ଆଜି ମୋଦି–ଜିନପିଙ୍ଗ ସାକ୍ଷାତ ! ଦ୍ୱିପାକ୍ଷିକ ଆଲୋଚନାରେ ସ୍ଥାନ ପାଇବ ସୌହାର୍ଦ୍ଦ୍ୟ ବୃଦ୍ଧି,ସୀମା ବିବାଦ ସହ ଡୋକଲାମ ପ୍ରସଙ୍ଗ

20

କନକ ବ୍ୟୁରୋ : ଡୋକଲାମରେ ୭୩ ଦିନର ମୁହାଁମୁହିଁ ଅବସ୍ଥାକୁ ଭୁଲି ଆଲୋଚନା ଟେବୁଲରେ ଏକାଠି ହେବାକୁ ଯାଉଛନ୍ତି ଭାରତ ଓ ଚୀନ । ଆଜି ମୋଦି ଓ ଜିନପିଙ୍ଗଙ୍କ ମଧ୍ୟରେ ମଧ୍ୟାହ୍ନ ୧୨ଟା ୩୦ରେ ହେବ ଦ୍ୱିପାକ୍ଷିକ ଆଲୋଚନା । ବ୍ରିକ୍ସରେ ଭାରତର କୁଟନୈତିକ ବିଜୟ ପରେ ପୁଣି ପାକିସ୍ତାନକୁ ଏକଘରିକିଆ କରିବାକୁ ଚୀନ ଉପରେ ଚାପ ପକାଇ ପାରନ୍ତି ମୋଦି । ଏସିଆର ଏହି ଦୁଇ ତୁଙ୍ଗ ନେତାଙ୍କ ଉପରେ ରହିଛି ପୁରା ବିଶ୍ୱର ନଜର । କାରଣ ଦ୍ରୁତ ବିକାଶ ପଥରେ ଆଗଉଥିବା ଏହି ଦୁଇ ରାଷ୍ଟ୍ର ନେତାଙ୍କର ରହିଛି ସାରା ବିଶ୍ୱକୁ ପ୍ରଭାବିତ କରିପାରିବାର କ୍ଷମତା ।

ଡୋକଲାମ ବିବାଦକୁ ପଛରେ ପକାଇ ଭାରତ ସହ ସ୍ୱର ମିଳାଇଲା ଚୀନ । ପାକିସ୍ତାନର ନାଁ ନନେଇ ବ୍ରିକ୍ସ ସମ୍ମିଳନୀରେ ପାରିତ ହେଲା ସିଆମେନ ଘୋଷଣାନାମା । ପାକ୍ ପ୍ରାୟୋଜିତ ଆତଙ୍କବାଦୀ ସଂଗଠନଗୁଡିକୁ ନିନ୍ଦାକଲେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ର । ହକାନୀ, ଲସ୍କର ଓ ଜୈ÷ସ ଭଳି ଆତଙ୍କବାଦୀ ସଂଗଠନ ବିରୋଧରେ ଏକାଠି ହେବାକୁ ସମ୍ମତି ଜଣାଇଲେ ବ୍ରାଜିଲ, ଋଷ, ଭାରତ, ଚୀନ ଓ ଦକ୍ଷିଣ ଆଫ୍ରିକା । ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ମାସୁଦ ଆଝାରକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା ପାଇଁ ମଧ୍ୟ ବ୍ରିକ୍ସ ରାଷ୍ଟ୍ରଙ୍କ ସହ ସମ୍ମତି ଜଣାଇଲା ଚୀନ ।

ପ୍ରଥମ ଥର ପାଇଁ ପାକ୍ ପ୍ରାୟୋଜିତ ଆତଙ୍କବାଦୀ ସଂଗଠନ ବିରୋଧୀ ମେଂଟରେ ସାମିଲ ହୋଇଛି ଚୀନ୍ । ବ୍ରିକ୍ସ ସମ୍ମିଳନୀର ଘୋଷଣାପତ୍ରର ୪୮ ନମ୍ବର ପୃଷ୍ଠାରେ ଆତଙ୍କବାଦ ବିଷୟରେ ଚର୍ଚ୍ଚା କରାଯାଇଛି । ଆତଙ୍କବାଦ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ସମ୍ମିଳନୀରେ ସହମତି ପ୍ରକାଶ ପାଇଛି । ବ୍ରିକ୍ସ ସମ୍ମିଳନୀରେ ଏହା ଭାରତ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସବୁଠାରୁ ବଡ କୂଟନୈତିକ ବିଜୟ ବୋଲି କୁହାଯାଉଛି ।

ପାକିସ୍ତାନକୁ ଝଟକା(ବ୍ରିକ୍ସ ଘୋଷଣାନାମାରେ ଜୈଶ ଓ ଲସ୍କରକୁ ନିନ୍ଦା)- 

ବ୍ରିକ୍ସ ସମ୍ମିଳନୀରେ ପାକିସ୍ତାନକୁ ଜୋରଦାର ଝଟ୍‌କା ଲାଗିଛି । ସୋମବାର ପ୍ରକାଶିତ ମିଳିତ ଘୋଷଣାନାମାରେ ପ୍ରଥମଥର ପାଇଁ ପାକିସ୍ତାନଭିତ୍ତିକ ଜୈଶ ଓ ଲସ୍କର ଆତଙ୍କବାଦୀ ସଙ୍ଗଠନର ତୀବ୍ର ନିନ୍ଦା କରାଯାଇଛି । ଏଥିରେ ଚୀନ୍‌ର ଘନିଷ୍ଠ ବନ୍ଧୁ ଭାବେ ପାକିସ୍ତାନର ନାମ ଉଚ୍ଚାରଣ ହୋଇନଥିଲେ ମଧ୍ୟ ଆତଙ୍କବାଦ ଘଟାଇବା, ଏହାକୁ ସମର୍ଥନ ଓ ପ୍ରୋତ୍ସାହନ ଯୋଗାଉଥିବା ରାଷ୍ଟ୍ର ହିଂସା ପାଇଁ ଉତ୍ତରଦାୟୀ ହେବ ବୋଲି ଚେତାବନୀ ଦିଆଯାଇଛି ।

bricks summit 2017 at chinaପାଞ୍ଚ ସଦସ୍ୟ ରାଷ୍ଟ୍ର ବ୍ରାଜିଲ, ଦକ୍ଷିଣ ଆଫ୍ରିକା, ରୁଷ୍‌, ଭାରତ ଓ ଚୀନ୍‌ ନେତାମାନଙ୍କ ଦ୍ୱାରା ପ୍ରସ୍ତୁତ ଏହି ୪୩ ପୃଷ୍ଠା ବିଶିଷ୍ଟ ଘୋଷଣାନାମାରେ ଆଫଗାନିସ୍ତାନ ସମେତ ବିଶ୍ୱର ବିଭିନ୍ନ ସ୍ଥାନରେ ଓ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରମାନଙ୍କରେ ଆତଙ୍କବାଦ ନେଇ ଉଦ୍‌ବେଗ ପ୍ରକାଶ କରାଯାଇଛି । ତାଲିବାନ, ହକ୍କାନି ନେଟଓ୍ଵର୍କ, ଆଇଏସ୍‌, ଟିଟିପି, ହିଜବୁଲ ତାହରିର, ଲସ୍କର, ଜୈଶ ଓ ଅଲ କାଏଦା ଆଦି ସଙ୍ଗଠନ ବିଶ୍ୱଶାନ୍ତି ପଛରେ ଅନ୍ତରାୟ ସାଜିଛନ୍ତି । ସେମାନଙ୍କ କାର୍ଯ୍ୟକଳାପ ବିଶ୍ୱର ବିଭିନ୍ନ ସ୍ଥାନରେ ଶାନ୍ତି ଭଙ୍ଗ କରୁଥିବାରୁ ଏହାକୁ ବ୍ରିକ୍ସ ଘୋର ନିନ୍ଦା କରିଛି। ସେମାନଙ୍କ କାର୍ଯ୍ୟ ପାଇଁ ବହୁ ନିରୀହ ଜୀବନ ଅକାଳରେ ଝରିପଡ଼ୁଛି ।

bricks summitସବୁପ୍ରକାର ଆତଙ୍କବାଦକୁ ବ୍ରିକ୍ସ ନିନ୍ଦା କରିବା ସହ ଅନ୍ତର୍ଜାତୀୟ ସହଯୋଗରେ ଏହାର ବିଲୋପ ନିମନ୍ତେ ଆହ୍ଵାନ କରିଛି । ଆତଙ୍କବାଦ ଘଟାଇବା, ଏହାକୁ ଉତ୍ସାହିତ କରିବା ଓ ସମର୍ଥନ ଦେବା କାର୍ଯ୍ୟ ଅମାନବିକ । ଯେଉଁମାନେ ଏହା କରୁଛନ୍ତି, ବିଶ୍ୱ ସମୁଦାୟ ନିକଟରେ ଉତ୍ତରଦାୟୀ ହେବା ଉଚିତ । ଆତଙ୍କବାଦର ବିଲୋପ ପାଇଁ ବିଶ୍ୱ ସମୁଦାୟ ବ୍ୟାପକ ମିଳିତ ଆଭିମୁଖ୍ୟ ଗ୍ରହଣ କରି ମୌଳବାଦର ବିରୋଧ, ବିଦେଶୀ ଆତଙ୍କବାଦୀଙ୍କ ଯାତାୟାତ ଉପରେ ପ୍ରତିବନ୍ଧକ ସୃଷ୍ଟି, ଆତଙ୍କବାଦୀ ସଙ୍ଗଠନଙ୍କୁ ମିଳୁଥିବା ଆର୍ଥିକ ସହାୟତା ବନ୍ଦ, ବେଆଇନ ଅର୍ଥ ଓ ଅସ୍ତ୍ର ଯୋଗାଣ ବିରୋଧରେ କାର୍ଯ୍ୟାନୁଷ୍ଠାନ, ଇଣ୍ଟରନେଟ ସମେତ ସୋସିଆଲ ମିଡିଆ ଉପରେ ସତର୍କ ଦୃଷ୍ଟି ରଖିବା ସହ ପାରସ୍ପରିକ ତଥ୍ୟ ବିନିମୟ କରିବାକୁ ଗୁରୁତ୍ୱ ଆରୋପ କରାଯାଇଛି ।

ସୂଚନାଯୋଗ୍ୟ, ଜୈଶ ମୁଖ୍ୟ ମସୁଦ ଆଝାରକୁ ବିଶ୍ୱ ଆତଙ୍କବାଦୀ ଘୋଷଣା ନିମନ୍ତେ ଜାତିସଂଘରେ ଅନ୍ତର୍ଜାତୀୟ ପ୍ରସ୍ତାବକୁ ବିରୋଧ କରିଆସିଥିବା ଚୀନ୍‌ ବ୍ରିକ୍ସ ମିଳିତ ଘୋଷଣାନାମାରେ ନିର୍ଦ୍ଦିଷ୍ଟ ପାକ୍‌ ଆତଙ୍କବାଦୀ ସଙ୍ଗଠନମାନଙ୍କ ନାମ ଉଲ୍ଲେଖକୁ ବିରୋଧ ନକରିବା ଏହାର ନୀତିରେ ପରିବର୍ତ୍ତନ ବୋଲି ଅନୁମାନ କରାଯାଇଛି । ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଆତଙ୍କବାଦ ପ୍ରସଙ୍ଗକୁ ଦୃଢ଼ଭାବେ ଉପସ୍ଥାପନ କରିଥିଲେ ଓ ଅନ୍ୟ ସଦସ୍ୟ ରାଷ୍ଟ୍ରମାନେ ଏହାକୁ ବ୍ୟାପକ ସମର୍ଥନ କରିଥିଲେ । ଗୋଆଠାରେ ଅନୁଷ୍ଠିତ ହୋଇଥିବା ୮ମ ଶିଖର ସମ୍ମିଳନୀର ଘୋଷଣାନାମାରେ ପାକିସ୍ତାନଭିତ୍ତିକ ଆତଙ୍କବାଦୀ ସଙ୍ଗଠନମାନଙ୍କ ନାମୋଲ୍ଲେଖକୁ ଚୀନ୍‌ ଜୋରଦାର ବିରୋଧ କରିଥିଲା ।

ସେହି ସମୟରେ ପାକିସ୍ତାନରୁ ଆସିଥିବା ଆତଙ୍କବାଦୀମାନେ କଶ୍ମୀରର ଉରିଠାରେ ଭାରତୀୟ ସେନା ମୁଖ୍ୟାଳୟ ଉପରେ ଆକ୍ରମଣ କରିଥିଲେ । ଏହାସତ୍ତ୍ୱେ ନିର୍ଦ୍ଦିଷ୍ଟ ଭାବେ ପାକ୍‌ ଆତଙ୍କବାଦୀ ସଙ୍ଗଠନଙ୍କ ନାମ ଉଲ୍ଲେଖକୁ ଚୀନ୍‌ ବିରୋଧ କରିବାରୁ ଏହା ମିଳିତ ଘୋଷଣାନାମାରେ ସ୍ଥାନ ପାଇନଥିଲା । ଜିଆମେନଠାରେ ନବମ ଶୀର୍ଷ ସମ୍ମିଳନୀ ପୂର୍ବରୁ ମଧ୍ୟ ଚୀନ୍‌ ବିଦେଶ ବିଭାଗ ମୁଖପାତ୍ର ବ୍ରିକ୍ସ ବୈଠକରେ ପାକିସ୍ତାନର ଆତଙ୍କବାଦୀ ସମର୍ଥନ କାର୍ଯ୍ୟକଳାପ ନେଇ ଆଲୋଚନା କରାଯିବା ଅନୁଚିତ ବୋଲି କହିଥିଲେ । ଗତକାଲିର ଘୋଷଣାନାମା ସଂପର୍କରେ ପ୍ରତିକ୍ରିୟା ପ୍ରକାଶ କରି ଚୀନ ବୈଦେଶିକ ବିଭାଗ ମୁଖପାତ୍ର କହିଛନ୍ତି ଯେ ଆତଙ୍କବାଦୀ କାର୍ଯ୍ୟକଳାପ ଏବେ ଚିନ୍ତାର କାରଣ ହୋଇଛି । ଏହାର ମିଳିତ ମୁକାବିଲା ପାଇଁ ସଂକଳ୍ପ ନିଆଯାଇଛି ।