ରାଜନୀତି କରିବେ ନା ଲଢିବେ? ଆଜି ପୁଣି ବିଧାନସଭାକୁ ଓହ୍ଲାଇବ ମହାନଦୀ ମହାବିବାଦ ପ୍ରସଙ୍ଗ

27

କନକ ବ୍ୟୁରୋ: ଆଜି ପୁଣି ଥରେ ବିଧାନସଭାକୁ ଓହ୍ଲାଇବ ମହାନଦୀ ମହାବିବାଦ ପ୍ରସଙ୍ଗ । ବିରୋଧୀ ନୁହେଁ, ସରକାରଙ୍କ ପକ୍ଷରୁ ମୁଖ୍ୟ ସଚେତକ ଏ ସଂକ୍ରାନ୍ତରେ ମୋସନ ଆଣିବେ । ଗତକାଲି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଧାନସଭା କାର୍ଯ୍ୟ ପରାମର୍ଶଦାତା କମିଟି ବୈଠକରେ ଏ ନେଇ ୫ ଘଣ୍ଟା ଆଲୋଚନା ଲାଗି ସମୟ ଧାର୍ଯ୍ୟ ହୋଇଛି । ୧୨ଟାରେ ଆରମ୍ଭ ହେବ, ସନ୍ଧ୍ୟା ୭ଯାଏ ଚାଲିବ । ସରକାରୀ ଦଳ ଅଢେଇ ଘଣ୍ଟା ଓ ବିରୋଧୀ ଦଳ ପାଇଁ ଅଢେଇ ଘଣ୍ଟା ସମୟ ଧାର୍ଯ୍ୟ ହୋଇଛି । ଆସନ୍ତା ୯ ତାରିଖ ଦିନ ମହାନଦୀ ଜଳବିବାଦ ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଥିବା ପରିପ୍ରେକ୍ଷୀରେ ଆଜିର ଆଲୋଚନା ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି ।

ଉଲ୍ଲେଖଯୋଗ୍ୟ, ଗତ ଦେଢ ବର୍ଷ ଧରି ମହାନଦୀକୁ ନେଇ ଚାଲିଥିବା ମହା ବିବାଦ ଥମିବା ପରିବର୍ତ୍ତେ ବଢିବାରେ ଲାଗିଛି । ଗୋଟିଏ ପଟେ ଛତିଶଗଡ଼ ସହିତ ଓଡ଼ିଶାର ଜଳ ବିବାଦର ସଙ୍ଗିନ୍ ପ୍ରଭାବ ମହାନଦୀ ଉପରେ ପଡିଛି, ଯାହା ରାଜ୍ୟବାସୀ ହୃଦୟଙ୍ଗମ କରିଛନ୍ତି । ସମାନ୍ତରାଳ ଭାବେ ଏ ବିବାଦ ଓଡ଼ିଶା-ଛତିଶଗଡ଼ ସମ୍ପର୍କକୁ କେବଳ ତିକ୍ତ କରିଛି ତା ନୁହେଁ, କେନ୍ଦ୍ର-ରାଜ୍ୟ ସଂପର୍କକୁ ପ୍ରଭାବିତ କରିଛି ଓ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ପରସ୍ପର ତ ଏକାଠି ହୋଇପାରିନାହାନ୍ତି, ସେମାନଙ୍କ ଆଭ୍ୟନ୍ତରୀଣ ଶୃଙ୍ଖଳା ବି କିଛି ପରିମାଣରେ ବିଗିଡିଛି ।

ଯଥେଷ୍ଟ ସୁଯୋଗ ଥାଇ ବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରସଙ୍ଗରେ ଏବେ ଯାଏ ସବୁ ରାଜନୈତିକ ଦଳକୁ ସାଙ୍ଗରେ ନେବାରେ ସଫଳ ହୋଇ ନାହାନ୍ତି । ବରଂ ରାଜନୈତିକ ଫାଇଦା ଗୋଟାଇବାକୁ ଯାଇ ବିଜେଡି ଏକାକୀ ଏହି ପ୍ରସଙ୍ଗକୁ ନେବାଦ୍ୱାରା ଓଡ଼ିଶାର ସ୍ୱାର୍ଥ ତ ପରାହତ ହୋଇଛି, ତା ସହିତ କେନ୍ଦ୍ର-ରାଜ୍ୟ ଟକରାଟକରି ଭିତରେ ରାଜ୍ୟର ୧୬ଟି ଜିଲ୍ଲାର ପ୍ରାୟ ଦୁଇ କୋଟି ଲୋକଙ୍କ ଭାଗ୍ୟ ରୁନ୍ଧି ହୋଇଯିବାକୁ ବସିଛି । ଗୋଟିଏ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସର୍ବଦଳୀୟ ବୈଠକ ଡାକିବା ଲାଗି ଖୋଦ୍ ବିରୋଧୀ ଦଳ ନେତା ଚିଠି ଲେଖିଥିଲେ । ସେକଥା ହେଲାନି କି ବିରୋଧୀ ଦଳ ନେତା ଡାକିଥିବା ବୈଠକରେ ବିଜେଡି ଯୋଗ ଦେଲାନି । ବରଂ ସରକାର ପ୍ରସ୍ତାବ ଗୋଟାଇବା ଆଳରେ ଏମିତି ନାଟକବାଜି କଲେ, ଯେମିତି ନୂଆଦିଲ୍ଲୀରେ ଉପସ୍ଥାପନ ମାତ୍ରେ ଏ ବିବାଦରେ ପୂର୍ଣ୍ଣଛେଦ ପଡିବ ।

ଏବେ ନେଡି ଗୁଡ଼ କହୁଣୀକୁ ବୋହିଯିବା ପରେ ବିଜେଡି ସର୍ବଦଳୀୟ ବୈଠକ ନାଁରେ ଯେଉଁ ଭେଳିକି ଲଗାଇଛି, ତାହା ଦାନା ବାନ୍ଧୁନି, ଓଲଟା ରାଜ୍ୟ ସରକାରଙ୍କୁ ଦୁର୍ବଳସ୍ଥିତିକୁ ଟାଣିନେଉଛି । ଟ୍ରିବ୍ୟୁନାଲ ଗଠନ କରିବା ପରିବର୍ତ୍ତେ କେନ୍ଦ୍ର ସରକାର ଟାଳଟୁଳ ନୀତି ଗ୍ରହଣ କରିବାକୁ ଆରମ୍ଭ କଲେଣି। ଛତିଶଗଡ଼ ସରକାରଙ୍କୁ ପ୍ରକଳ୍ପ ବନ୍ଦ କରିବା ଲାଗି ମଧ୍ୟ ଚାପ ପକାଇବାକୁ କୁନ୍ଥକୁନ୍ଥ ହେଉଛନ୍ତି କେନ୍ଦ୍ର ସରକାର । ଚଳିତବର୍ଷ ମହାନଦୀ ସମେତ ଶାଖା ନଦୀ ଶୁଖିଯିବା ଘଟଣା ରାଜ୍ୟବାସୀଙ୍କୁ ବେଶ୍ ଆତଙ୍କିତ କରିଛି । ପଶ୍ଚିମରୁ ଆରମ୍ଭ କରି ଉପକୂଳ ଯାଏ ସମସ୍ତେ ବିଚଳିତ ହୋଇପଡିଲେଣି । ଏଭଳି ସ୍ଥିତିରେ ରାଜନୈତିକ ବିବାଦକୁ ପଛକୁ ଠେଲି ରାଜ୍ୟ ସ୍ୱାର୍ଥ ପ୍ରସଙ୍ଗରେ ଆଜି ରାଜ୍ୟ ସ୍ୱାର୍ଥ ପାଇଁ ସବୁ ଦଳ ଏକାଠି ହେବେ ନା ନିଜ ନିଜର ପତିଆରା ବଢାଇବା ଆଳରେ ତିନି ପ୍ରମୁଖ ଦଳ ଲୋକଙ୍କ ସ୍ୱାର୍ଥକୁ ବଳିଚଢାଇବେ ? ଏବେ ସମସ୍ତଙ୍କର ନଜର ଦଳଗୁଡ଼ିକର ଆଭିମୁଖ୍ୟ ଉପରେ ରହିବ ।