ଗଣମାଧ୍ୟମରେ ପାକିସ୍ତାନକୁ ଭାରତ ଦେଇଥିବା ନଥି । ପାକିସ୍ତାନ ମାଟିରୁ ଆତଙ୍କୀ ଷଡଯନ୍ତ୍ରର ତାଜା ପ୍ରମାଣ ।

322

କନକ ବ୍ୟୁରୋ : ପୁଲୱାମା ଆତ୍ମଘାତୀ ଆକ୍ରମଣରେ ପାକିସ୍ତାନୀ ଆତଙ୍କୀ ସଂଗଠନର ହାତଥିବା ନେଇ ପ୍ରମାଣ ମାଗିଥିଲା ଇସଲାମାବାଦ । ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଥିଲେ, ଭାରତ ପ୍ରମାଣ ଦେଲେ ସେ ନିଜେ ଆତଙ୍କୀ ସଂଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେ । ଏହାପରେ ଗତ ୨୭ ତାରିଖରେ ପାକିସ୍ତାନକୁ ପ୍ରମାଣ ଦେଇଥିଲା ଭାରତ । ଜାତୀୟ ଗଣମାଧ୍ୟମ ଟାଇମ୍ସ ନାଓ ହାତରେ ଲାଗିଛି ଭାରତ ଦେଇଥିବା ନଥିପତ୍ର । ଆସନ୍ତୁ ଜାଣିବା ପାକିସ୍ତାନକୁ କଣ ପ୍ରମାଣ ଦେଇଛି ଭାରତ ।

ଗଣମାଧ୍ୟମରେ ପାକିସ୍ତାନକୁ ଭାରତ ଦେଇଥିବା ନଥି । ପାକିସ୍ତାନ ମାଟିରୁ ଆତଙ୍କୀ ଷଡଯନ୍ତ୍ରର ତାଜା ପ୍ରମାଣ । ପୁଲୱାମା ଆତ୍ମଘାତୀ ଆକ୍ରମଣରେ ପାକିସ୍ତାନୀ ଆତଙ୍କୀ ସଂଗଠନର ହାତଥିବା ନେଇ ପ୍ରମାଣ ମାଗିଥିଲା ଇସଲାମାବାଦ । ଫିଦାଇନ୍ ହମଲାର ପାଂଚଦିନ ପରେ ସାମ୍ବାଦିକ ସମ୍ମିଳନୀ କରି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ କହିଥିଲେ, ଭାରତ ପ୍ରମାଣ ଦେଲେ ଆତଙ୍କବାଦୀ ସଂଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ସେହି ଆଧାରରେ ଗତ ୨୭ ତାରିଖ ଦିନ ଆବଶ୍ୟକ ତଥ୍ୟ, ପ୍ରମାଣ ସହ ନଥିପତ୍ର ପ୍ରଦାନ କରିଛି ନୂଆଦିଲ୍ଲୀ । ଏହି ନଥି ଏବେ ଜାତୀୟ ଗଣମାଧ୍ୟମ ଟାଇମ୍ସ ନାଓ ହାତରେ ଲାଗିଛି । ପାକିସ୍ତାନ ମାଟିରେ ରହି ଜୈଶ-ଏ-ମହମ୍ମଦ ସଂଗଠନ କିଭଳି ଭାରତ ବିରୋଧୀ ଷଡଯନ୍ତ୍ର କରୁଛି, ସେ ବାବଦରେ ଏହି ନଥିପତ୍ରରେ ବିସ୍ତୃତ ତଥ୍ୟ ଦିଆଯାଇଛି ।

ଡୋସିଅରରେ ଲେଖାଯାଇଛି :

– ପାକିସ୍ତାନ ଓକାରା ଜିଲ୍ଲାରେ ହୋଇଥିଲା ‘ଘାଜୱା-ଏ-ହିନ୍ଦ’ କନଫରେନ୍ସ

– ଏହି ସମ୍ମିଳନୀରେ ସାମିଲ ହୋଇଥିଲେ ପ୍ରାୟ ୨୦୦୦ ଲୋକ

– ସମ୍ମିଳନୀକୁ ସମ୍ବୋଧନ କରିଥିଲେ ଜେଇଏମ କମାଣ୍ଡର ମୁଫତି ଅବଦୁଲ ରୌଫ ଅସଗର

– ମୌଲାନା ମକସୁଦ୍ ଓ ଅବଦୁଲ ମଲ୍ଲିକ ତାହିର ବି ସମ୍ମିଳନୀରେ ଭାଷଣ ଦେଇଥିଲେ

ଭାରତ ଦେଇଥିବା ଡୋସିଅରରେ ଉଲ୍ଲେଖ ଅଛି ଯେ, କେତେକ ଆତଙ୍କବାଦୀଙ୍କ ପ୍ରାଣବଳୀକୁ ପ୍ରଶଂସା କରିଥିଲା ମୁଫତି ଅବଦୁଲ ରୌଫ ଅସଗର । ଜାମ୍ମୁ-କାଶ୍ମୀରରେ ମୃତ ଆତଙ୍କବାଦୀ ସଜାଦ ଓ ତଲହାର ପରିବାରକୁ ଶୁଭେଚ୍ଛା ଜଣାଇଥିଲା ରୌଫ ଅସଗର ।

ଏହାଛଡା ଅନ୍ୟଏକ ଆତଙ୍କା ହମଲାର ଉଦାହରଣ ଏହି ଡୋସିଅରରେ ଅଛି ।

– ୧୦ ଫେବ୍ରୁଆରୀ ୨୦୧୮ରେ ଭାରତୀୟ ସେନା କ୍ୟାମ୍ପରେ ଆକ୍ରମଣ ହୋଇଥିଲା

– ସୁଜୁଆଁ କ୍ୟାମ୍ପରେ ଆତ୍ମଘାତୀ ଆକ୍ରମଣ କରିଥିଲେ ଜୈସ ସଂଗଠନର ମୁଜାହିଦ୍ଦିନ୍

– ୫ ସେନା ଅଧିକାରୀଙ୍କ ମୃତ୍ୟୁ ହୋଇଥିବାବେଳେ ଏକାଧିକ ଆହତ ହୋଇଥିଲେ

ଅଫଜଲ ଗୁରୁ ଓ ମକବୁଲ ଭଟ୍ଟର ପ୍ରାଣବଳୀ ଦିବସରେ ମୋଦି ସରକାରଙ୍କୁ ଜେଇଏମ ମୁଜାହିଦ୍ଦିନ ଏହି ଉପହାର ଭେଟି ଦେଇଥିଲେ ବୋଲି ଡୋସିଅରରେ ଉଲ୍ଲେଖ ରହିଛି । ଏହି ରିଭେଞ୍ଜ ଅପରେସନ୍ ବା ପ୍ରତିଶୋଧ ଅଭିଯାନରେ ୫ ଆତଙ୍କବାଦୀ ସାମିଲ ହୋଇଥିଲେ ଏବଂ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ସୁରକ୍ଷିତ ଭାବେ ଖସିଆସିଥିଲେ । ଏବଂ ଏହି ପୁରା ଅପରେସନକୁ କାର୍ଯ୍ୟକାରୀ କରିଥିଲା ଅଫଜଲ ଗୁରୁ ସହିଦ ସ୍କ୍ୱାର୍ଡ ।

ପାକିସ୍ତାନ ମାଟିରୁ ଭାରତ ବିରୋଧୀ ଆତଙ୍କବାଦୀ ଷଡଯନ୍ତ୍ର ନେଇ ବାରମ୍ବାର ପ୍ରମାଣ ଦେଇଆସିଛି ଭାରତ । ୨୬/୧୧ ମୁମ୍ବାଇ ଆକ୍ରମଣ ପରେ ମଧ୍ୟ ଭାରତ ପାକିସ୍ତାନୀ ଆତଙ୍କୀ ସଂଗଠନର ସଂପୃକ୍ତି ନେଇ ଯଥେଷ୍ଟ ପ୍ରମାଣ ଦେଇଥିଲା । ହେଲେ ପାକିସ୍ତାନ ଏହାକୁ ଅସ୍ୱୀକାର କରିବା ସହ ଆତଙ୍କବାଦୀ ସଂଗଠନଗୁଡିକୁ ପରୋକ୍ଷରେ ସମର୍ଥନ ଓ ସହଯୋଗ ଜଣାଇଥିଲା । କୁଖ୍ୟାତ ଆତଙ୍କୀ ସଂଗଠନଗୁଡିକୁ ପାକ୍ ଗୁଇନ୍ଦା ସଂସ୍ଥା ଆଇଏସଆଇର ପ୍ରତ୍ୟକ୍ଷ ସମର୍ଥନ ରହିଆସିଛି । ତଥାପି ଭାରତକୁ ପ୍ରମାଣ ମାଗି କେବଳ ଅନ୍ତର୍ଜାତୀୟ ସମୁଦାୟକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି ଇମ୍ରାନ ସରକାର ।