ପୁଲିସ୍ ଉପସ୍ଥିତିରେ ଶିଖ୍ ଯୁବକଙ୍କୁ ମାଡ଼ ଘଟଣା । ୨ ଜଣଙ୍କୁ ଗିରଫ କଲା କମିଶନରେଟ୍ ପୁଲିସ୍ । ଆହତ ପରବିନ୍ଦର କହିଲେ, ମୁଣ୍ଡରୁ ପଗଡ଼ି କାଢ଼ି ଦେଇଛନ୍ତି, ବଞ୍ଚିବାକୁ ଇଚ୍ଛା ହଉନି

301

କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରର ଛାତି ଉପରେ ପୁଲିସ ଉପସ୍ଥିତିରେ ଦାଦାଗିରି । ରାଜଧାନୀ ଲକ୍ଷ୍ମୀସାଗର ଅଂଚଳରୁ ଆସିଛି ଏଭଳି ଅଭାବନୀୟ ଖବର । ଜଣେ ବ୍ୟକ୍ତିଙ୍କୁ ପୋଲିସ ଉପସ୍ଥିତିରେ ୫ରୁ ୬ଜଣ ଦୁବୃର୍ତ୍ତ ମିଳିତ ଭାବେ ଆକ୍ରମଣ କରିଛନ୍ତି । ସେହି ସମୟର ସିସିଟିଭି ଭିଜୁଆଲ୍ ବି କ୍ୟାମେରାରେ କଏଦ ହୋଇଛି । ଦିନଦ୍ୱିପ୍ରହରରେ ପୁଲିସ ଉପସ୍ଥିତିରେ ଚାଲିଛି ଆକ୍ରମଣ । ପିସିଆର ଭ୍ୟାନ ପହଁଚିଛି,ପୁଲିସ ବି ଉପସ୍ଥିତ ଅଛି ହେଲେ ଅତି ବେପରୁଆ ଭାବେ ଜଣେ ବ୍ୟକ୍ତିଙ୍କୁ ମାଡ ମାରିଚାଳଇଛନ୍ତି କିଛି ଦୁବୃର୍ତ୍ତ । ଆକ୍ରମଣର ଶିକାର ହୋଇଥିବା ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ପରବିନ୍ଦର ପାଲ୍ ।

ପରବିନ୍ଦରଙ୍କ ଠାରୁ ୧୫ହଜାର ଟଙ୍କା ଏବଂ ଦାମି ଘଡି ଲୁଟ ହୋଇଥିବା ବି ଅଭିଯୋଗ ହୋଇଛି । ଏହି ଘଟଣା ଲକ୍ଷ୍ମୀସାଗର ସ୍ଥିତ ଭଗବାନ ଆପାର୍ଟମେଂଟ ସମ୍ମୁଖରେ ଘଟିଛି । ମିଳିଥିବା ସୂଚନା ଅନୁସାରେ ତିନିଜଣ ଯୁବକ ପ୍ରଥମେ ରାସ୍ତା ଅବରୋଧ କରିଥିଲେ । ଠିକ ଏତିକି ବେଳେ ପରବିନ୍ଦର ନିଜ ଝିଅକୁ ସ୍କୁଲରୁ ନେଇ ଆପାର୍ଟମେଂଟକୁ ଫେରୁଥିଲେ । ରାସ୍ତା ଅବରୋଧ କରିଥିବାରୁ ଏହି ଅସାମାଜିକ ଯୁବକଙ୍କ ସହ ତାଙ୍କର ପାଟିତୁଣ୍ଡ ହୋଇଥିଲା । ଦୁବୃର୍ତମାନେ ଅଶ୍ଲିଳ ଭାଷାରେ ଗାଳିଗୁଲଜ କରିବା ସହିତ ତାଙ୍କୁ ଧକ୍କା ମାରିଥିଲେ । ଭୟରେ ପରବିନ୍ଦର ସୋସାଇଟି ଭିତରକୁ ପଶି ପୋଲିସକୁ ଫୋନ କରିଥିଲେ ।

ପୋଲିସ ଆସି ପହଂଚିଥିଲା କିନ୍ତୁ ପୋଲିସ ଉପସ୍ଥିତିରେ ଏହି ଦୁବୃର୍ତମାନେ ତାଙ୍କୁ ଆକ୍ରମଣ କରିଚାଲିଥିଲେ । ତେବେ ଏହି ଘଟଣାରେ ପୁଲିସ୍ ଶଙ୍କର ରାଉତ ଏବଂ ଦୀପକ ମହାନ୍ତି ନାମକ ଦୁଇ ଜଣ ଦୁର୍ବୃତଙ୍କୁ ଗିରଫ କରିଛି । ତେବେ ବିଡ଼ମ୍ବନାର ବିଷୟ ହେଉଛି-ପରବିନ୍ଦରଙ୍କୁ ଆକ୍ରମଣ କଲା ବେଳେ ଏହି ଦୁର୍ବୃତ୍ତମାନେ ମୁଣ୍ଡରୁ ପଗଡ଼ି କାଢ଼ି ଦେଇଥିଲେ । ଯାହା ତାଙ୍କୁ ବେଶ ମର୍ମାହତ କରିଛି । ଏହା ତାଙ୍କ ବିଶ୍ୱାସ ଉପରେ ଆହାତ ପହଞ୍ଚାଇଥିବା କହିଛନ୍ତି ପରବିନ୍ଦର । କନକ ନ୍ୟୁଜ୍ର ମନୋରଂଜନ ମିଶ୍ର ଲାଇଭ୍ ସୋ’ରେ ଭାଗ ନେଇ ପରବିନ୍ଦର କହିଛନ୍ତି- ମୋ ମୁଣ୍ଡରୁ ପଗଡ଼ି ହଟିବା ପରେ ମୋତେ ବଞ୍ଚିବାକୁ ଇଚ୍ଛା ହେଉନାହିଁ ।