କନକ ବ୍ୟୁରୋ : ନିର୍ଦ୍ଦିଷ୍ଟ ପତ୍ରପତ୍ରିକା ଦ୍ୱାରା ତଥାକଥିତ ‘ଅଗ୍ରଣୀ ଓଡ଼ିଶା’ର ଶ୍ରେଷ୍ଠ ଶାସକ ଭାବେ ବିବେଚିତ ହେଉଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜ୍ୟ କିନ୍ତୁ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଢେର ପଛୁଆ । ଜାତୀୟ ସ୍ତରରେ ଉଚ୍ଚ ଶିକ୍ଷାନୁଷ୍ଠାନରେ ନାମଲେଖା ହାର ୨୪.୫% ଥିବା ବେଳେ ଓଡ଼ିଶାରେ ତାହା ୧୯.୪% । ବହୁ ବର୍ଷ ଧରି ପ୍ରଚଳିତ ପାରମ୍ପରିକ ଉଚ୍ଚ ଶିକ୍ଷା ବ୍ୟବସ୍ଥାରେ କ୍ୱଚିତ ନିଯୁକ୍ତି ପ୍ରତିଶ୍ରୁତି ଥିବାରୁ ମେଧାବୀ ଛାତ୍ରଛାତ୍ରୀମାନେ ଏଥିପ୍ରତି ଆକୃଷ୍ଟ ନ ହେବା ମଧ୍ୟ ସ୍ୱାଭାବିକ । ତେବେ ବ୍ୟାପକ ସଂସ୍କାର ଜରିଆରେ ଉଚ୍ଚ ଶିକ୍ଷାରେ ଉତ୍କର୍ଷତା ହାସଲ ପାଇଁ ରାଜ୍ୟ ସରକାର ଇତିମଧ୍ୟରେ ଯେଉଁ ‘ଓଡ଼ିଶା ହାୟର୍ ଏଜୁକେଶନ୍ ପ୍ରୋଜେକ୍ଟ ଫର୍ ଏକ୍ସିଲାନ୍ସି ଆଣ୍ଡ ଇକ୍ୟୁଇଟି (ଓଏଚ୍ଇପିଇଇ) ଆରମ୍ଭ କରିଛନ୍ତି, ଆଗାମୀ ଦିନରେ ତାହା କଲେଜ ଓ ବିଶ୍ୱବିଦ୍ୟାଳୟ ଶିକ୍ଷାକୁ ଅଧିକ ମହଙ୍ଗା କରିବ ଓ ବିଦ୍ୟାର୍ଥୀଙ୍କ ମୁଣ୍ଡରେ ଋଣବୋଝ ଲଦି ଦେବ ବୋଲି ବୁଦ୍ଧିଜୀବୀ ଓ ଶିକ୍ଷାବିତମାନେ ଆଶଙ୍କା ବ୍ୟକ୍ତ କଲେଣି ।
ଉଚ୍ଚଶିକ୍ଷାର ବିକାଶ ଆଳରେ ଦେଶର ଅନ୍ୟ କୌଣସି ରାଜ୍ୟ ବିଶ୍ୱବ୍ୟାଙ୍କ ଋଣ କରୁନଥିବା ବେଳେ ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ସେହି ଋଣଯନ୍ତା ଆଡ଼କୁ ଅଗ୍ରସର ହୋଇଛି । କାରଣ ଭବିଷ୍ୟତରେ ଏହାର ସୁଧ ଓ ମୂଳ ପରିଶୋଧ ପାଇଁ ବିଦ୍ୟାର୍ଥୀଙ୍କ ମୁଣ୍ଡରେ ହିଁ ବୋଝ ପଡ଼ିବ । ଉଚ୍ଚ ଶିକ୍ଷା ବିଭାଗର ପ୍ରଶାସନିକ ମୁଖ୍ୟ ତଥା ଅତିରିକ୍ତ ମୁଖ୍ୟ ସଚିବ ଜିଭିଭି ଶର୍ମାଙ୍କ ଅଧ୍ୟକ୍ଷତାରେ ଗତ ସେପ୍ଟେମ୍ବର ୧୨ ତାରିଖରେ ଅନୁଷ୍ଠିତ ଓଏଚଇପିଇଇ ଷ୍ଟିୟରିଂ କମିଟି ବୈଠକରେ ଗୃହୀତ ନିଷ୍ପତ୍ତିରୁ ଉପରୋକ୍ତ ଆଶଙ୍କା ଘନୀଭୂତ ହୋଇଛି ।
/kanak/media/post_attachments/wp-content/uploads/2017/10/medical-final13820887431470640075-300x187.jpg)
/kanak/media/post_attachments/wp-content/uploads/2017/10/student-300x167.jpg)
ସୂଚନାଯୋଗ୍ୟ, ରାଜ୍ୟର ସରକାରୀ ଓ ଅନୁଦାନପ୍ରାପ୍ତ କଲେଜଗୁଡ଼ିକରେ ମଞ୍ଜୁରୀପ୍ରାପ୍ତ ଅଧ୍ୟାପକ ଓ ଶିକ୍ଷା କର୍ମଚାରୀଙ୍କ ପଦର ପ୍ରାୟ ୫୦% ଖାଲି ପଡ଼ିଛି । ବିଶ୍ୱ ବ୍ୟାଙ୍କ ଋଣ ସହାୟତାରେ ଯଦି ଅଧ୍ୟାପକ ପଦ ପୂରଣ ହୁଏ, ତେବେ ୩ରୁ ୪ ବର୍ଷ ମଧ୍ୟରେ ଅର୍ଦ୍ଧାଧିକ ଅଧ୍ୟାପକ ଓ ଶିକ୍ଷା କର୍ମଚାରୀଙ୍କ ଦରମା ବୋଝ ସିଧାସଳଖ ଛାତ୍ରଛାତ୍ରୀଙ୍କ ଉପରେ ପଡ଼ିବ ।