତାନ ସରକାର ।

231

କନକ ବ୍ୟୁରୋ: ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଭାରତର କଡ଼ା ଜବାବ । ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଦେଇଥିବା ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋର । କହିଛନ୍ତି ଯେ, ପୁଲୱାମା ଆତଙ୍କୀ ହମଲାର ମାଷ୍ଟରମାଇଣ୍ଡ ଜୈସ-ଏ-ମହମ୍ମଦର ମୁଖ୍ୟ ପାକିସ୍ତାନରେ ଲୁଚି ରହିଛି , ଏହା କ’ଣ ପ୍ରମାଣ ନୁହେଁ କି ?

ଏପରିକି ୨୬/୧୧ ମୁମ୍ବାଇ ଆତଙ୍କୀ ଆକ୍ରମଣ ପାକିସ୍ତାନ କରିଥିଲା ବୋଲି ପ୍ରମାଣିତ ହେବାପରେ କ’ଣ କାର୍ଯ୍ୟାନୁଷ୍ଠାନ ନେଇଥିଲା ପାକ୍ ବୋଲି ଇମ୍ରାନଙ୍କୁ ଭାରତ ପ୍ରଶ୍ନ କରିଛି । ପାକିସ୍ତାନ ହିଁ ଆତଙ୍କବାଦର କେନ୍ଦ୍ରସ୍ଥଳୀ ଏହା କାହାକୁ ଅଛପା ନାହିଁ । ତେଣୁ ଏଭଳି ବାରମ୍ବାର ଆକ୍ରମଣ କରି ଖସିଯିବାର ବାହାନା କରୁଛି ପାକିସ୍ତାନ ।

ଏପରିକି ପାକ୍ ପ୍ରଧାନମନ୍ତ୍ରୀ ପୁଲୱାମା ଆତଙ୍କୀ ହମଲା ଘଟଣାକୁ ନିନ୍ଦା ନକରି ଭାରତକୁ ନାଲି ଆଖି ଦେଖାଉଛନ୍ତି । ଭାରତ ଆକ୍ରମଣ କଲେ ପ୍ରତିଶୋଧ ନେବ ପାକିସ୍ତାନ ବୋଲି ଖୋଲାଖୋଲି ଚେତାବନୀ ଦେବା ପାକିସ୍ତାନର ଅସଲ ମୁଖାକୁ ସାରା ବଶ୍ୱ ଦରବାରରେ ଦେଖାଇଛି । ଆରମ୍ଭ ସେମାନେ କରିଛନ୍ତି କିନ୍ତୁ ଭାରତ ଏହାକୁ ଶେଷ କରିବ । ଆଉ ଦୀର୍ଘ ସମୟ ଧରି ପାକ୍ ଏହାର ପରିଣାମ ଭୋଗିବ । ଯଦି ଭାରତ ପ୍ରମାଣ ଦିଏ ତେବେ ପାକିସ୍ତାନ କାର୍ଯ୍ୟାନୁଷ୍ଠାନ ନେବ କହୁଛି କିନ୍ତୁ ନୂଆ ପାକିସ୍ତାନ ଦମ୍ଭ ଦେଖାଉଥିବା ସରକାରଙ୍କ ବଟନ୍ ପାକ୍ ସେନାଙ୍କ ହାତରେ ରହିଛି । ଆତଙ୍କବାଦୀଙ୍କ ଇସାରେ କଣ୍ଢେଇ ପାଲଟିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବୋଲି କହିଛନ୍ତି ରାଠୋର ।