ଚୀନକୁ ଜଳପଥରେ ଘେରିବା ପାଇଁ ଭାରତ ଆରମ୍ଭ କରିବ ମିଶନ ‘ସମ୍ବନ୍ଧ’ ! ୧୦ରୁ ଉର୍ଦ୍ଧ୍ୱ ଦେଶଙ୍କୁ ସାମିଲ କରିବାକୁ ଲକ୍ଷ୍ୟ

26

କନକ ବ୍ୟୁରୋ : ଡୋକଲାମ ବିବାଦ ଥମିବାର ନାଁ ନେଉନଥିବା ବେଳେ ଚୀନ୍ ପ୍ରତିଦିନ ସୀମାରେ ଦାଦାଗିରି ଦେଖାଉଛି । ଏପରିକି ବାରମ୍ବାର ଭାରତକୁ ଯୁଦ୍ଧ ଧମକ ଦେଉଛି । ତେବେ ଏସବୁ ଭିତରେ ଚୀନକୁ ଘେରିବା ପାଇଁ ଭାରତ ଆରମ୍ଭ କରିଛି ସମରସଜ୍ଜା । ଭାରତ ମହାସାଗରରେ ଚୀନର ଆଧିପତ୍ୟକୁ ହ୍ରାସ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଛି ଭାରତୀୟ ନୌସେନା । ଶାନ୍ତି ଉପାୟରେ ଭାରତ ମହାସାଗରରେ ଧୀରେ ଧୀରେ ଶକ୍ତି ବୃଦ୍ଧି କରୁଛି ଭାରତୀୟ ନୌସେନା ।

ଚୀନକୁ ଲାଗିବ ଶକ୍ତ ଧକ୍କା । ଭାରତ ମହାସାଗରରେ ଚୀନର ଏକଚାଟିଆ ନୀତିକୁ ମାତ୍ ଦେବା ପାଇଁ ସହଯୋଗୀ ରାଷ୍ଟ୍ରଙ୍କ ସହ ହାତ ମିଳାଇଛି ଭାରତ । ଚୀନକୁ ଜଳପଥରେ ଘେରିବା ପାଇଁ ଭାରତ ଆରମ୍ଭ କରିବ ମିଶନ ‘ସମ୍ବନ୍ଧ’ । ଯାହାର ଫଳସ୍ୱରୂପ ପ୍ରଥମ ଥର ପାଇଁ ବାଂଲାଦେଶ ଭାରତର ସାହାଯ୍ୟ ନେଇ ଭାରତ ମହାସାଗରରେ ନୌସେନା ସମରାଭ୍ୟାସ ଆରମ୍ଭ କରିବାକୁ ଯାଉଛି । ଭାରତ ମହାସାଗରର ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ସମରାଭ୍ୟାସ କରାଯାଉଛି । ପ୍ରାୟ ୧୦ରୁ ଉର୍ଦ୍ଧ୍ୱ ଦେଶ ଏହି ନୌସେନା ସମରାଭ୍ୟାସରେ ଭାଗ ନେବେ ।

ଚୀନକୁ ଜଳପଥରେ ଘେରିବା ପାଇଁ ଭାରତ ‘ସମ୍ବନ୍ଧ’ ନାମକ ଏକ କ୍ୟାମ୍ପେନ ଆରମ୍ଭ କରିବ । ଏହି ଅଭିଯାନରେ ଭାରତ (ବାଂଲାଦେଶ, କେନିଆ, ଓମାନ, ମାଲେସିଆ, ଥାଇଲାଣ୍ଟ, ଭିଏତନାମ )ଭଳି ଛୋଟ ଛୋଟ ଦେଶକୁ ସାମିଲ କରିବାକୁ ଲକ୍ଷ୍ୟ ରଖିଛି । ଏହି ଅଭିଯାନରେ ଭାରତର ଆଇଏନଏସ୍ ବିକ୍ରମାଦିତ୍ୟ, ଆଇଏନଏସ୍ କାଳବେରୀ ଭଳି ଯୁଦ୍ଧ ଜାହାଜରେ ଏହିସବୁ ଦେଶର ନୌସେନାର ଯବାନ ଭାରତୀୟ ଯବାନଙ୍କ ସହ ମିଶି ସମରାଭ୍ୟାସ କରିବେ । ଏହି ସମରାଭ୍ୟାସ ହୁଏତ ଚୀନର ଦାଦାଗିରିକୁ କିଛି ମାତ୍ରାରେ କମ କରିପାରେ ।