ମହାନଦୀରେ ବନ୍ୟା ଆଶଙ୍କା ! ଲଗାଣ ବର୍ଷା ଯୋଗୁଁ ବଢ଼ିଚାଲିଛି ଜଳସ୍ତର, ଉପର ମୁଣ୍ଡରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ ।

108

କନକ ବ୍ୟୁରୋ : ବଢୁଛି ମହାନଦୀ । ଉପରମୁଣ୍ଡରେ ବର୍ଷା ଯୋଗୁଁ ଆଜି ଦିନ ସାରା ମହାନଦୀର ଜଳସ୍ତର ବଢିଚାଲିଥିବା ବେଳେ ପାଣିପାଗ ବିଭାଗର ପୂର୍ବାନୁମାନ ଚିନ୍ତା ବଢାଇଦେଇଛି । ପାଣିପାଗ ବିଭାଗ କହିଛି, ଆସନ୍ତା ୨୪ ଘଂଟା ଯାଏଁ ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ନରାଜଠାରେ ମହାନଦୀ ଜଳସ୍ତର ବିପଦସଙ୍କେତ ତଳେ ରହିଥିଲେ ମଧ୍ୟ ଲଗାଣ ବର୍ଷା ଭୟର କାରଣ ହୋଇପାରେ ବୋଲି କୁହାଯାଉଛି । ଏହାଛଡା ଆସନ୍ତା ୨୪ ତାରିଖରେ ହୀରାକୁଦ୍ ଗେଟ୍ ଖୋଲାଯିବ । ଏହାଦ୍ୱାରା ତଳମୁଣ୍ଡରେ ଜଳସ୍ତର ଆହୁରି ବଢିପାରେ ।

ମହାନଦୀରେ ସୃଷ୍ଟି ହୋଇଛି ବନ୍ୟା ଆଶଙ୍କା । ମାତ୍ର କିଛି ଦିନ ତଳେ ଶୁଖିଲା ମହାନଦୀକୁ ନେଇ ଛତିଶଗଡ ଓ ଓଡିଶା ମୁହାଁ ମୁହିଁ ହୋଇଥିବା ବେଳେ ଏବେ ସେହି ମହାନଦୀ ବନ୍ୟା ସୃଷ୍ଟି କରିପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି । ଏନେଇ ଏସଆରସି ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି । ୬ଟି ଜିଲ୍ଲାରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ଯାଜପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, କଟକ, ଜଗତସିଂହପୁର ଏବଂ ପୁରୀରେ ବନ୍ୟା ଆଶଙ୍କା ରହିଛି । କାଲିସୁଦ୍ଧା ମୁଣ୍ଡୁଳୀରେ ପହଞ୍ଚିପାରେ ବନ୍ୟାଜଳ । ମଣ୍ଡୁଳୀରେ ୭.୫ରୁ ୮ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହୋଇପାରେ ।

ରବିବାରର ତଥ୍ୟ ଅନୁସାରେ ସକାଳ ୬ଟାରେ ନରାଜ ଠାରେ ମହାନଦୀର ଜଳସ୍ଥର ୨୨.୪୦ ମିଟର ଥିବା ବେଳେ ୯ଟା ବେଳକୁ ଏହା ଖସିଆସି ୨୨.୩୭ ମିଟରରେ ପହଞ୍ଚିଲା । କିନ୍ତୁ ଏହା ପରେ ଜଳସ୍ଥର ବଢିବାରେ ଲାଗିଲା । ଦିନ ୧୨ଟା ସୁଦ୍ଧା ଜଳସ୍ଥର ୨୨.୪୪ରେ ପହଞ୍ଚିଛି । ନରାଜରେ ମହାନଦୀ ବିପଦ ସଂକେତ ତଳେ ପ୍ରବାହିତ ହେଉଥିଲେ ମଧ୍ୟ ପାଣି ପାଗ ବିଭାଗର ପୂର୍ବନୁମାନ ମହାନଦୀକୁ ନେଇ ଚିନ୍ତା ବଢାଇ ଦେଇଛି ।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ମହାନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ସେହିପରି ବ୍ରାହ୍ମଣୀ, ବୈତରଣୀ, ବୁଢାବଳଙ୍ଗ, ଋଷିକୂଲ୍ୟା ଓ ଜଳକା ନଦୀର ଜଳସ୍ଥର ମଧ୍ୟ ବଢିବାରେ ଲାଗିଛି । ଅବଶ୍ୟ ଏହି ସବୁ ନଦୀର ଜଳସ୍ଥର ବିପଦ ସଙ୍କେତ ତଳେ ରହିଛି । ତେବେ ବର୍ଷା ଲାଗିରହିଲେ ଏସବୁ ନଦୀରେ ବନ୍ୟା ଆଶଙ୍କାକୁ ଏଡାଇଦେଇ ହେବନାହିଁ ।

ସେପଟେ ଉତ୍ତର ଓଡିଶାରେ ଶନିବାର ସୁଦ୍ଧା ସୃଷ୍ଟି ହୋଇଥିବା ଅବପାତ ରବିବାର ବେଳକୁ ଝାରଖଣ୍ଡ ଓ ଉତ୍ତର ଓଡିଶା ସୀମାନ୍ତରେ ଅବସ୍ଥିତ ଅଛି । ଉଦବେଗର କଥା ହେଉଛି ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଏହାର ତୀବ୍ରତା ବଜାୟ ରହିବ । ଏହାର ପ୍ରଭାବରେ ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ଦେଓଗଡ, କେଉଁଝର, ମୟୁରଭଞ୍ଜ, ଅନୁଗୁଳ, ସୋନପୁର, ବଲାଙ୍ଗିର, ନୂଆପଡା ଜିଲ୍ଲାରେ ପ୍ରବଳ ବର୍ଷା ହେବ ।