ରଙ୍ଗୀନ ଆଲୁଅରେ ଝଲସୁଛି ଜନତା ମଇଦାନ ! ୩ ଦିନରେ କୋଟିଏରୁ ଅଧିକ ଟଙ୍କାର ବେପାର

171

କନକ ବ୍ୟୁରୋ : ଜନତା ମଇଦାନଠାରେ ଚାଲିଥିବା ତୋଷାଳି ମେଳାରେ ଦିନକୁ ଦିନ ଗ୍ରାହକଙ୍କ ଆଗମନ ବୃଦ୍ଧି ପାଉଛି ।  ଗତ ବର୍ଷ ତୋଷାଳି ମେଳାରେ ୨୦ କୋଟି ଟଙ୍କାରୁ ଅଧିକ ବେପାର ହୋଇଥିବା ବେଳେ ଚଳିତ ବର୍ଷ ୩ ଦିନରେ ୧ କୋଟି ୭୫ ଲକ୍ଷ ଟଙ୍କାର ବ୍ୟବସାୟ ହୋଇଥିବା ସୂଚନା ମିଳିଛି  ।

ନୃତ୍ୟରେ ଜଙ୍ଗଲ ସଂରକ୍ଷଣ ଓ ପଶୁ ସୁରକ୍ଷା ବାର୍ତ୍ତା

ନୃତ୍ୟ କହୁଥିଲା ଜଙ୍ଗଲ ସଂରକ୍ଷଣ ଓ ପଶୁ ସୁରକ୍ଷା କଥା । ମଞ୍ଚରେ ଥିଲେ ବାଘ, ଷଣ୍ଢ, ମୟୂର ଓ ହରିଣ ମୁଖା ପିନ୍ଧା ପଶୁ । ନାଚିବା ସହିତ ମଣିଷକୁ ଜଙ୍ଗଲ ଓ ପଶୁଙ୍କ ଆବଶ୍ୟକତା ସମ୍ପର୍କରେ ବୁଝାଉଥିଲେ । ବରଗଡ଼ର କଳାଜୀବ ଗ୍ରୁପ୍‌ ପକ୍ଷରୁ ଏହି ପାରମ୍ପରିକ ‘ପଶୁମୁଖା ନୃତ୍ୟ’ ଦର୍ଶକଙ୍କ ମନୋରଂଜନ କରୁଥିଲା । ଏହାପରେ ଗଞ୍ଜାମର ଏକ ନାଟ୍ୟ ଦଳ ପକ୍ଷରୁ ପ୍ରହ୍ଲାଦ ନାଟକ ପରିବେଷିତ ହୋଇଥିଲା । କାର୍ଯ୍ୟକ୍ରମରେ ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଷିଶ ପାଣିଗ୍ରାହୀ ଏବଂ ହସ୍ତତନ୍ତ, ହସ୍ତଶିଳ୍ପ ଓ ବୟନ ଶିଳ୍ପ ବିଭାଗୀୟ ସଚିବ ଶୁଭା ଶର୍ମା ଅତିଥି ଭାବେ ଯୋଗ ଦେଇଥିଲେ ।

ଆକର୍ଷିତ କରୁଛି କାଇଁଚ ଫୁଲ ତିଆରି ସାମଗ୍ରୀ

 

ତନ୍ତୁକୃତି ମଧ୍ୟକୁ ପଶୁ ପଶୁ ଦେଖିବାକୁ ମିଳିବ କାଇଁଚ ଫୁଲର ଡେମ୍ଫରେ ତିଆରି ସୁନ୍ଦର ସୁନ୍ଦର ଘରସଜ୍ଜା ସାମଗ୍ରୀ । ଦର୍ପଣଠାରୁ ଆରମ୍ଭ କରି ଟ୍ରେ, ଟି କଷ୍ଟର, ଅଳଙ୍କାର ବାକ୍ସ, ଲ୍ୟାମ୍ପ ସେଟ୍‌, ହ୍ୟାଙ୍ଗିଙ୍ଗ୍‌ ଲ୍ୟାମ୍ପ, ବେଡ୍‌ ଲାଇଟ ତା’ ସହ ଅନ୍ୟାନ୍ୟ ଘରସଜ୍ଜା ସାମଗ୍ରୀ । ଟି କଷ୍ଟର୍‌ର ଦାମ୍‌ ୮୦ ରୁ ୧୦୦ ଟଙ୍କା ପର‌୍ୟ୍ୟନ୍ତ ରହିଥିବା ବେଳେ ଦ‌ର୍ପଣ ‌ଛୋଟକୁ ୬୦୦ ଟଙ୍କା ଓ ବଡ଼ ୨୦୦୦ ଟଙ୍କା ରହିଛି । ବର୍ଷା ଋତୁରେ ହେଉଥିବା କାଇଁଚ ଗଛର ଫୁଲ ପାଚିଲେ ଏହାର ପାକଳ ଡେମ୍ଫକୁ ଆଣି ଅଖା ଘୋଡ଼ାଇ ସଂରକ୍ଷଣ କରି ରଖାଯାଏ । ତେବେ ଯାଇ ଏହାର ଧଳା ରଙ୍ଗ ଆସେ ।
ଠିକ୍‌ ଭାବେ ସଂରକ୍ଷଣ ନ ହେଲେ ଏହା କଳା ବା ଖତରା ହୋଇଯିବାର ଆଶଙ୍କା ଥାଏ । ଏହି ଧଳା ଡେମ୍ଫରୁ ଏସବୁ କଳାକୃତି ପ୍ରସ୍ତୁତ ହୁଏ ବୋଲି କହିଛନ୍ତି ଗୋପରୁ ଆସିଥିବା ବିଳାସିନୀ ମହାରଣା । ୨୦୦୬ରୁ କୋଲକାତାରୁ ଆସିଥିବା ଜଣେ ଡିଜାଇନର୍‌ଙ୍କ ତାଲିମ୍‌ କାର‌୍ୟ୍ୟକ୍ରମରୁ ସେ ଏହା ଶିଖିଥିବା କହିଛନ୍ତି । ଗୋପରେ ୩୦ଜଣ ମହିଳାଙ୍କୁ ନେଇ ଗଠିତ ମହିଳା ସ୍ବୟଂ ସହାୟକ ସଂଘରେ ଏହି କାଇଁଚ କଳାକୃତି ପ୍ରସ୍ତୁତ ହେଉଛି । ଏଥିସହ ନଡ଼ିଆ କତାରେ ତିଆରି ବାଇଚଡ଼େଇ ବସା, ଘର, ଭଗବାନଙ୍କ ପ୍ରତିମୂର୍ତ୍ତି ଓ ବିଭିନ୍ନ ଘରସଜ୍ଜା ସାମଗ୍ରୀର ଚାହିଦା ମଧ୍ୟ ରହିଥିବା ସେ କହିଛନ୍ତି ।

 

କିଡ୍ ଜୋନ୍‌ରେ ପିଲାଙ୍କ ମସ୍ତି
ୱାଟର ବୋଟ୍‌ଠାରୁ ଆରମ୍ଭ କରି ଜମ୍ପ୍‌ ଗେମ୍‌, ଦୋଳିଠାରୁ ଆରମ୍ଭ କରି ଖସଡ଼ା ଖେଳ। ଛୋଟ ପିଲାଙ୍କୁ ତୁଷ୍ଟ କରିବାକୁ ତୋଷାଳି ନେଇ ଆସିଛି କ୍ରୀଡ଼ା ପସରା । ବୋଟିଂ ମଜା ନେବାକୁ ତିଆରି ହୋଇଥିବା କୃତ୍ରିମ ପୋଖରୀ ପିଲାମା‌ନଙ୍କୁ ଟାଣୁଛି । ୩ ମିନିଟ୍‌ ପାଇଁ ବୋଟିଂର ମଜା ନେବାକୁ ଟିକେଟ୍‌ର ମୂଲ୍ୟ ୧୦ ଟଙ୍କା ରହିଛି । ଅନ୍ୟପଟେ ଜମ୍ପ ଗେମ୍‌ର କ୍ରେଜ୍‌ ବି କିଛି କମ୍‌ ନଥିଲା । ୫ ମିନିଟ୍‌ ଡେଇଁବା ପାଇଁ ୧୦ ଟଙ୍କାର ଟିକେଟ ରଖାଯାଇଛି । ସେହିପରି ସେଲ୍‌ଫି ଜୋନ୍‌ରେ ପାରମ୍ପରିକ ବୋଇତ, ଶଗଡ଼, ସମ୍ବଲପୁରୀ ଶାଢ଼ିରେ ସଜ୍ଜିତ ଥିମ୍‌ ପ୍ୟାଭିଲିୟନ୍‌ ଆଦି ସମ୍ମୁଖରେ ସେଲ୍‌ଫି ନେବାକୁ ଯୁବପିଢ଼ିଙ୍କ ଭିଡ଼ ଜମୁଛି ।