ମୋର ସଂସ୍କାର ଓ ଶାଳୀନତା ଅଛି । ବିଜୟ ଓ ଦିଲ୍ଲୀପଙ୍କ ପ୍ରସଙ୍ଗରେ ନୈତିକତାର ଦ୍ୱାହି ଦେଲେ ଧର୍ମେନ୍ଦ୍ର

ରାଜନୀତିରେ କିଏ କେଉଁଠାକୁ ଯିବ ତାହାକୁ କେହି ରୋକିପାରିବେନି

302

କନକ ବ୍ୟୁରୋ : ବିଜେପିରୁ ନିକଟରେ ରାଉରକେଲା ବିଧାୟକ ଦିଲ୍ଲୀପ ରାୟ ଓ ବରିଷ୍ଠ ନେତା ବିଜୟ ମହାପାତ୍ର ଇସ୍ତଫା ଦେଇଛନ୍ତି । ତେବେ ସେମାନଙ୍କ ଇସ୍ତଫା ପରେ ଆଜି ପ୍ରଥମ ଥର ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ରଖି ଶ୍ରୀପ୍ରଧାନ କହିଛନ୍ତି ଯେ, ରାଜନୀତିରେ କିଏ କେଉଁଠାକୁ ଯିବ ତାହାକୁ କେହି ରୋକିପାରିବେନି । କୌଣସି ବ୍ୟକ୍ତି ବିଶେଷ ଓଡିଶା ଭଳି ରାଜ୍ୟରେ କେବେ ପ୍ରସଙ୍ଗ ହୁଏନାହିଁ । ନୀତି ଆଦର୍ଶ ରାଜନୀତିରେ ପ୍ରସଙ୍ଗ ହୁଏ ।

 

ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ମତେ କିଏ ବ୍ୟକ୍ତି ଗତ ଆକ୍ଷେପ କଲେ ତାହାର ଉତ୍ତର ମୁଁ ରଖିବି ନାହିଁ । ମୋର ସଂସ୍କାର ଓ ଶାଳୀନତା ରହିଛି । ୧୨୦+ ମିଶନରେ କୌଣସି ପ୍ରଭାବ ପଡିବନି । ଆମେ ଆମ ଲକ୍ଷ୍ୟରେ ସ୍ପଷ୍ଟ ରହିଛୁ । ତେଣୁ ବିଜେପି ଦଳର ରାଷ୍ଟ୍ରୀୟ ସଭାପତି ଆମକୁ ଯେଉଁ ଲକ୍ଷ୍ୟ ଦେଇଛନ୍ତି ସେଥିରେ ଆମେ ନିଶ୍ଚିତ ରୂପେ ସଫଳ ହେବୁ ବୋଲି ଧର୍ମେନ୍ଦ୍ର କହିଛନ୍ତି । ଏହାପରେ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଦେଇଥିବା ପ୍ରତିକ୍ରିୟାର ଉତ୍ତରରେ କହିଛନ୍ତି ଯେ, ଓଡିଶାରେ ଡବଲ ଇଞ୍ଜିନ ଲାଗିଲେ ଉପରକୁ ଯିବ ।

 

ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଆସିଲେ ଏହା ସମ୍ଭବ ହେବ । ଆମ ଦଳରେ କେହି ଘୋଷିତ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନାହାନ୍ତି । ଏହାସହ ଓଡିଶାରେ ଆମେ ପ୍ରମୁଖ ଦଳ ହେଲା ପରେ କିଏ ଓଡିଶାର ନେତୃତ୍ୱ ନେବ ତାହାର ନିଷ୍ପତ୍ତି ନିଆଯିବ ବୋଲି ଧର୍ଧେନ୍ଦ୍ର କହିଛନ୍ତି । ତେଣୁ ବର୍ତମାନ ସମୟରେ ଏନେଇ କୌଣସି ବିଚାର ବିମର୍ଶ ହୋଇ ନାହିଁ । କିଏ କେଉଁ ପଦବୀରେ ରହିବ ତାହା ଆଲୋଚନା ହୋଇନାହିଁ । ଆଲୋଚନା ହେବା ପରେ ଚିତ୍ର ସ୍ପଷ୍ଟ ହେବ ବୋଲି ଶ୍ରୀପ୍ରଧାନ କହିଛନ୍ତି ।