ଅଲକାଏଦା ମୁଖ୍ୟ ଲାଡେନର ପୁଅ ମୁଣ୍ଡ ପାଇଁ ୭ କୋଟି ! ହମଜାକୁ ଧରାଇ ଦେଲେ ଆମେରିକା ଦେବ ପୁରସ୍କାର ।

170

କନକ ବ୍ୟୁରୋ :  ଲାଡେନ ପୁଅ ମୁଣ୍ଡ ପାଇଁ ୭ କୋଟି ଟଙ୍କାର ପୁରସ୍କାର ଘୋଷଣା କଲା ଆମେରିକା । ସାରା ବିଶ୍ୱରେ ଆତଙ୍କବାଦ୍ ବିରୋଧୀ ସ୍ୱର ଶାଣିତ ହୋଇଥିବା ବେଳେ ଓସାମା ବିନ୍ ଲାଡେନ୍ ପୁଅର ଠିକଣା କହିଲେ ମିଳିବ ପୁରସ୍କାର । ହମ୍ଜା ବିନ୍ ଲାଡେନ୍ ବାବଦରେ ସଂପର୍କ ଦେବା ବ୍ୟକ୍ତିଙ୍କୁ ୧୦ ଲକ୍ଷ ଡଲରା ପୁରସ୍କାର ଦେବ ଆମେରିକା । ଅନ୍ତରାଷ୍ଟ୍ରିୟ ଆତଙ୍କବାଦୀ ସଂଗଠନ ଅଲ୍-କାଏଦାର ଉଚ୍ଚ ପଦରେ ଥିବା ହମଜା ଆମେରିକାରେ ଆକ୍ରମଣ ପାଇଁ ବ୍ଲୁ-ପ୍ରିଂଟ ପ୍ରସ୍ତୁତ କରୁଥିବା ଜାଣିବା ପରେ ଏଭଳି ଘୋଷଣା କରିଛନ୍ତି ଟ୍ରମ୍ପ ସରକାର । ପିତୃହତ୍ୟାର ପ୍ରତିଶୋଧ ପାଇଁ ଷଡଯନ୍ତ୍ର କରୁଛି ହମଜା । ଭାରତୀୟ ମୁଦ୍ରାରେ ହମଜା ମୁଣ୍ଡ ଜାମିନ ବାବଦକୁ ପ୍ରାୟ ୭ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି ଆମେରିକା ବୈଦେଶିକ ମନ୍ତ୍ରାଳୟ ।

ଆମେରିକାରେ ଭୟଙ୍କର ଆତଙ୍କବାଦୀ ଆକ୍ରମଣ ପାଇଁ ଓସାମା ବିନ୍ ଲାଡେନର ପୁଅ ଯୋଜନା କରୁଥିବା ନେଇ ଗୁଇନ୍ଦା ସୂତ୍ରରୁ ଜାଣିବା ପରେ ଆକ୍ସନ ମୁଡରେ ଆମେରିକା । ଆମେରିକା ବୈଦେଶିକ ମନ୍ତ୍ରାଳୟ କହିଛି, ଏହା ଆମେରିକାର ଆତଙ୍କବାଦ ବିରୋଧରେ ଲଢେଇ ଓ ଗମ୍ଭୀରତାକୁ ଦର୍ଶାଉଛି । ଆତଙ୍କବାଦୀ ସଂଗଠନ ଅଲ୍-କାଏଦାରେ ସକ୍ରିୟ ଥିବା ହମଜା ବିନ୍ ଲାଡେନ୍ କିଛି ବର୍ଷ ହେବ ଲୁଚି ରହିଛି । ସେ ପାକିସ୍ତାନ, ଆଫଗାନିସ୍ତାନ, ସିରିଆ କିମ୍ବା ଇରାନରେ ରହୁଥିବା ଆମେରିକା ଅନୁମାନ କରୁଛି ।

ଅଲକାଏଦା ଆତଙ୍କୀ ସଂଗଠନ ବେଶ କିଛି ବର୍ଷ ଧରି ଶାନ୍ତ ପଡିବା ମାନେ ଆତ୍ମସମର୍ପଣ ନୁହେଁ । ବରଂ ଆତଙ୍କୀ ସଂଗଠନ ଗୁପ୍ତରେ ହମଲା ପାଇଁ ରଣନୀତି ପ୍ରସ୍ତୁତ୍ କରୁଥିବା କହିଛି ଆମେରିକା ଗୁଇନ୍ଦା ବିଭାଗ । ଓସମା ବିନ୍ ଲାଡେନ୍ ହତ୍ୟାର ପ୍ରତିଶୋଧ ଚାହେଁ ହମଜା । ଟ୍ରମ୍ପ ଦେଶରେ ଭୟଙ୍କର ଆକ୍ରମଣ ପାଇଁ ରଚୁଛି ଷଡଯନ୍ତ୍ର । ୨୦୧୧, ମେ ୨ ତାରିଖରେ ଇସଲାମ୍ବାଦ ଭିତରେ ପଶି ଅଲ୍-କାଏଦାର ମୁଖ୍ୟ ଓସାମ ବିନ୍ ଲାଡେନକୁ ହତ୍ୟା କରିଥିଲା ଆମେରିକା । ଆଉ ଏହାପରେ ଲାଡେନର ପୁରା ପରିବାର ଜନ୍ମମାଟି ସାଉଦି ଆରବକୁ ଫେରି ଯାଇଥିଲେ ।