ଆସିକା ଆସନ ଉପରେ ଅଟକିଛି ଆଖି! ନବୀନଙ୍କ ପ୍ରଥମ ନିର୍ବାଚନୀ କ୍ଷେତ୍ରରୁ ଭାଗ୍ୟ ପରୀକ୍ଷା କରିବେ ଦୁଇ ମହିଳା ।

ଚଳିତ ନିର୍ବାଚନରେ ଆସିକା ଲୋକସଭା ଆସନରୁ ନିଜର ରାଜନୈତିକ ଇନିଂସର ଡେବ୍ୟୁ କରିବାକୁ ଯାଉଛନ୍ତି ଦୁଇ ମହିଳା ।

335

କନକ ବ୍ୟୁରୋ: ଆସିକା ଲୋକସଭା ଆସନ ଉପରେ ସମସ୍ତଙ୍କ ଆଖି ଅଟକି ରହିଛି । କାରଣ ଚଳିତ ନିର୍ବାଚନରେ ଆସିକା ଆସନରୁ ନିଜର ରାଜନୈତିକ ଇନିଂସର ଡେବ୍ୟୁ କରିବାକୁ ଯାଉଛନ୍ତି ଦୁଇ ମହିଳା । ଏହି ଦୁଇ ମହିଳାଙ୍କ ମଧ୍ୟରେ ଅଛନ୍ତି ବିଜେଡିର ପ୍ରମିଳା ବିଶୋୟୀ ଏବଂ ବିଜେପିର ଅନିତା ପ୍ରିୟଦର୍ଶିନୀ । ତେବେ ଉଭୟ ଏମିତି ଏକ ଆସନରୁ ପ୍ରାର୍ଥୀ ହୋଇଛନ୍ତି ଯାହା ପୂର୍ବରୁ ବିଜେଡି ସୁପ୍ରିମୋ ନବୀନଙ୍କ ରାଜନୀତି କ୍ୟାରିଅରର ପ୍ରଥମ ନିର୍ବାଚନୀ ମୈଦାନ ଭାବେ ଜଣାଶୁଣା । ତେବେ ନବୀନଙ୍କ ପୁରୁଣା ଏବଂ ପ୍ରଥମ ରାଜନୀତି ମୈଦାନରୁ ଦୁଇ ମହିଳା ନିଜ ନିଜର ଭାଗ୍ୟ ନିର୍ଦ୍ଧାରଣ କରିବାକୁ ଯାଉଛନ୍ତି । କାହାର ଜିତାପଟ ହେବ ଆଉ କିଏ ମାତ୍ ଖାଇବ ତାହା ଉପରେ ନଜର ରହିଛି ।

ରାଜନୀତି ଇତିହାସ ପୃଷ୍ଠାରେ ଆସିକା ଆସନକୁ ନେଇ ଅନେକ ଅଧ୍ୟାୟ ଲପିବଦ୍ଧ ରହିଛି । ଦିବଂଗତ ନେତା ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ୧୯୯୭ ମସିହାରେ ଏଠାରେ ଉପ-ନିର୍ବାଚନ ହୋଇଥିଲା । ଆଉ ବିଜୁ ବାବୁଙ୍କ ପୁଅ ନବୀନ ପଟ୍ଟନାୟକ ଜନତା ଦଳରୁ ପ୍ରାର୍ଥୀ ହୋଇ ଏହି ଲୋକସଭା ଆସନରୁ ନିଜର ରାଜନୀତି ଇଂନିସ ଆରମ୍ଭ କରିଥିଲେ । ଏହାପରେ ବିଜେଡି ଜନ୍ମ ହେବା ପରଠାରୁ ଏହି ଲୋକସଭା ଆସନକୁ ନିଜ କବଜାରେ ବିଜେଡି ରଖିଥିବାବେଳେ ଏଥର ମହିଳା ପ୍ରାର୍ଥୀଙ୍କୁ ଏଠାରୁ ସୁଯୋଗ ଦେଇଛନ୍ତି ବିଜେଡି ସୁପ୍ରିମୋ ।

ସବୁଠାରୁ ରୋଚକ ବିଷୟ ହେଲା ଯେ, ମହିଳାଙ୍କୁ ପ୍ରାଧାନ୍ୟ ଦେଇ, ଦ୍ୱିତୀୟ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିବା ପ୍ରମିଳା ବିଶୋୟୀଙ୍କୁ ନବୀନ ଏଠାରୁ ଟିକେଟ୍ ଦେଇଛନ୍ତି । ଆଉ ପ୍ରିମଳା ଏଥର ନବୀନଙ୍କ ମୈଦାନରୁ ନିର୍ବାଚନ ଲଢ଼ିବାକୁ ଉତ୍ସାହିତ ଅଛନ୍ତି । ଏନେଇ ପ୍ରମିଳା ମଧ୍ୟ କହନ୍ତି ଯେ, ମହିଳାଙ୍କ କ୍ଷେତ୍ରରେ ବିକାଶ ପାଇଁ ନବୀନ ବାବୁ ସର୍ବଦା ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି । ମୋତେ ଏହି ଆସନ ପାଇଁ ଯୋଗ୍ୟ ବାଛିଥିବାରୁ ସୁପ୍ରିମୋଙ୍କୁ କୃତଜ୍ଞତା ଜଣାଇଛନ୍ତି ପ୍ରମିଳା । ତେବେ ପ୍ରମିଳା ‘ମିଶନ ଶକ୍ତି’ ସହ ଦୀର୍ଘ ୧୮ ବର୍ଷ ହେବ ଯୋଡ଼ି ହୋଇରହିଛନ୍ତି । ଅନ୍ୟପଟେ ଲୋକସଭାରେ ୩୩% ସିଟ୍ ସରଂକ୍ଷଣ କଥା ରଖି ପ୍ରମିଳାଙ୍କୁ ଟିକେଟ୍ ଦେଇଛନ୍ତି ବୋଲି ନବୀନ କହିଛନ୍ତି । ହେଲେ ନବୀନଙ୍କ ଏହି ମହିଳା କାର୍ଡ କେତେ ସଫଳ ହେବ ଏବଂ ପ୍ରମିଳାଙ୍କୁ କେତେ ସମର୍ଥନ ମିଳିବ ତାହା ନିର୍ବାଚନୀ ଫଳାଫଳ ହିଁ ବୟାନ କରିବ ।

ସେପଟେ ବିଜେପି ମଧ୍ୟ ଅନିତା ପ୍ରିୟଦର୍ଶିନୀଙ୍କୁ ଏଠାରୁ ଲଢ଼ିବା ପାଇଁ ଟିକେଟ୍ ଦେଇଛି । ତେବେ ଅନିତା ହେଉଛନ୍ତି ବରିଷ୍ଠ ନେତା ରାମକୃଷ୍ଣ ପଟ୍ଟନାୟକ ଓ ପୂର୍ବତନ ବିଜେଡି ଅସିକା ସାଂସଦ କୁମୁଦୁନି ପଟ୍ଟନାୟକଙ୍କ ଝିଅ । ତେବେ ୨୦୦୦-୨୦୦୨ ମସିହା ମଧ୍ୟରେ ବିଜେଡି ସରକାର ମନ୍ତ୍ରିମଣ୍ଡଳର ପ୍ରଥମ ଅର୍ଥମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିବା ରାମକୃଷ୍ଣ ପଟ୍ଟନାୟକଙ୍କ ଝିଅ ଅନିତାଙ୍କୁ ବିଜେପି ଟିକେଟ୍ ଦେଇ ବିଜେଡି ଗଡ଼ ଭାଙ୍ଗିବାକୁ ଗୋଟି ଚଳାଇଛି ।

ଅନିତା ଏଠାରେ ମୋଦିଙ୍କ ନେତୃତ୍ୱର ଗୁଣଗାନ କରି ନିର୍ବାଚନ ଜିତିବାକୁ ସଂକଳ୍ପ କରିଥିବାବେଳେ ବିଜେଡି ପ୍ରାର୍ଥୀ ପ୍ରମିଳା ମଧ୍ୟ ବଳ କଷୁଛନ୍ତି । ହେଲେ ନବୀନଙ୍କ ପୁରୁଣା ବା ପ୍ରଥମ ନିର୍ବାଚନୀ ମୈଦାନରେ କିଏ ବିଜୟ ହେବ ଆଉ କିଏ ପରାଜୟ ଦ୍ୱାର ଦେଖିବ ତାକୁ ନେଇ ଛକାପଞ୍ଝା ଲାଗି ରହିଛି । ଆସନ୍ତା ୧୮ ତାରିଖ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଓଡ଼ିଶାରେ ହେବାକୁଥିବା ୫ ଲୋକସଭା କ୍ଷେତ୍ର ମଧ୍ୟରୁ ଆସିକା ଆସନରେ ଲଢ଼େଇ ଜୋରଦାର ହେବ ।