ଆଜିଠୁ ଟି-ଟ୍ୱେଂଟି ସିରିଜ୍ : ବର୍ଷକ ପରେ ଫେରୁଥିବା ରୈନାଙ୍କ ପ୍ରଦର୍ଶନ ଉପରେ ନଜର

47

କନକ ବ୍ୟୁରୋ : ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ୬ ଟିକିଆ ଦିନିକିଆ ଶୃଙ୍ଖଳାରେ ୫-୧ରେ ହରାଇବା ପରେ ଭାରତୀୟ କ୍ରିକେଟ୍‌ ଦଳର ଆତ୍ମବିଶ୍ୱାସ ଆକାଶ ଛୁଇଁଛି । ଦିନିକିଆ ଦୁର୍ଗ ବିଜୟ ପରେ କୋହଲି ବାହିନୀର ନଜର ଏବେ ରବିବାରଠାରୁ ଆରମ୍ଭ ହେଉଥିବା ତିନି ମ୍ୟାଚ୍‌ ବିଶିଷ୍ଟ ଟି-ଟ୍ୱେଂଟି ଶୃଙ୍ଖଳା ଉପରେ ରହିଛି । ଏଥିରେ ବିଜୟ ଧାରାକୁ ଜାରି ରଖିବା ହିଁ କୋହଲିଙ୍କ ଯୁବ ଦଳର ଏକମାତ୍ର ଲକ୍ଷ୍ୟ ହେବ । ବାମହାତୀ ବ୍ୟାଟ୍ସମ୍ୟାନ୍‌ ସୁରେଶ ରାଇନା ବର୍ଷକ ପରେ ଜାତୀୟ ଦଳକୁ ଫେରିଥିବାରୁ ସବୁ ନଜର ତାଙ୍କ ଉପରେ ରହିବ । ଏକଦା ଭାରତୀୟ ସୀମିତ ଓଭର ଦଳର ନିୟମିତ ସଦସ୍ୟ ଥିବା ରାଇନାଙ୍କ ପାଇଁ ଦିନିକିଆ ଦଳକୁ ଫେରିବାର ଏହା ମଧ୍ୟ ଏକ ବଡ଼ ମଞ୍ଚ ହେବ । ମୁସ୍ତାକ ଅଲ୍ଲୀ ଟ୍ରଫି ଘରୋଇ ପ୍ରତିଯୋଗିତାରେ ଭଲ କରି ରାଇନା ଭାରତୀୟ ଟି-ଟ୍ୱେଂଟି ଦଳକୁ ଫେରିଛନ୍ତି । ରବିବାର ଚୂଡ଼ାନ୍ତ ଦଳରେ ସ୍ଥାନ ମିଳିଲେ ସେ ଏହି ସଫଳତାକୁ ଦୋହରାଇବାକୁ ଆପ୍ରାଣ ଉଦ୍ୟମ କରିବେ । ସେହିଭଳି ଆଇପିଏଲ୍‌ ନିଲାମରେ ଆଶାଠାରୁ ଅଧିକ ଦରରେ ବିକ୍ରି ହୋଇଥିବା ବାମହାତୀ ବୋଲର ଜୟଦେବ ଉନାଦକଟଙ୍କ ପ୍ରଦର୍ଶନ ଉପରେ ମଧ୍ୟ କ୍ରିକେଟ୍‌ ପଣ୍ଡିତମାନେ ତୀକ୍ଷ୍ଣ ଦୃଷ୍ଟି ରଖିବେ ।

ଟି-ଟ୍ୱେଂଟି ଶୃଙ୍ଖଳା ଲାଗି ଉଭୟ ଦଳରେ ପରିବର୍ତନ ହୋଇଥିବାରୁ ଦକ୍ଷିଣ ଆଫ୍ରିକା ନୂଆ ଉତ୍ସାହ ଏବଂ ସତେଜ ମନ ନେଇ ପଡ଼ିଆକୁ ଓହ୍ଲାଇବ । ଦିନିକିଆର ଶୋଚନୀୟ ପରାଜୟକୁ ଭୁଲି ଟି-ଟ୍ୱେଂଟିରେ ଏହାର ପ୍ରତିଶୋଧ ନେବାର ଆଶାରେ ରହିବ । ଜୋହାନେସବର୍ଗର ଓ୍ଵାଣ୍ଡରର୍ସ ଷ୍ଟାଡିୟମ୍‌ରେ ଚଳିତ ଗସ୍ତରେ ଉଭୟ ଦଳ ୧-୧ରେ ରହିଛନ୍ତି । ଭାରତ ଏଠାରେ ଖେଳା ଯାଇଥିବା ତୃତୀୟ ତଥା ଶେଷ ଟେଷ୍ଟ୍‌କୁ ୬୩ ରନ୍‌ରେ ଜିତିଥିଲା । ତେବେ ଏହି ପଡ଼ିଆରେ ଖେଳା ଯାଇଥିବା ଦିନିକିଆ ଶୃଙ୍ଖଳାର ବର୍ଷା ପ୍ରଭାବିତ ଦ୍ୱିତୀୟ ମୁକାବିଲାରେ ଦକ୍ଷିଣ ଆଫ୍ରିକା ୫ ଓ୍ଵିକେଟ୍‌ରେ ବିଜୟୀ ହୋଇଥିଲା । ଦିନିକିଆ ଶୃଙ୍ଖଳା ଭଳି ଟି-ଟ୍ୱେଂଟିରେ ମଧ୍ୟ ଭାରତୀୟ କ୍ରିକେଟ୍‌ ଦଳର ଦୁଇ ରହସ୍ୟମୟ ସ୍ପିନର କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲ ପ୍ରମୁଖ ଭୂମିକା ତୁଲାଇବେ । ସେପଟେ ଦକ୍ଷିଣ ଆଫ୍ରିକା ଟେ୍ଵଣ୍ଟି-୨୦ ଶୃଙ୍ଖଳା ଲାଗି ଜେପି ଡୁମିନିଙ୍କୁ ଅଧିନାୟକ ନିଯୁକ୍ତ କରିଛି । ସେହିଭଳି ଦଳରେ ବହୁ ଯୁବ ଖେଳାଳିଙ୍କୁ ସାମିଲ କରିଛି । ସେଥିପାଇଁ ଦିନିକିଆଠାରୁ ଟି-ଟ୍ୱେଂଟି ଶୃଙ୍ଖଳା ଅଧିକ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି । ଓ୍ଵାଣ୍ଡରର୍ସ ପିଚ୍‌ ବ୍ୟାଟ୍ସମ୍ୟାନଙ୍କୁ ସୁହାଇବାର ସମ୍ଭାବନା ରହିଛି । ଫଳରେ ଆସନ୍ତାକାଲି ଏକ ବଡ଼ ସ୍କୋର ବିଶିଷ୍ଟ ମ୍ୟାଚ୍‌ ଦେଖିବାକୁ ମିଳିପାରେ ।

ଟି-ଟ୍ୱେଂଟିର ପୂର୍ବ ପରିସଂଖ୍ୟାନ ଭାରତ ସପକ୍ଷରେ ରହିଛି । ଉଭୟ ଦଳ ୮ ଟି-ଟ୍ୱେଂଟିରେ ମୁହାଁ ମୁହିଁ ହୋଇଥିଲା ବେଳେ ସେଥିମଧ୍ୟରୁ ଭାରତ ୬ ମ୍ୟାଚ୍‌ ଜିତିଛି । ଦକ୍ଷିଣ ଆଫ୍ରିକା କେବଳ ଦୁଇଟି ମୁକାବିଲାରେ ବିଜୟ ହାସଲ କରି ପାରିଛି । ଦୁଇ ଦଳ ମଧ୍ୟରେ ଏବି ଡିଭିଲିୟର୍ସ ସର୍ବାଧିକ ୩୦୪ ରନ୍‌ କରିଛନ୍ତି । ଶେଷ ଥର ପାଇଁ ଦକ୍ଷିଣ ଆଫ୍ରିକା ଟି-ଟ୍ୱେଂଟିରେ ଭାରତକୁ ମାର୍ଚ ୨୦୧୨ରେ ହରାଇଥିଲା । ରବିବାର ମ୍ୟାଚ୍‌ ପୂର୍ବରୁ ଭାରତ ଲଗାତାର ଚାରିଟି ଟି-ଟ୍ୱେଂଟି ମ୍ୟାଚ୍‌ ଜିତିବାର ଗୌରବ ହାସଲ କରିଛି । ଏହି ଶୃଙ୍ଖଳାରେ ମଧ୍ୟ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ପାଖରେ ଏକ କୀର୍ତ୍ତିମାନ କରିବାର ସୁଯୋଗ ରହିବ । ଆଉ ୪୩ ରନ୍‌ କଲେ ସେ ମାର୍ଟିନ ଗପ୍ଟିଏ ଏବଂ ବ୍ରେଣ୍ଡନ୍‌ ମ୍ୟାକଲମଙ୍କ ପରେ ତୃତୀୟ ଖେଳାଳି ଭାବେ ଟେ୍ଵଣ୍ଟି-୨୦ରେ ୨,୦୦୦ ରନ ପୂରଣ କରିବେ ।

ସମ୍ଭାବ୍ୟ ଭାରତ: ବିରାଟ କୋହଲି (ଅଧିନାୟକ), ଶିଖର ଧାଓ୍ଵନ, ରୋହିତ ଶର୍ମା, ସୁରେଶ ରାଇନା, ମନୀଷ ପଣ୍ଡେ/ଦୀନେଶ କାର୍ତିକ, ମହେନ୍ଦ୍ର ସିଂହ ଧୋନି, ହାର୍ଦିକ ପାଣ୍ଡ୍ୟା, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ଯସପ୍ରୀତ ବୁମରା ।

ସମ୍ଭାବ୍ୟ ଦକ୍ଷିଣ ଆଫ୍ରିକା: ଜେପି ଡୁମିନି (ଅଧିନାୟକ), ଫରହାନ ବେହାରଦିନ, ଜୁନିଅର ଡାଲା, ଏବି ଡିଭିଲିୟର୍ସ, ରିଜା ହେଣ୍ଡ୍ରିକ୍ସ, କ୍ରିଷ୍ଟିଆନ ଜଙ୍କର/କ୍ରିସ୍‌ ମୋରିସ୍‌, ହେନରିକ କ୍ଲାସେନ, ଡେଭିଡ୍‌ ମିଲର, ଡେନ୍‌ ପାଟରସନ୍‌, ଆରୋନ ଫାଙ୍ଗିସୋ, ଆନ୍ଦେଲ ଫେଲୁକ୍ଵାଓ, ତବରେଜ ସସ୍ମୀ, ଜନ୍‌ ଜନ୍‌ ସ୍ମୁଟ୍ସ ।