ବିରୋଧୀ ଶିବିରକୁ ଝଟକା : ୨୦୧୯ ନିର୍ବାଚନ ପରେ ବିଜେପି ସହ ମେଂଟ କରିପାରେ ତେଲେଙ୍ଗାନା ରାଷ୍ଟ୍ର ସମିତି

30

କନକ ବ୍ୟୁରୋ : କେନ୍ଦ୍ରରେ ମୋଦିଙ୍କୁ ହରାଇବା ଲାଗି ବିରୋଧୀ ଏକଜୁଟ ହେବା ଉଦ୍ୟମକୁ ବଡ ଝଟକା ଲାଗିଛି । ୨୦୧୯ ନିର୍ବାଚନ ପରେ ବିଜେପି ସହ ମେଂଟ କରିବା ପାଇଁ ଇଚ୍ଛା ପ୍ରକାଶ କରିଛି ତେଲେଙ୍ଗାନାରେ କ୍ଷମତାସୀନ ଥିବା ତେଲେଙ୍ଗାନା ରାଷ୍ଟ୍ର ସମିତି । ମିଳିଥିବା ଖବର ଅନୁସାରେ, ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ଭେଟିବା ସମୟରେ ଏ ନେଇ ଆଲୋଚନା ହୋଇଛି । ଆଲୋଚନା ସମୟରେ ଚନ୍ଦ୍ରଶେଖର ରାଓ କହିଛନ୍ତି, ନିର୍ବାଚନ ପୂର୍ବରୁ ବିଜେପି ସହିତ ବୁଝାମଣା ଠିକ ନିଷ୍ପତ୍ତି ହୋଇନପାରେ । ତେଣୁ ନିର୍ବାଚନ ପରେ ଏହି ବୁଝାମଣା ସମ୍ଭବ ।

ନିକଟରେ ଲୋକସଭାରେ ଅନାସ୍ଥା ପ୍ରସ୍ତାବ ସମୟରେ ଭୋଟଗ୍ରହଣ ବେଳେ ଟିଆରଏସ ଅନୁପସ୍ଥିତ ଥିଲା । ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏନଡିଏରୁ ଓହରିଯାଇଥିବା ବେଳେ ଟିଆରଏସର ଏହି ଆଭିମୁଖ୍ୟକୁ ରାଜନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । ଗତ ଜୁନ ମାସରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ ଚନ୍ଦ୍ରଶେଖର ରାଓ । ଏହାର କିଛି ଦିନ ମଧ୍ୟରେ ପୁଣି ଉଭୟଙ୍କ ଭେଟଘାଟ ବିଜେପି-ଟିଆରଏସ ମଧ୍ୟରେ ବଢୁଥିବା ବନ୍ଧୁତ୍ୱକୁ ଦର୍ଶାଉଛି ବୋଲି ଆଲୋଚନା ହେଉଛି । ମମତା ବାନାର୍ଜୀଙ୍କ ବିରୋଧୀ ମେଂଟରେ ସାମିଲ ହେବା ପାଇଁ ଇଚ୍ଛାପ୍ରକାଶ କରିଥିଲେ ଚନ୍ଦ୍ରଶେଖର ରାଓ । କିନ୍ତୁ କଂଗ୍ରେସ ଏହାର ନେତୃତ୍ୱାଧୀନ ନେବ ବୋଲି ଆଲୋଚନା ଆରମ୍ଭ ହେବା ପରେ ଟିଆରଏସ ଏଥିରୁ ଓହରିଯାଇଛି ।