ସ୍ୱାମୀ ସରକାରର ଶେଷ କଥା! ମୁଁ ରାଜନୀତିକୁ ଆସିବାକୁ ଚାହୁଁନଥିଲି,ଏବେ ଖୁସିରେ ଇସ୍ତଫା ଦେବି ।

434

କର୍ଣ୍ଣାଟକ ନାଟକରେ ଆଜି ପଡିପାରେ ପୂର୍ଣ୍ଣଚ୍ଛେଦ । ସମୟ ଯେତିକି ବଢୁଛି, କର୍ଣ୍ଣାଟକ ନାଟକ ସେତିକି ରୋଚକ ହେବାରେ ଲାଗିଛି । ଏପରିକି ଆଜି ଆସ୍ଥା ଭୋଟ ହେବା ନେଇ ସମ୍ଭାବନା ସୃଷ୍ଟି ହୋଇଛି । ଆଉ ଯଦି ଆସ୍ଥା ଭୋଟ ହୁଏ ତେବେ ଭାଙ୍ଗି ଯାଇପାରେ କୁମାରସ୍ୱାମୀ ସରକାର । ଆଉ ଏସବୁ ଭିତରେ କୁମାରସ୍ୱାମୀ ନିଜର ଅଭିଭାଷଣରେ କହିଛନ୍ତି, ମୁଁ ଖୁସିରେ ଖୁସିରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରିବି । ୨୦୦୪ ଭଳି ଏବେ ମଧ୍ୟ କୌଣସି ଦଳ ପାଖରେ ବହୁମତ ନାହିଁ । କିନ୍ତୁ ଏହି ସରକାରକୁ ବଞ୍ଚାଇବାକୁ ମୁଁ ବହୁତ ପ୍ରୟାସ କରିଛି ବୋଲି କହିଛନ୍ତି କୁମାରସ୍ୱାମୀ ।

କୁମାରସ୍ୱାମୀ ନିଜ ଅଭିଭାଷଣରେ କହିଛନ୍ତି, ମୁଁ ରାଜନୀତିରେ ଆସିବାକୁ ଚାହୁଁନଥିଲି । ଏପରିକି ମୋ ପତ୍ନୀ ମଧ୍ୟ କୌଣସି ରାଜନେତାଙ୍କୁ ବିବାହ କରିବାକୁ ଚାହୁଁନଥିଲେ । କିନ୍ତୁ ସମୟ ଚକ୍ରରେ ସଂଯୋଗବଶତଃ ମୁଁ ରାଜନୀତିକୁ ଆସିଥିବା ବେଳେ ମୋ ପତ୍ନୀ ମଧ୍ୟ ଏବେ ବିଧାୟିକା ରହିଛନ୍ତି । ରାଜନୀତିକୁ ଆସିବା ପୂର୍ବରୁ ଫିଲ୍ମରେ ପ୍ରଡ୍ୟୁସର ଭାବେ କାମ କରୁଥିଲି । କିନ୍ତୁ କେବେ ଭାବିନଥିଲି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହେବି ବୋଲି । ଆଉ ଏଥିପାଇଁ କର୍ଣ୍ଣାଟକବାସୀଙ୍କୁ ଧନ୍ୟବାଦ ଦେବା ସହ କ୍ଷମାପ୍ରାର୍ଥନା କରିଛନ୍ତି କୁମାରସ୍ୱାମୀ ।

କୁମାରସ୍ୱାମୀ ଗୃହରେ ଅଭିଭାଷଣ ଆରମ୍ଭ କରିବା ପୂର୍ବରୁ ଆଜି ବାଙ୍ଗାଲୋରରେ ୧୪୪ ଧାରା ଲାଗୁ କରାଯାଇଛି । ଆଜି ଓ ଆସନ୍ତାକାଲି ୨ ଦିନ ପାଇଁ ବାଙ୍ଗାଲୋରରେ ୧୪୪ ଧାରା ଲାଗୁ ରହିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଏହି ସମୟ ମଧ୍ୟରେ ସହରରେ ସମସ୍ତ ମଦ ଦୋକାନ, ବାର ବନ୍ଦ ରହିବ । ଯଦି କେହି ଏହି ନିୟମର ଉଲ୍ଲଘଂନ କରେ ତେବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ତେବେ କୁମାରସ୍ୱାମୀଙ୍କ ଅଭିଭାଷଣ ପରେ ଫ୍ଲୋର ଟେଷ୍ଟ କରାଯିବ । ଆଉ ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି କୁମାରସ୍ୱାମୀ ।