ରାତିପାହିଲେ ଘୋଷଯାତ୍ରା : ତିନି ରଥକୁ ସଜେଇବା ପାଇଁ ସୋଲଫୁଲ ଯୋଗାଉଛନ୍ତି ଏହି ନିଆରା ସେବକ ପରିବାର

56

କନକ ବ୍ୟୁରୋ : ରାତିପାହିଲେ ଘୋଷଯାତ୍ରା । ମହାପ୍ରଭୁ ଯିବେ ମାଉସୀଘର । ଚତୁର୍ଦ୍ଧାମୂର୍ତ୍ତିଙ୍କୁ ନେଇଯିବା ପାଇଁ ରଥଖଳାରେ ରଥ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଆରମ୍ଭ ହୋଇଯାଇଛି ରଥ ସଜ୍ଜାର ଶେଷ କାର୍ଯ୍ୟ । ତିନି ରଥକୁ ସଜେଇବା ପାଇଁ ବ୍ୟବହାର ହୋଇଥାଏ ଭଳିକି ଭଳି ସୋଲଫୁଲ । ଆଉ ସେହି ଫୁଲକୁ ଦୀର୍ଘ ୧୭ବର୍ଷ ଧରି ଯୋଗାଇ ଆସୁଛନ୍ତି ଖୋର୍ଦ୍ଧା ଗୁରୁଜଙ୍ଗ ଭୋଇ ସାହିର ରାଜକିଶୋର ନାୟକଙ୍କ ପରିବାର । ଜଗନ୍ନାଥଙ୍କ ସାନିଧ୍ୟ ଓ ସେବା ପାଲଟିଛି କାଳିଆର ଏହି ନିଆରା ସେବକ ପରିବାର ପାଇଁ ସବୁକିଛି ।

ଭଳିକି ଭଳି ଫୁଲରେ ସଜେଇ ହେବ ମହାପ୍ରଭୁଙ୍କ ତିନି ରଥ । ସୋଲରେ ତିଆରି ଚୁମୁକି ଲଗା କେତକୀ ଓ କଦମ୍ବ ଫୁଲରେ ସଜ୍ଜା ହେବ ମହାପ୍ରଭୁଙ୍କ ରଥ । ଏଥିପାଇଁ ଚଳଚଂଚଳ ଖୋର୍ଦ୍ଧା ଭୋଇ ସାହିର ରାଜକିଶୋର ନାୟକଙ୍କ ଘର । ଦୀର୍ଘ ୧୭ବର୍ଷ ହେଲାଣି ତିନି ଠାକୁରଙ୍କ ତିନି ରଥରେ ସୋଲ ଫୁଲ ଲଗାଇ ରଥର ଶୋଭା ବଢ଼ାଇଥାନ୍ତି ଏହି ପରିବାର । ଏହାକୁ ଜଗନ୍ନାଥଙ୍କ ସାନିଧ୍ୟ ଓ ସେବା ପାଇବାର ଏକ ମାର୍ଗ ବୋଲି କୁହନ୍ତି କାଳିଆର ଏହି ନିଆର ସେବକ ।

ଭୋଇ ସାହିର ସେହି ସୋଲଫୁଲ ପ୍ରସ୍ତୁତକାରୀ ପରିବାରର । ପରିବାରର ଛୋଟ ଠାରୁ ବଡ ପର୍ଯ୍ୟନ୍ତ ସମସ୍ତ ସଦସ୍ୟ ଲାଗି ପଡିଛନ୍ତି ଫୁଲ ପ୍ରସ୍ତୁତିରେ, ନିଷ୍ଠାର ସହ ରହି ପ୍ରସ୍ତୁତ କରୁଛନ୍ତି ଭଳିକି ଭଳି ଫୁଲ । ସାରା ଘର ସୁନ୍ଦର ସୁନ୍ଦର ସୋଲଫୁଲରେ ଶୋଭାପାଉଛି । ପରିବାରର ମୁଖ୍ୟ କୁହନ୍ତି ସୋଲରେ ଫୁଲ ପ୍ରସ୍ତୁତି ସେମାନେ ତାଙ୍କର ଜେଜେବାପା ଅମଳରୁ ଶିଖିଛନ୍ତି । ତେବେ ୨୦୦୪ ମସିହାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୩ ରଥରେ ଫୁଲଲାଗି ପାଇଁ ଅନୁମତି ମିଳିଥିଲା । ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ କାଳିଆର ସେବା କରି ଆସୁଛି ଏହି ପରିବାର ।
କଥାରେ ଅଛି ଭକ୍ତ ଆଉ ଭଗବାନର ସମ୍ପର୍କ ନିଆରା । ଆଉ ସେଇ ସମ୍ପର୍କ ଭିତରେ ଯୋଡି ହୋଇଯାଇଛି ଏହି ସେବକ ପରିବାର ।