ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ୭୪ ବର୍ଷରେ ପାଦ ଦେଲେ ବିଜେଡି ସୁପ୍ରିମୋ, ବତ୍ୟା ଫୋନି ପାଇଁ ପାଳିବେନି ଜନ୍ମଦିନ ।

385

କନକ ବ୍ୟୁରୋ: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ଆଜି ୭୪ ବର୍ଷରେ ପାଦ ଦେଇଛନ୍ତି ନବୀନ । ତେବେ ନିଜ ଜନ୍ମଦିନ ପାଳନ ନକରିବାକୁ ନିଷ୍ପତି ନେଇଛନ୍ତି ସେ । ବାତ୍ୟା ଫୋନିରେ ବ୍ୟାପକ କ୍ଷୟକ୍ଷତି ନେଇ ଜନ୍ମଦିନ ନପାଳିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତି ନେଇଛନ୍ତି । ଏହା ସହ ଶୁଭେଚ୍ଛୁଙ୍କୁ ନବୀନ ନିବାସ ନଆସି ସମାଜସେବା କରିବାକୁ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିନ ଅବସରରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଥିବାବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ନବୀନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଟ୍ୱିଟ୍ କରି ଧର୍ମେନ୍ଦ୍ର ଲେଖିଛନ୍ତି କି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା । ମହାପ୍ରଭୁ ଶ୍ରୀଜଗନ୍ନାଥ ଆପଣଙ୍କୁ ଦୀର୍ଘାୟୁ କରିବା ସହ ସୁସ୍ଥ ଓ ନୀରାମୟ ଜୀବନ ଦିଅନ୍ତୁ । ସେହିପରି ନବନୀଙ୍କ ଅନେକ ଶୁଭେଚ୍ଛୁ ତାଙ୍କୁ ଜନ୍ମ ଦିନର ଶୁଭକାମନା ଜଣାଇଛନ୍ତି ।

ଅନାଥ ଆଶ୍ରମ ଓ ଭିନ୍ନକ୍ଷମ ପିଲାଙ୍କ ପାଇଁ କାମ କରିବାକୁ ସେ କହିଛନ୍ତି । ଅନ୍ୟପଟେ ସାରା ରାଜ୍ୟରେ ହେବାକୁ ଥିବା ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ନେଇ ସେ ଖୁସି ବ୍ୟକ୍ତ କରିଛନ୍ତି । ବିଜୁ ଜନତା ଦଳ ପକ୍ଷରୁ ଆଜି ରାଜ୍ୟର ୫୯ରୁ ଅଧିକ ପ୍ରମୁଖ ସ୍ଥାନରେ ଏହି ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଏହି ଅବସରରେ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ହେବାକୁ ଥିବା ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ଦିନ ୧୧ଟା ବେଳେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ ବୋଲି ଜଣାପଡିଛି ।