ଉଡାନ ଯୋଜନାରେ ଉଡିବ ବିମାନ । ଝାରସୁଗୁଡା, ରାଉରକେଲାରୁ ଏଣିକି ସବୁଦିନ ଉଡିବ ବିମାନ

ଉଡାନ ଯୋଜନାରେ ଉଡିବ ବିମାନ

156

କନକ ବ୍ୟୁରୋ : ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଉଡାନ୍- ଆରସିଏସ୍ (ଉଡେ ଦେଶକା ଆମ୍ ନାଗରିକ- ଆଞ୍ଚଳିକ ସଂଯୋଗୀକରଣ ଯୋଜନା)ରେ ଦେଶର ୮୯ଟି ବିମାନ ବନ୍ଦରରୁ ୨୩୫ଟି ରୁଟରେ ବିମାନ ସେବା ଆରମ୍ଭ କରିବା ପାଇଁ ଘୋଷଣା ହୋଇଛି। ଏଥିରେ ଓଡ଼ିଶାର ଝାରସୁଗୁଡ଼ା, ରାଉରକେଲା ଓ ଭୁବନେଶ୍ବରରୁ ଦେଶର ବିଭିନ୍ନ ସହରକୁ ବିମାନ ସେବା ଆରମ୍ଭ ହେବ। ନୂଆଦିଲ୍ଲୀରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ ଉଡାନ୍-୩ ଘୋଷଣା କରିଛନ୍ତି। ଫେବୃଆରୀ ମାସରୁ ଏହି ରୁଟରେ ବିମାନ ଉଡ଼ାଣ କରିବ ବୋଲି କୁହାଯାଇଛି।

ଘୋଷଣା ହୋଇଥିବା ରୁଟ୍ ଅନୁଯାୟୀ, ଝାରସୁଗୁଡ଼ାରୁ ଭୁବନେଶ୍ବର, କୋଲକତା, ମୁମ୍ବାଇ, ରାୟପୁର, ହାଇଦ୍ରାବାଦ, ଦିଲ୍ଲୀକୁ ବିମାନ ସେବା ଆରମ୍ଭ ହେବ। ଏଥିରେ ଆଲାଏନ୍ସ ଏୟାର ଝାରସୁଗୁଡ଼ାରୁ କୋଲକତା, ଭୁବନେଶ୍ବର, ରାୟପୁରକୁ ବିମାନ ସେବା ଆରମ୍ଭ କରିବ। ସ୍ପାଇସ୍ ଜେଟ୍ ଝାରସୁଗୁଡ଼ାରୁ କୋଲକତା, ହାଇଦ୍ରାବାଦ, ଦିଲ୍ଲୀକୁ ବିମାନ ସେବା ଯୋଗାଇବ। ଟେର୍ବା ଆଭିଏସନ୍ ଝାରସୁଗୁଡ଼ାରୁ ଭୁବନେଶ୍ବର, ରାୟପୁରକୁ ଏବଂ ଜେଟ୍ ଏୟାର ଝାରସୁଗୁଡ଼ାରୁ ମୁମ୍ବାଇକୁ ବିମାନ ସେବା ଆରମ୍ଭ କରିବ।ରାଉରକେଲାରୁ ରାୟପୁର ଓ ଭୁବନେଶ୍ବରକୁ ବିମାନ ସେବା ଆରମ୍ଭ ହେବ।

ଟର୍ବୋ ଆଭିଏସନ୍ ରାଉରକେଲାରୁ ରାୟପୁର ଏବଂ ଆଲିଏନ୍ସ ଏୟାର ଓ ଟେର୍ବା ଆଭିଏସନ୍ ରାଉରକେଲାରୁ ଭୁବନେଶରକୁ ବିମାନ ସେବା ଆରମ୍ଭ କରିବ। ସେହିପରି ଭୁବନେଶ୍ବରରୁ ବାରଣାସୀ, କଳାଇକୁଣ୍ଡା, ଜଗଦଲପୁରକୁ ବିମାନ ସେବା ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଏହାଦ୍ବାରା ଏହି ସହରଗୁଡ଼ିକୁ ଯାତ୍ରୀମାନେ ୨୫୦୦ଟଙ୍କା ଟିକେଟରେ ଯାତ୍ରା କରିପାରିବେ। ଯାତ୍ରୀଙ୍କୁ ଶସ୍ତାରେ ଟିକେଟ୍ ଯୋଗାଇବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସବସିଡ ଦେବେ।

ଓଡ଼ିଶାରେ ଉଡାନ୍ ଯୋଜନାରେ ଆରମ୍ଭ ହେବାକୁ ଥିବା ବିମାନ ସେବା ପାଇଁ କେନ୍ଦ୍ର ସରକାର ଭାଏବିଲିଟି ଗ୍ୟାପ୍ ଫଣ୍ଡ ବାବଦରେ ୧୦୧କୋଟି ଟଙ୍କା ପ୍ରଦାନ କରିଛନ୍ତି। ଯାହା ଦେଶରେ ଦ୍ବିତୀୟ ସର୍ବାଧିକ। ଆଜି ଉଡାନ୍-୩ରେ ଝାରସୁଗୁଡ଼ା ଓ ରାଉରକେଲାରୁ ନିୟମିତ ବିମାନ ଉଡ଼ାଣ ହେବ ବୋଲି ଘୋଷଣା ହେବା ପରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ, ଉଡାନ୍ ଯୋଜନା ଦ୍ବାରା ଓଡ଼ିଶାରେ ଆକାଶ ପଥରେ ଯୋଗାଯୋଗ ବ୍ୟବସ୍ଥା ସୁଦୃଢ ହୋଇଛି। ସେହିପରି କେନ୍ଦ୍ର ସରକାର ଓଡ଼ିଶାରେ ବିମାନ ସେବାର ଉନ୍ନତି ପାଇଁ ୧୨ଶହ କୋଟିର ବ୍ୟୟବରାଦ କରିଛନ୍ତି। ଏଥିରେ ରାଉରକେଲା, ଉତ୍କେଲା, ଜୟପୁରରେ ନୂଆ ବିମାନବନ୍ଦର ନିର୍ମାଣ ସହ ଭୁବନେଶ୍ବର ବିମାନବନ୍ଦରରେ ଏକ ଅତ୍ୟାଧୁନିକ ଟର୍ମିନାଲ ନିର୍ମାଣ ହେବ।