ସାରା ରାଜ୍ୟରେ ଆରମ୍ଭ ହୋଇଗଲାଣି ଗ୍ରୀଷ୍ମ ତାତି । ରେକର୍ଡ ଭାଙ୍ଗିଲା ରାଜଧାନୀ, ୩୫ଡିଗ୍ରୀ ଉପରେ ୧୩ ସହର

ଧୁ ଧୁ ଖରା। ଘରୁ ବାହାରିବା ମୁସ୍କିଲ। ସକାଳ ୧୦ଟାରୁ ଏମିତି ତାତି ଯେ ଦେହ ଜଳିଗଲା ପରି ଲାଗୁଛି

141
କନକ ବ୍ୟୁରୋ : ଧୁ ଧୁ ଖରା। ଘରୁ ବାହାରିବା ମୁସ୍କିଲ। ସକାଳ ୧୦ଟାରୁ ଏମିତି ତାତି ଯେ ଦେହ ଜଳିଗଲା ପରି ଲାଗୁଛି। ରାସ୍ତାଘାଟ ବି ଶୂନଶାନ। ବସ୍, କାର ଗଡ଼ୁଥିବ ବେଳେ କାଁ ଭାଁ ବାଇକ୍ ଦେଖିବାକୁ ମିଳୁଛି। ଚାଲି ଚାଲି ଯିବା ତ ପଥଚାରୀଙ୍କ ପାଇଁ କଷ୍ଟକର ହୋଇପଡ଼ୁଛି। ଭୁବନେଶ୍ବରରେ ଆଜି ମେ’ ମାସର ତାତି ଅନୁଭୂତ ହେଉଛି। ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ଦିନର ତାପମାତ୍ରା ପ୍ରାୟ ୨.୯ ଡିଗ୍ରି ବଢ଼ିଛି। ଗୁରୁବାର ରାଜଧାନୀର ସର୍ବୋଚ୍ଚ ତାପମାତ୍ରା ୩୬.୩ ଡିଗ୍ରି ପହଞ୍ଚିଛି। ତାପମାତ୍ରା ଏତେ ବଢ଼ିଛି ଯେ ସାରା ଦେଶର ସର୍ବୋଚ୍ଚ ତାପମାତ୍ରା ଭୁବନେଶ୍ବରରେ ହିଁ ରେକର୍ଡ ହୋଇଛି। ପାଣିପାଗ କେନ୍ଦ୍ରର ତଥ୍ୟ କହୁଛି ୨୦୧୭ରେ ଫେବ୍ରୁଆରି ୨୦ରେ ରାଜଧାନୀର ତାପମାତ୍ରା ୩୬ ଓ ୨୦୧୮ ଫେବ୍ରୁଆରି ୨୫ରେ ୩୮ ଡିଗ୍ରି ରହିଥିଲା। ଭୁବନେଶ୍ବର ସମେତ ମାଲକାନଗିରି ତାପମାତ୍ରା ବି ବଢ଼ିଛି।
summerମାଲକାନଗିରିରେ ୩୯.୨ ଡିଗ୍ରି ରେକର୍ଡ କରାଯାଇଛି। ପଶ୍ଚିମ ଓ ଉପକୂଳ ଓଡ଼ିଶାର ଅଧିକାଂଶ ସହରର ତାପମାତ୍ରା ୩୫ ଡିଗ୍ରି ଉପରକୁ ଚାଲିଯାଇଛି। ଫେବ୍ରୁଆରି ମାସରେ ଭୁବନେଶ୍ବରରେ ଏଭଳି ତାତି ହେବା ଘଟଣା ଗତ ତିନି ବର୍ଷରେ ପ୍ରଥମ ବୋଲି ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି।ଶନିବାର ବି ସମାନ ସ୍ଥିତି ଲାଗିରହିବ। ଭୁବନେଶ୍ବର ସମେତ ଅଧିକାଂଶ ସହରର ତାପାମତ୍ରା ୩୫ ଡିଗ୍ରି ଉପରେ ରହିବ। ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ପ୍ରବଳ ଖରା ହେବ। ୨୪ ତାରିଖ ପରେ ତାପମାତ୍ରାରେ ପରିବର୍ତନ ଆସିବ। ପଶ୍ଚିମ, ଉତ୍ତର ଓ କେନ୍ଦ୍ରୀୟ ଓଡ଼ିଶାରେ ୨୬ ତାରିଖ ପର୍ଯ୍ୟନ୍ତ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ୨୫ ତାରିଖ ପାଇଁ ଭାରତୀୟ ପାଣିପାଗ କେନ୍ଦ୍ର ଆଲର୍ଟ ଜାରି କରିଛି।