ଆର ଉଦୟଗିରିରେ ୨ ଝିଅ ହତ୍ୟାର ପର୍ଦ୍ଦାଫାଶ । ବଦନାମ ହେବା ଭୟରେ ଝିଅଙ୍କୁ ବିଷ ଯାଚିଥିଲେ ବାପା ମା । କହିଥିଲେ,ତମେ ନ ପିଇଲେ ଆମେ ବିଷ ପିଇ କରିବୁ ଆତ୍ମହତ୍ୟା

92

କନକ ବ୍ୟୁରୋ: ତମେ ବିଷ ପିଅ ନଚେତ ଆମେ ବିଷ ପିଇବୁ । କିଛି ଏଭଳି କହିଥିଲା ୨ଝିଅର ହତ୍ୟାକାରୀ ବାପା । ଆର୍ ଉଦୟଗିରି ଦୁଇ ଭଉଣୀଙ୍କ ମୃତଦେହ ମିଳିବା ମାମଲାରେ ନୂଆ ମୋଡ଼ ଆସିଥିବା ବେଳେ ଜଣାପଡ଼ିଛି ହତ୍ୟା ପଛର କାହାଣୀ । ପୂର୍ବରୁ ବାହାଘର ଭାଂଗିଯିବାରୁ ଦୁଇ ଝିଅ କୂଅକୁ ଡେଇଁ ଆତ୍ମହତ୍ୟା କରିଥିବା ହତ୍ୟାକାରୀ ବାପା କହୁଥିବା ବେଳେ ପଚରାଉଚରା ପରେ ସତ ଓଗାଳିଛି ପୁଲିସ୍ ।

ହତ୍ୟାକାରୀ ବାପା ନିଜ ଦୋଷ ସ୍ୱୀକାର କରିବା ସହ କହିଛି, ଝିଅ ସ୍ୱପ୍ନାର ବାହାଘର ଭୁବନେଶ୍ୱରରେ ଠିକ ହୋଇଥିବା ବେଳେ ଭାବି ଜ୍ୱାଇଁ ଶେଷ ମୁହୂର୍ତରେ ଚରିତ୍ର ଖରାପ ଦର୍ଶାଇ ବାହାଘର ଭାଂଗିଦେଇଥିଲେ । ଆଉ ଏହାକୁ ନେଇ ସେ ଓ ତାଙ୍କ ପତ୍ନୀ ଚାପରେ ଥିଲେ । ବଦନାମ ହେବା ଭୟରେ ଦୁଇ ଝିଅ ସ୍ୱପ୍ନା ଓ କିରଣଙ୍କୁ ୨୮ ତାରିଖ ରାତିରେ ଗ୍ଲାସରେ ବିଷ ରଖି କହିଥିଲେ, ଦୁଇ ଭଉଣୀ ବିଷ ନପିଇଲେ ସେମାନେ ବିଷ ପିଇ ଆତ୍ମହତ୍ୟା କରିବେ ।

ବାପା, ମାଆଙ୍କ ଦୁଃଖ ସହିନପାରି ଦୁଇ ଭଉଣୀ ବିଷ ପିଇ ଦେଇଥିଲେ ଓ ସେମାନଙ୍କର ମୃତ୍ୟୁ ଘଟିଥିଲା । ଏହାପରେ ଯୋଜନା ମୁତାବକ ପ୍ରମୋଦ ଓ ତାଙ୍କ ପତ୍ନୀ ଦୁଇ ଭଉଣୀଙ୍କ ମୃତଦେହକୁ କୂଅରେ ପକାଇଦେଇଥିଲେ । ପ୍ରମାଣ ନଷ୍ଟ କରିବାକୁ ବିଷ ବୋତଲ ସମେତ ଅନ୍ୟାନ୍ୟ ଜିନିଷଗୁଡ଼ିକୁ ନିକଟସ୍ଥ ଭଲିବଲ୍ କୋର୍ଟରେ ଫିଙ୍ଗି ଦେଇଥିଲେ । ଜେରା ପରେ ପୁଲିସ ଆଗରେ ଦୋଷ ସ୍ୱୀକାର କରିଛି ହତ୍ୟାକାରୀ ବାପା । ଆଉ ଆଉ କିଛି ବ୍ୟକ୍ତିଙ୍କ ସଂପୃକ୍ତି ସନ୍ଦେହରେ ପୁଲିସ୍ ଛାନଭିନ୍ ଜାରି ରଖିଛି ।