ସ୍ମାର୍ଟସିଟିର ବଡ ମଲ୍ ଆଗରେ ବଡ ଟ୍ରାଫିକ୍ ସମସ୍ୟା ! ସନ୍ଧ୍ୟା ହେଲେ ବଢୁଛି ଭିଡ, ଆଖି ବୁଜିଦେଇଛି ପ୍ରଶାସନ, ନାକେଦମ୍ ହେଉଛନ୍ତି ଲୋକେ ।

390

କନକ ବ୍ୟୁରୋ : ଭୁବନେଶ୍ୱର ରସୁଲଗଡ଼ ଛକରେ ବର୍ଷେ ହେଲା ଖୋଲିଛି ରାଜ୍ୟର ସବୁଠାରୁ ବଡ଼ ସପିଂ ମଲ୍ ଏସପ୍ଲାନେଡ୍ ୱାନ୍ । ଏହି ମଲରେ ରହିିଛି ଶହ ଶହ ଦୋକାନ ଓ ୭ଟି ସିନେମା ହଲ୍ । ପ୍ରତିଦିନ ସନ୍ଧ୍ୟାରେ ଏଠାରେ ଲାଗୁଛି ହଜାର ହଜାର ଲୋକଙ୍କ ଭିଡ଼ । ହେଲେ ମଲ୍ ସାମ୍ନାରେ ଟ୍ରାଫିକ୍ ବ୍ୟବସ୍ଥା ନିଦ ହଜାଇଦେଇଛି । ଖାଲି ସେତିକି ନୁହେଁ, ଏସପ୍ଲାନେଡ୍ ୱାନ୍ କଡ଼କୁ ଲାଗି ରହିିଥିବା ସର୍ଭିସ୍ ରୋଡର ଅବସ୍ଥା ବିପଦସଙ୍କୁଳ ହୋଇପଡ଼ିଥିବା ବେଳେ ପ୍ରଶାସନ ଯେମିତି ଆଖି ବୁଜି ଦେଇଛି ।

ରାଜ୍ୟର ସବୁଠାରୁ ବଡ ସପିଂ ମଲ୍ । ସ୍ମାର୍ଟ ସିଟିର ସ୍ମାର୍ଟ ମଲ୍ । ରାଜଧାନୀର ସେଂଟର ଅଫ୍ ଆଟ୍ରାକ୍ସନ । ଭିତରେ ଭଳିକି ଭଳି ବ୍ରାଣ୍ଡର ସୋରୁମ୍ । ତାସହ ମଲ୍ଟିପ୍ଲେକ୍ସ । ଯେଉଁଠି ରହିଛି ୭ଟି ସ୍କ୍ରିନର ସିନେପୋଲିସ । ଦିନ ତମାମ ହଜାର ହଜାର ଲୋକଙ୍କ ଭିଡ ଜମେ ରାଜଧାନୀର ଏହି ସପିଂ ମଲରେ । ଆଉ ସନ୍ଧ୍ୟା ହେଲେ ଭିଡ, ନିୟନ୍ତ୍ରଣ ବାହାରେ ।

ରାଜଧାନୀର ରସୁଲଗଡ ଛକ ନିକଟରେ ଥିବା ଏହି ମଲ୍ ସାମ୍ନା ରାସ୍ତା ସିଧାସଳଖ ଜାତୀୟ ରାଜପଥକୁ ଯୋଡୁଛି । ପୁରୀରୁ କଟକକୁ ଏକମାତ୍ର ମୁଖ୍ୟ ରାସ୍ତା । ଯେଉଁ ରାସ୍ତାରେ ଯାଆସ କରୁଛି ହଜାର ହଜାର ଗାଡି ମୋଟର ଆଉ ଲକ୍ଷାଧିକ ଲୋକ । ସପିଂ ମଲର ପ୍ରବେଶ ପଥ ବେଶ୍ ଚକଚକ୍ । ହେଲେ ସପିଂ ମଲ ପାର୍କିଂରୁ ମୁଖ୍ୟ ରାସ୍ତା ଅବସ୍ଥା ନକହିଲେ ଭଲ । ରାସ୍ତା ସାରା ଖାଲଖମାରେ ଭର୍ତି । ରସୁଲଗଡ ଶିଳ୍ପାଂଚଳ ଭିତରେ ଥିବା ଶିଳ୍ପ ସଂସ୍ଥାରୁ ପ୍ରତିଦିନ ଶହ ଶହ ଗାଡି ଏହି ରାସ୍ତା ଦେଇ ଯାଆସ କରେ । ଆଉ ଏଭଳି ଭିଡ ଭିତରେ ସପିଂ ମଲ୍ ହେବା ପରେ ଅଧିକ ଶୋଚନୀୟ ହୋଇପଡିଛି ଏହି ରାସ୍ତା ।

ବର୍ଷେ ହେଲାଣି ମଲ୍ ଖୋଲିସାରିଲାଣି । ମଲକୁ ସାରା ରାଜ୍ୟରୁ ହଜାର ହଜାର ଲୋକ ଆସନ୍ତି । ବସ୍ତି ବାସିନ୍ଦାଙ୍କଠାରୁ ଆରମ୍ଭ କରି ବଡ ବଡ ନେତା ଆଉ ପ୍ରଶାସନିକ ଅଧିକାରୀ । ସପିଂ କରନ୍ତି, ଫିଲ୍ମ ଦେଖନ୍ତି । ଆଉ ଏଥିପାଇଁ ବର୍ଷକୁ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ପାଉଛନ୍ତି ସରକାର । ହେଲେ ଟ୍ରାଫିକ୍ ଆଉ ରାସ୍ତା ଅବସ୍ଥା ପ୍ରତି ଯେମିତି ଆଖି ବୁଜି ଦେଇଛି ପ୍ରଶାସନ । ଗୋଟିଏ ପଟେ ମୁଖ୍ୟ ରାସ୍ତାରେ ଟ୍ରାଫିକ୍ ସମସ୍ୟା ଦିନକୁ ଦିନ ଉତ୍କଟ ହେଉଥିବା ବେଳେ ରାସ୍ତା ଉପରେ ପାର୍କିଂ ଏବଂ ଖୋଲିଥିବା ଛୋଟୋ ଛୋଟ ଦୋକାନ, ଭିଡକୁ ଆହୁରି ବଢାଇଦେଇଛି । ସନ୍ଧ୍ୟା ୭ଟା ହେଲେ ଏସପ୍ଲାନେଡ୍ ମଲ୍ ରାସ୍ତାରେ ନାହିଁନଥିବା ଭିଡ ଉପୁଜୁଛି । ତେବେ ଆଗକୁ ଟ୍ରାଫିକ୍ ନିୟନ୍ତ୍ରଣ ଦିଗରେ ପ୍ରଶାସନ କେଉଁ ପଦକ୍ଷେପ ନେଉଛି ତାହା ଦେଖିବାକୁ ରହିଲା ।