ଘଣ୍ଟାଏ ମଧ୍ୟରେ ସ୍ଥଳଭାଗ ଛୁଇଁବ ତିତଲି । ୧୬୫ କିଲୋମିଟର ବେଗରେ ପବନ ବହିବ, ତାଜା ସୂଚନା ଦେଲା ପାଣିପାଗ ବିଭାଗ

59

କନକ ବ୍ୟୁରୋ : ଆଉ ମାତ୍ର ଏକ ଘଣ୍ଟାର ଅପେକ୍ଷା । ଭେରି ସିଭିୟର ସାଇକ୍ଲୋନ ଷ୍ଟ୍ରର୍ମ ବା ଅତି ଭୟଙ୍କର ବାତ୍ୟା ତିତଲି ଏକ ଘଣ୍ଟା ପରେ ସ୍ଥଳଭାଗ ଛୁଇଁବ । ଆଉ ଏହି ସମୟରେ ସର୍ବାଧିକ ୧୬୫ କିଲୋମିଟର ବେଗରେ ପବନ ବହିପାରେ । ସ୍ଥଳଭାଗରେ ମାଡ ହେବା ପରେ ଦୀର୍ଘ ୩ ଘଣ୍ଟା ଧରି ତାଣ୍ଡବ ରଚିବ ତିତଲି । ଏବେ ଏହି ଭୟଙ୍କର ବାତ୍ୟା ଘଣ୍ଟାପ୍ରତି ୧୩ କିଲୋମିଟର ବେଗରେ ଗତି କରୁଛି । ତେଣୁ ଏହା ସ୍ଥଳଭାଗ ଛୁଇଁବା ପରେ ଏହି ଅତି ଭୟଙ୍କର ରୂପ ନେଇପାରେ ।

ତିତଲି ଯେତିକି ପାଖକୁ ଆସୁଛି ବର୍ଷା ଓ ପବନର ଗତି ମଧ୍ୟ ସେହି ଅନୁପାତରେ ବଢି ଚାଲିଛି । ଏବେ ଗୋପାଳପୁର ଠାରେ ଘଣ୍ଟାପ୍ରତି ୧୫୦ କିଲୋମିଟର ବେଗରେ ପବନ ବହୁଥିବା ବେଳେ ଏହାର ପ୍ରଭାବରେ ଘରଦ୍ୱାର ଛପର ଓ ଆଜବେଷ୍ଟସ ଉଡିଯାଇଛି । ସେହିଭଳି ରାସ୍ତାରେ ଗଛ ଗୁଡିକ ଭାଙ୍ଗି ପଡିଛି । ବିଦ୍ୟୁତ ସରବରାହ ସମ୍ପୂର୍ଣ୍ଣ ଭାବେ ଠପ ହୋଇଯାଇଛି । ତେବେ ଏହି ଭୟଙ୍କର ବାତ୍ୟା ଗୋପାଳପୁର ଠାରୁ ମାତ୍ର ୮୫ କିଲୋମିଟର ଦୂରରେ ରହିଛି । ଏହା ଗୋପାଳପୁର ଓ କଳିଙ୍ଗପଟ୍ଟନମର ମଧ୍ୟବର୍ତ୍ତୀ ଅଞ୍ଚଳରେ ସ୍ଥଳଭାଗ ଛୁଇଁବ ବୋଲି ଜଣାପଡିଛି । ଏହାଛଡା ତିତଲିର ଆଖି ପରିଧିର ଆଖପାଖ ପରିସରରେ ୧୫୦ କିଲୋମିଟରରୁ ଅଧିକ ବେଗରେ ପବନ ବହୁଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେଣୁ ତିତଲି ସ୍ଥଳଭାଗ ଛୁଇଁବା ପରେ ପ୍ରବଳ ବର୍ଷା ସହ ପବନର ବେଗ ବଢିପାରେ ।