ରାତି ପାହିଲେ ଗଣେଷ ଚତୁର୍ଥୀ ! ଜ୍ଞାନଦାତାଙ୍କ ପୂଜାର୍ଚ୍ଚନା ପାଇଁ ଚାଲିଛି ବ୍ୟାପକ ପ୍ରସ୍ତୁତି

151

କନକ ବ୍ୟୁରୋ : ରାତି ପାହିଲେ ଗଣେଷ ଚତୁର୍ଥୀ । ଧାରାବତଣ କରିବେ ବିଘ୍ନନାଶକ । ଚଳଚଂଚଳ ପୁର ପଲ୍ଲୀ । ଶ୍ରୀକ୍ଷେତ୍ରରେ ଗଣେଶ ଉତ୍ସବ ନିଆରା ଢଙ୍ଗରେ ପାଳନ କରାଯାଏ । ଶ୍ରୀକ୍ଷେତ୍ରର ଆରାଧ୍ୟ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ମନ୍ଦିର ପରମ୍ପରା ଅନୁଯାୟୀ ବିଭିନ୍ନ ପୂଜା ମଣ୍ଡପ ଓ ସାତସାହି ଆଖ଼ଡା ମାନଙ୍କରେ ପାରମ୍ପରିକ ଶୈଳୀରେ ନିର୍ମାଣ ହେଉଛି ଗଜାନନଙ୍କ ମୂର୍ତ୍ତି । ଶ୍ରୀମନ୍ଦିରର ରୁପକାର ସେବାୟତଙ୍କ ଦ୍ୱାରା ମୂର୍ତ୍ତି ନିର୍ମାଣ କରାଯାଉଥିବା ବେଳେ ମନ୍ଦିର ଭିତରେ ଥିବା ବଟଗଣେଶ, ନାଟ ଗଣେଶ ଓ କାଂଚି ଗଣେଶଙ୍କ ଶୈଳୀରେ ଚାଲିଛି ମୂର୍ତ୍ତି ନିର୍ମାଣ । ଆଉ ଶ୍ରୀମନ୍ଦିରରେ ଗଣେଶ ଚତୁର୍ଥୀ ଦିନ ବଟ ଗଣେଶଙ୍କ ପୂଜା ନୀତି ବେଳେ ସହରର ପୁଜା ମଣ୍ଡପ ମାନଙ୍କରେ ସେହି ବିଧିଅନୁସାରେ ପୂଜାର୍ଚ୍ଚନା କରାଯାଇଥାଏ ବୋଲି କହିଛନ୍ତି ଜଗନ୍ନାଥ ଗବେଷକମାନେ ।

ସେପଟେ ଭଦ୍ରକରେ ମଧ୍ୟ ବିଘ୍ନନାଶକଙ୍କ ପୂଜା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି । ଗାଁ ଗହଳିରେ ଗଣପତି ବାବାଙ୍କ ପୂଜାର୍ଚ୍ଚନା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଉଛି । ଭାଇଚାରା ସହରର ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଇବେ ବୁଢା ଗଣେଶ, ଟୋକା ଗଣେଶ ଓ ପିଲା ଗଣେଶ । ସୁନ୍ଦର ମୂର୍ତ୍ତି ସାଙ୍ଗକୁ ସାଜସଜାକୁ ନେଇ ଏକ ପ୍ରକାର ପ୍ରତିଦ୍ୱନ୍ଦିତା ଚାଲିଛି । ପୂଜାକୁ ଆକର୍ଷଣୀୟ କରିବା ପାଇଁ ପୂଜାକମିଟି ଲାଗିଥିବା ବେଳେ ସାଂପ୍ରତିକ ହିଂସା ପରେ ଚଳଚଂଚଳ ହୋଇପଡିଥିବା ସହରରେ ସୁରକ୍ଷା ଉପରେ କଡା ନଜର ରଖିଛି ପୁଲିସ ।

ମାଓପ୍ରବଣ କୋରାପୁଟରେ ମଧ୍ୟ ଗଣେଶ ପୂଜା ପାଇଁ ଧୂମ୍ । ବିଭିନ୍ନ ଅନୁଷ୍ଠାନ ଓ ସଂଘ ପକ୍ଷରୁ ବିଘ୍ନରାଜଙ୍କ ପୂଜାର୍ଚ୍ଚନା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି । ସହର ଠାରୁ ଗାଁ ପର୍ଯ୍ୟନ୍ତ ସବୁଠି ମୃଣ୍ମୟ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର । ଏଥରର ମୁଖ୍ୟ ଆକର୍ଷଣ ହେବ କୋରାପୁଟରେ ଆୟୋଜିତ ଷୋଢ଼ଶ ଗଣେଶ ପୂଜା, ଯେଉଁଠାରେ ୨୧ ଦିନ ଧରି ଚାଲିବ ହୋମଯଜ୍ଞ । ପୂଜା ସମୟରେ ଜିଲ୍ଳାରେ ସ୍ୱଚ୍ଛତା ଉପରେ ଅଗ୍ରାଧିକାର ଦିଆଯାଇଛି । ଭସାଣୀ, ସ୍ୱଚ୍ଛତା, ଓ ଶୃଙ୍କଳାକୁ ଦୃଷ୍ଟିରେ ରଖି ପ୍ରଶାସନ, କଡା ପଦକ୍ଷେପ ନେଇଛି ।