କଟକ ବଡ଼ ଡାକ୍ତରଖାନାରେ ଆରମ୍ଭ ହେଲା ଯୋଡ଼ାମୁଣ୍ଡ ଥିବା ଯାଆଁଳା ଶିଶୁଙ୍କ ଚିକିତ୍ସା : ଡାକ୍ତର କହିଲେ, ଅପରେସନ୍ ପାଇଁ କରାଯିବ ଉଦ୍ୟମ

24

କନକ ବ୍ୟୁରୋ : କଟକ ବଡ଼ ମେଡ଼ିକାଲରେ ପହଂଚିଛନ୍ତି କନ୍ଧମାଳ ଭୂୟାଁ କହଁରଙ୍କ ଜାଆଁଳା ଶିଶୁ । ସ୍ୱାସ୍ଥ୍ୟ ବିଭାଗର ତତ୍ତ୍ୱାବଧାନରେ ପହଂଚିବା ପରେ ଯୋଡ଼ା ମୁଣ୍ଡର ଚିକିତ୍ସା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ଆବଶ୍ୟକ ପଡ଼ିଲେ ଏହି ଦୁଇ ଶିଶୁଙ୍କୁ ରାଜ୍ୟ ବାହାରକୁ ନିଆଯାଇ ଚିକିତ୍ସା କରାଯିବ ବୋଲି ଏସସିବି ମେଡ଼ିକାଲ ପକ୍ଷରୁ ସୂଚନା ଦିଆଯାଇଛି । ଆଉ ଏନେଇ ଭୂୟାଁ କହଁର କହିଛନ୍ତି-ଦୁଇ ଶିଶୁର ଚିକିତ୍ସା ହେଲେ ଏହି ଉପକାର ସବୁ ଦିନ ମନେରହିବ ।

ଦୀର୍ଘ ଦୁଇ ବର୍ଷ ଧରି ଏ ହସ୍ପିଟାଲରୁ ସେ ହସ୍ପିଟାଲ ଯାଇ ନୟାନ୍ତ ହେବା ପରେ ଶେଷରେ କଟକ ବଡ଼ ମେଡ଼ିକାଲରେ ପହଂଚିଛନ୍ତି ଭୂୟାଁ କହଁରଙ୍କ ଦୁଇ ଶିଶୁ । ସ୍ୱାସ୍ଥ୍ୟ ବିଭାଗର ତତ୍ତ୍ୱାବଧାନରେ ଏହି ଦୁଇ ଶିଶୁଙ୍କ ଚିକିତ୍ସା ପାଇଁ ଏସସିବିକୁ ଅଣାଯାଇଛି । ଚିକିତ୍ସା ଜରିଆରେ ସୁରକ୍ଷିତ ଭାବେ ଯୋଡ଼ା ମୁଣ୍ଡକୁ ଅଲଗା କରିବା ପାଇଁ ନ୍ୟୁରୋଲୋଜି ବିଭାଗରେ ଭର୍ତ୍ତି କରାଯିବ । ଆଉ ଆବଶ୍ୟକ ପଡ଼ିଲେ ରାଜ୍ୟ ବାହାରକୁ ନିଆଯିବ ବୋଲି ଏସସିବି ପକ୍ଷରୁ ସୂଚନା ଦିଆଯାଇଛି ।

ଘରେ ପିଲାଟିଏ ଆସିବ, ଏହାକୁ ନେଇ କେତେ ଖୁସିଥିଲେ କନ୍ଧମାଳ ଜିଲ୍ଲା ମେଲୁପଡ଼ା ଗାଁର ଭୂୟାଁ କହଁର ଏବଂ ତାଙ୍କ ପତ୍ନୀ ପୁଷ୍ପାଞ୍ଜଳି କହଁର । ଦୁଇ ଦୁଇଟି ପିଲା ଜନ୍ମ ହେଲେ । କିନ୍ତୁ ଉଭୟଙ୍କ ମୁଣ୍ଡ ଯୋଡ଼ି ହୋଇଥିବା ଦେଖି ଭାଙ୍ଗି ପଡ଼ିଥିଲେ ମା-ବାପା । ଚିକିତ୍ସା ପାଇଁ ଦୀର୍ଘ ଦୁଇ ବର୍ଷ ଧରି ଅନବରତ ଉଦ୍ୟମ କରିଥିଲେ । ହେଲେ ବାଧକ ସାଜିଥିଲା ଅର୍ଥ । ଗଣମାଧ୍ୟମରେ ଏହି ଖବର ପ୍ରସାରିତ ହେବା ପରେ ଚିକିତ୍ସା ଖର୍ଚ୍ଚ ବହନ କରିବେ ବୋଲି ଘୋଷଣା କରିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ । ଆଉ ଶେଷରେ କଟକ ବଡ଼ ମେଡ଼ିକାଲରୁ ଫିଟିଛି ଯୋଡ଼ା ମୁଣ୍ଡରୁ ମୁକ୍ତିର ବାଟ ।