ଭୁବନେଶ୍ୱର : ଦଳୀୟ ସାଂସଦଙ୍କ ଗିରଫଦାରୀ ପ୍ରତିବାଦରେ ଲୋୟର ପିଏମଜିରେ ଗର୍ଜିବ ଟିଏମସି

22

କନକ ବ୍ୟୁରୋ : ଆଜି ରାଜଧାନୀରେ ଗର୍ଜିବ ଟିଏମସି । ଭୁବନେଶ୍ୱର ଲୋୟର ପିଏମଜିରେ ବଡ ଧରଣର ବିକ୍ଷୋଭ ପ୍ରଦର୍ଶନ କରିବ ତୃଣମୂଳ କଂଗ୍ରେସ । ଟିଏମସି ସାଂସଦଙ୍କୁ ଗିରଫଦାରୀ ପ୍ରତିବାଦରେ ବିରୋଧ ପ୍ରଦର୍ଶନ କରିବ ଦଳ । ଏଥିପାଇଁ କୋଲକାତାରୁ ବହୁ ସଂଖ୍ୟାରେ ଟିଏମସି କର୍ମୀ ଭୁବନେଶ୍ୱରରେ ପହଂଚିଛନ୍ତି । ବିମୁଦ୍ରାକରଣକୁ ବିରୋଧ କରୁଥିବାରୁ ଟିଏମସି ସାଂସଦଙ୍କୁ ଜାଣିଶୁଣି ଟାର୍ଗେଟ୍ କରାଯାଉଥିବା ଅଭିଯୋଗ କରିଛି ଟିଏମସି । ଗତକାଲି ସୁଦୀପ ବନ୍ଦୋପାଧ୍ୟାୟ ଓ ତାପସ ପାଲଙ୍କ ଗିରଫଦାରି ପ୍ରତିବାଦରେ ସିବିଆଇ କାର୍ଯ୍ୟାଳୟ ଆଗରେ ହଙ୍ଗାମା କରିଥିଲେ ଟିଏମସି କର୍ମୀ ।

ମୋଦି ସରକାରଙ୍କ ଇଙ୍ଗିତରେ ଦୁଇ ନେତାଙ୍କୁ ଗିରଫ କରାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି । ଏନେଇ ଭୁବନେଶ୍ୱର ସମେତ ଦେଶର ୧୦ଟି ସ୍ଥାନରେ କେନ୍ଦ୍ର ସରକାରଙ୍କ ବିରୋଧରେ ବିକ୍ଷୋଭ କରିବ ଦଳ । ସଂସଦରେ ନିର୍ଭିକ ଭାବେ ବିମୁଦ୍ରାକରଣ ବିରୋଧରେ ସ୍ୱର ଉଠାଇଥିବାରୁ ଦଳର ଦୁଇ ସାଂସଦଙ୍କୁ ଟାର୍ଗେଟ କରାଯାଇଥିବା କହିଛନ୍ତି ଟିଏମସି କର୍ମୀ । ସେପଟେ ଟିଏମସିର ବିକ୍ଷୋଭ କାର୍ଯ୍ୟକ୍ରମକୁ ନେଇ ଆଶଙ୍କାରେ ରହିଛି ବିଜେପି । ବିଜେଡିର ସମର୍ଥନ ନେଇ ତୃଣମୂଳ କଂଗ୍ରେସର କର୍ମୀମାନେ ବିଜେପି ଅଫିସରେ ଆକ୍ରମଣ କରିପାରନ୍ତି ବୋଲି ବିଜେପି ଆଶଙ୍କା ପ୍ରକାଶ କରିଛି ।

ଦେଖନ୍ତୁ ଏହି ଭିଡିଓ :