ମହାବଳ ପାଇଁ ହଜିଲା ନିଦ ! ଘରୁ ବାହାରିବା ପାଇଁ ଲୋକଙ୍କୁ ଡର, ବାଘ ଭୟରେ ଦିନ ରାତି ପହରା ଦେଉଛନ୍ତି ସାତକୋଶିଆ ଅଂଚଳବାସୀ ।

58

କନକ ବ୍ୟୁରୋ : ସାତକୋଶିଆ ଅଭୟାରଣ୍ୟକୁ ଲାଗିଥିବା ଗାଁରେ ଘାରିଛି ମହାବଳ ଭୟ । ମଧ୍ୟପ୍ରଦେଶରୁ ମହାବଳ ବାଘ ମହାବୀର ଓ ବାଘୁଣୀ ସୁନ୍ଦରୀକୁ ସାତକୋଶିଆରେ ଛାଡିବା ପରେ ନିକଟବର୍ତି ଗାଁ ଲୋକଙ୍କ ଜୀବନ ଶୈଳୀ ବଦଳି ଯାଇଛି । ଜାଳେଣୀ ସଂଗ୍ରହ ହେଉ କି ଚାଷବାଷ କାମ ଜଙ୍ଗଲ ପାଖ ଦେଇ ବି ଯାତାୟତ କରିବାକୁ ଡରୁଛନ୍ତି ଲୋକେ । ତେଣୁ ସାତକୋଶିଆରେ କିଏ ରହିବ-ବାଘ ନା ମଣିଷ, ଏ ନେଇ ସୃଷ୍ଟି ହୋଇଛି ବଡ଼ ପ୍ରଶ୍ନବାଚୀ ।

ସାତକୋଶିଆରେ ଘାରିଛି ମହାବଳ ଭୟ, ଘରୁ ବାହାରିବାକୁ ଡରୁଛନ୍ତି ଗ୍ରାମବାସୀ । ସାତକୋଶିଆ ଅଭୟାରଣ୍ୟର ମାତ୍ର ଏକ କିଲୋମିଟର ଦୂରରେ ରହିଛି ନୂଆକ୍ଷେତା ଗାଁ । ସାତକୋଶିଆରେ ଅଭୟାରଣ୍ୟକୁ ମହାବଳ ଆସିବା ପରେ ଗାଁ ଲୋକଙ୍କ ନିଦ ହଜିଯାଇଛି । ହାତରେ ଲାଠି ଧରି ଦିନ ରାତି ଜଗି ବସିଛନ୍ତି ଗ୍ରାମବାସୀ । କେବଳ ନୂଆକ୍ଷେତା ନୁହେଁ ଅଭୟାରଣ୍ୟକୁ ଲାଗି ରହିଥିବା ଗାଁ ଗୁଡିକରେ ମଧ୍ୟ ଭୟର ବାତାବରଣ । ଘରୁ ବାହାରିବାକୁ ଡରୁଛନ୍ତି ଲୋକ । ପିଲାମାନେ ସ୍କୁଲ ଯାଆନ୍ତୁ କି ଅନ୍ୟ କାମରେ ବାହାରକୁ ଯାଆନ୍ତୁ ହାତରେ ଠେଙ୍ଗା ଧରି ଦଳ ଦଳ ହୋଇ ଏକାଠି ଯାଉଛନ୍ତି ଲୋକ ।

ସାତକୋଶିଆ ଅଭୟାରଣ୍ୟରେ ମଧ୍ୟପ୍ରଦେଶରୁ ମହାବଳ ବାଘ ମହାବୀର ଓ ବାଘୁଣୀ ସୁନ୍ଦରୀକୁ ଛାଡିବା ପରେ ଲୋକଙ୍କ ଜୀବନ ଶୈଳୀ ବଦଳିଯାଇଛି । ଜାଳେଣୀ ଠାରୁ ଆରମ୍ଭ କରି ଜୀବିକା ପାଇଁ ଯେଉଁ ଜଙ୍ଗଲ ଉପରେ ସେମାନେ ନିର୍ଭର କରିଥାନ୍ତି, ଏବେ ସେହି ଜଙ୍ଗଲକୁ ଯିବା ପାଇଁ ମନରେ ଭୟ । ଚାଷ ବାସରେ ପଡିଛି ବଡ଼ ପ୍ରଭାବ । ଲୋକଙ୍କ ଅଭିଯୋଗ, କୁମ୍ଭୀର ପ୍ରକଳ୍ପ ଯୋଗୁଁ ଜୀବିକା ହରାଇଥିଲେ ମତ୍ସ୍ୟଜୀବୀ । ହସ୍ତୀ ପ୍ରକଳ୍ପ ଯୋଗୁ ଚାଷୀଙ୍କ ଫସଲ ଉଜୁଡି ଯାଇଛି । ଏବେ ମହାବଳ ଛାଡିବାରୁ ପଶୁପାଳନ କରି ସାତକୋଶିଆରେ ଗୁଜୁରାଣ ମେଂଟାଉଥିବା ବ୍ୟକ୍ତିରେ ଜୀବିକା ଉଜୁଡ଼ିବାକୁ ବସିଛି ।

ସାତକୋଶିଆରେ କିଏ ରହିବ-ବାଘ ନା ମଣିଷ, ଏ ନେଇ ସୃଷ୍ଟି ହୋଇଛି ବଡ଼ ପ୍ରଶ୍ନ । ବନବିଭାଗ ବିରୋଧରେ ମେଳି ବାନ୍ଧୁଛନ୍ତି ସ୍ଥାନୀୟ ଅଧିବାସୀ । ଏହି ସପ୍ତାହରେ ସାତକୋଶିଆ କ୍ଷତିଗ୍ରସ୍ତ ପ୍ରଜା ସୁରକ୍ଷା ସମିତି ପକ୍ଷରୁ ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ସାତକୋଶିଆ ଡିଏଫଓଙ୍କ ବିରୋଧରେ ବିକ୍ଷୋଭ କରାଯାଇଥିଲା । ବାଘ-ବାଘୁଣୀଙ୍କୁ ତାର ଜାଲି ଭିତରେ ରଖି ଲୋକମାନଙ୍କୁ ସୁରକ୍ଷା ଦେବାକୁ ଦାବି କରାଯାଉଛି । ଏପରିକି ସୁରକ୍ଷା ନଦେଲେ ମହାବଳକୁ ଗୁଳି କରି ମାରି ଦେବେ ବୋଲି ସିଧାସିଧା ଧମକ ଦେଇଥିଲେ ଆନ୍ଦୋଳନକାରୀ ।