ହୋଲିରେ ମୋଦି ଦହନ ! ବାଣିଜ୍ୟ ସହରରେ ହୁତୁହୁତୁ ହୋଇ ଜଳିବେ ୫୮ ଫୁଟର ନିରଭ ମୋଦି

96

ହୋଲି ପୂର୍ବରୁ ଆଜି ହୋଲିକା ଦହନ ଉତ୍ସବ ପାଳନ ହେବାକୁ ଯାଉଛି । ପୂରା ଦେଶରେ ପାଳନ ହେବ ହୋଲିକା ଦହନ ଉତ୍ସବ । କିନ୍ତୁ ଏହି ଉତ୍ସବକୁ ଏକ ନିଆରା ଢଙ୍ଗରେ ପାଳନ କରିବାକୁ ଯାଉଛନ୍ତି ମୁମ୍ବାଇବାସୀ । ଆଉ ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇ ସାରିଛି । ପିଏନବି ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ନୀରବ ମୋଦିଙ୍କ କୁଶପୁତ୍ତଳିକା ଦାହ କରି ହୋଲିକୁ ମୁମ୍ବାଇବାସୀ ପାଳନ କରିବେ ବୋଲି ଜଣା ପଡ଼ିଛି । ଏଥିପାଇଁ ମୁମ୍ବାଇର ଓ୍ଵର୍ଲିରେ ଥିବା ବିଡ଼ିଡ଼ି ଚୌଲର ଲୋକମାନେ ୫୮ଫୁଟ୍ ଉଚ୍ଚତାର କୁଶପୁତଳିକା ତିଆରି କରିଥିବା ଜଣା ପଡ଼ିଛି । ହୋଲିର ପୂର୍ବ ଦିନ ଲୋକମାନେ କାଠ ଜାଳି ଖରାପ ଶକ୍ତିକୁ ବିଦାୟ ଦେଇ ହୋଲି ଦିନ ଦେବାଦେବୀମାନଙ୍କୁ ସ୍ୱାଗତ କରିଥାନ୍ତି ।

ଏହି ଅବସରରେ ନିରବ ମୋଦିଙ୍କ ଭଳି ଖରାପ ବ୍ୟକ୍ତିଙ୍କ କୁଶପୁତ୍ତଳିକା ଦାହ କରି ସେଭଳି ଲୋକ ଯେମିତି ଆଗକୁ ନ ଆସନ୍ତି ତାହା କାମନା କରିଛନ୍ତି । ୫୮ ଫୁଟର ନିରଭ ମୋଦିଙ୍କ ଏହି ପୁତ୍ତଳିକାରେ ‘ପିଏନବି ଘୋଟାଲା ଡାଇମଣ୍ଡ କିଙ୍ଗ’ ବୋଲି ଲେଖା ହୋଇଛି । ଆଉ ଏହି କୁଶପୁତ୍ତଳିକାକୁ ଦହନ କରି ହୋଲି ଉତ୍ସବ ପାଳନ କରିବାକୁ ନିଷ୍ପତି ନେଇଛନ୍ତି ମୁମ୍ବାଇବାସୀ । ୧୧୪୦୦ କୋଟି ଟଙ୍କାର ପିଏନବି ମହାଘୋଟାଲାର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ନିରଭ ମୋଦି ।

କୁଶପୁତ୍ତଳିକାକୁ କୌଣସି କାରିଗର ଦ୍ୱାରା ନୁହେଁ ବରଂ ଓ୍ଵର୍ଲିରେ ରହୁଥିବା ଲୋକମାନେ ମିଶି ତିଆରି କରିଥିବା ଜଣା ପଡ଼ିଛି । ଦୀର୍ଘ ୮ବର୍ଷଧରି ଏହି ଚୌଲର ଲୋକମାନେ ସାମାଜିକ ପ୍ରସଙ୍ଗକୁ ନେଇ ହୋଲି ପାଳନ କରିଥାଆନ୍ତି । ବାୟୁମଣ୍ଡଳକୁ ଧ୍ୟାନରେ ରଖି ଏହି କୁଶପୁତ୍ତଳିକା ତିଆରି କରିବା ପାଇଁ ଲୋକମାନେ କମ କାଠ ଏବଂ ଅଧିକ ଘାସକୁ ବ୍ୟବହାର କରଥିବା ଜଣା ପଡ଼ିଛି । ଏହି ବର୍ଷ ହୋଲିରେ ଏହା ସବୁଠାରୁ ବଡ଼ କୁଶପୁତ୍ତଳିକା ହେବ ବୋଲି ଆୟୋଜକମାନେ ଦାବି କରୁଥିବା ବେଳେ ଏହାକୁ ଲିମକା ବୁକ୍ ଅଫ୍ ରେକର୍ଡ଼ରେ ସାମିଲ କରିବା ପାଇଁ ଲୋକମାନେ ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ସଂପର୍କ କରିଥିବା ଜଣାପଡ଼ିଛି ।