ଆସନ୍ତା କାଲି ଓଡିଶା ଗସ୍ତରେ ଆସିବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର : ନବୀନ ନିବାସରେ ରହିବେ, ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ

ଆସନ୍ତା କାଲି ଓଡିଶା ଗସ୍ତରେ ଆସିବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ

200

କନକ ବ୍ୟୁରୋ : ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ସପରିବାର ଆସନ୍ତା କାଲିଠାରୁ ଆନ୍ଧ୍ର, ଓଡିଶା, ପଶ୍ଚିମବଙ୍ଗ ଓ ନୂଆଦିଲ୍ଲୀ ଗସ୍ତ କରୁଛନ୍ତି। ସେହିଦିନ ବିଶାଖାପାଟଣାରେ ପହଞ୍ଚିବା ପରେ ସେଠାରେ କିଛି ପୂଜାର୍ଚନା କରି ସ୍ୱାମୀ ସ୍ୱରୂପା ନନ୍ଦଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ପରେ ସେ ଭୁବନେଶ୍ୱର ଆସି ସନ୍ଧ୍ୟା ୬ଟାରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

ମିଳିଥିବା ସୂଚନା ମୁତାବକ, ଶ୍ରୀ ରାଓ ସେଦିନ ନବୀନ ନିବାସରେ ରାତ୍ରିଯାପନ କରିବେ। ପୂର୍ବରୁ କେହି ନେତା ରାଜନୈତିକ କାର୍ଯ୍ୟକ୍ରମରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ ନବୀନ ନିବାସରେ ରାତ୍ରିଯାପନ କରିନାହାନ୍ତି। କିଛି ନେତାଙ୍କୁ ନବୀନ ମଧ୍ୟାହ୍ନ ଭୋଜନ ଓ ରାତ୍ରୀ ଭୋଜନରେ କେବଳ ଆପ୍ୟାୟିତ କରିଥିବା ନଜିର ରହିଛି। ଏହି ସୂଚନା ଅନୁସାରେ, ୨୪ ତାରିଖ ଦିନ କେସିଆର ପୁରୀ ଓ କୋଣାର୍କ ପରିଦର୍ଶନ କରିବା ପରେ ଭୁବନେଶ୍ୱର ଫେରିଆସିବେ ଏବଂ ଏଠାରେ ମଧ୍ୟାହ୍ନ ଭୋଜନ କରିବେ। ସେହିଦିନ ସନ୍ଧ୍ୟାରେ ସେ ବିମାନ ଯୋଗେ କୋଲକାତା ଯିବେ। ତେବେ ନବୀନ ନିବାସ କିମ୍ବା ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଏ ନେଇ କୌଣସି ସୂଚନା ଦିଆଯାଇନାହିଁ।

 

ମିଳିଥିବା ସୂଚନା ଅନୁସାରେ, ସେହିଦିନ ଅପରାହ୍ନ ୪ଟା ବେଳେ ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ସେ ସପରିବାର କାଳୀମନ୍ଦିର ପରିଦର୍ଶନ କରିବେ ଓ ସେହିଦିନ ନୂଆଦିଲ୍ଲୀ ଫେରିଯିବେ।
ଡିସେମ୍ବର ୨୫ତାରିଖରୁ ଦୁଇ ତିନି ଦିନ ପାଇଁ ନୂଆଦିଲ୍ଲୀରେ ସେ ଅବସ୍ଥାନ କରିବେ। ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ , ବିଏସପି ନେତ୍ରୀ ମାୟାବତୀ, ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଏବଂ ଅନ୍ୟାନ୍ୟ କେନ୍ଦ୍ରମନ୍ତ୍ରୀ ମାନଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି।

 

 ଜାତୀୟ ରାଜନୀତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ମହାଗଠବନ୍ଧନ ପ୍ରସ୍ତୁତି ଜାରି ରହିଥିବା ବେଳେ କେସିଆରଙ୍କ ଏହି କାର୍ଯ୍ୟକ୍ରମ ରାଜନୈତିକ ମହଲକୁ ଚର୍ଚ୍ଚା ପାଇଁ ଖୋରାକ ଯୋଗାଇଛି। ଜାତୀୟ ରାଜନୀତିରେ ମଧ୍ୟ ଏହା ଉପରେ ବିତର୍କ ଆରମ୍ଭ ହୋଇଗଲେଣି। କାହିଁକି ହଠାତ୍ କେସିଆର୍ ଏଭଳି ପଦକ୍ଷେପ ନେଉଛନ୍ତି, ସେ ନେଇ କେହି ଠୋସ ଆକଳନ କରିପାରିନାହାନ୍ତି।