ଆଜିିଠୁ ସର୍ବଭାରତୀୟ ଟ୍ରକ ଧର୍ମଘଟ ! ସାରା ଦେଶରେ ଦୁଇଦିନ ଟ୍ରକ୍ ଚଳାଚଳ ବନ୍ଦ, ପେଟ୍ରୋଲ, ଡିଜେଲକୁ ଜିଏସଟି ଅନ୍ତର୍ଭୁକ୍ତ ଦାବିରେ ଆନ୍ଦୋଳନ

34

କନକ ବ୍ୟୁରୋ : ଆଜିଠୁ ସର୍ବଭାରତୀୟ ଟ୍ରକ ଧର୍ମଘଟ । ଏଇ କିଛି ସମୟ ପୂର୍ବରୁ ଅର୍ଥାତ ସକାଳ ୮ଟାରୁ ଏହି ଧର୍ମଘଟ ଆରମ୍ଭ ହୋଇଛି । ୩୬ ଘଂଟା ପାଇଁ ଏହି ଧର୍ମଘଟ ଡାକରା ଦିଆଯାଇଛି । ଫଳରେ ସାରା ଦେଶରେ ୩୬ ଘଂଟା ପାଇଁ ଟ୍ରକ୍ ଚଳାଚଳ ଓ ଦ୍ରବ୍ୟ ପରିବହନ ବନ୍ଦ ରହିବ । ପେଟ୍ରୋଲ ଓ ଡିଜେଲକୁ ଜିଏସଟି ଅନ୍ତର୍ଭୁକ୍ତ ଦାବିରେ ଏହି ଆନ୍ଦୋଳନ ଡାକରା ଦେଇଛି ସର୍ବଭାରତୀୟ ମୋଟର କଂଗ୍ରେସ । ତେବେ ଅଣ୍ଡା, ମାଛ, ଆଳୁ, ପିଆଜ ଓ କ୍ଷୀର ଭଳି ଶୀଘ୍ର ନଷ୍ଟ ହୋଇଯାଉଥିବା ଖାଦ୍ୟ ସାମଗ୍ରୀ ପରିବହନକୁ ଏଥିରୁ ବାଦ ଦିଆଯାଇଛି ।

କିନ୍ତୁ ପ୍ୟାକେଟରେ ଆସୁଥିବା ଖାଦ୍ୟ ସାମଗ୍ରୀ ଏବଂ ଅନ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ପରିବହନ ହୋଇପାରିବ ନାହିଁ । ଫଳରେ ଅମୁଲ, ମ୍ୟାଗି, ବିସ୍କୁଟ, ନେସଲେର ପ୍ରଡକ୍ଟ, ସବୁପ୍ରକାର ଖାଇବା ତେଲ ଓ ଲୁଣ ଆଦି ସାମଗ୍ରୀ ଦୁଇଦିନ ଧରି ଆସିପାରିବ ନାହିଁ । ଏହାଛଡା ଟିଭି, ଫ୍ରିଜ୍, ୱାସିଙ୍ଗମେସିନ୍, ଅଟୋମୋବାଇଲ ସ୍ପେୟାପାର୍ଟ୍ସ ମଧ୍ୟ ଆସିପାରିବ ନାହିଁ । ଏହି ଆନ୍ଦୋଳନରେ ରାଜ୍ୟର ଶତାଧିକ ଦ୍ରବ୍ୟ ଓ ପରିବହନ ସଂଘ ଯୋଗଦେବାକୁ ସହମତି ଦେଉଥିବାବେଳେ ଟ୍ରକ୍ ମାଲିକ ସଂଘ ଏଥିରେ ଯୋଗ ଦେବନାହିଁ ବୋଲି ସଂଘକୁ ଜଣାଇ ଦେଇଛି ।

ଏବେ ଆସନ୍ତୁ ଜାଣିବା ଏହି ୩୬ ଘଂଟିଆ ଆନ୍ଦୋଳନ କ’ଣ ପାଇଁ ଓ ରାଜ୍ୟରେ ଏହାର କି ପ୍ରଭାବ ପଡିବ ?

ଯଦିଓ ରାଜ୍ୟ ଟ୍ରକ ମାଲିକ ସଂଘ ଏଥିରେ ସାମିଲ ହେବ ନାହିଁ ବୋଲି କହିସାରିଛି । ତେଲ ଦରକୁ ଜିଏସଟି ଅନ୍ତର୍ଭୁକ୍ତ କରିବାକୁ ଏହି ଧର୍ମଘଟ ଡାକରା ଦିଆଯାଇଛି । ଧର୍ମଘଟ ଫଳରେ ବାହାରୁ ରାଜ୍ୟରୁ ମାଲ ପରିବହନ ହୋଇପାରିବ ନାହିଁ । କିନ୍ତୁ ରାଜ୍ୟରେ ପରିବହନ ସ୍ୱାଭାବିକ ରହିବ । ଶୀଘ୍ର ନଷ୍ଟ ହେଉଥିବା ସାମଗ୍ରୀକୁ ଯେଭଳି ଅଣ୍ଡା, ମାଛ, ଆଳୁ, ପିଆଜ ଓ କ୍ଷୀର ଭଳି ପଦାର୍ଥକୁ ଏଥିରୁ ବାଦ୍ ଦିଆଯାଇଛି । ତେବେ ପ୍ୟାକେଟ ଖାଦ୍ୟ ସାମଗ୍ରୀ ଓ ଅନ୍ୟ ବ୍ୟବହାର୍ଯ୍ୟ ଜିନିଷ ଉପରେ ଏହାର ପ୍ରଭାବ ପଡିପାରେ । ଧର୍ମଘଟ ଯୋଗୁଁ ରାଜ୍ୟ ପ୍ରମୁଖ ବ୍ୟବସାୟ ସ୍ଥଳ କଟକରେ ସେଭଳି ପ୍ରଭାବ ପଡିବା ସମ୍ଭାବନା ନାହିଁ । କଟକରେ ୯ଟି ସଂଘ ଅଧିନରେ ୨୦ ହଜାରରୁ ଅଧିକ ଟ୍ରକ ଚଳାଚଳ କରୁଛି । ଏମାନେ କେବଳ ଧର୍ମଘଟକୁ ନୈତିକ ସମର୍ଥନ ଦେବେ ।