ପୁଅର ଛାଡ଼ପତ୍ର ଚିନ୍ତାରେ ବିଗିଡ଼ିଲା ଲାଲୁ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା : ସେପଟେ ତେଜ୍ ପ୍ରତାପ୍ କହିଲେ ପରିବାରର ସମର୍ଥନ ନମିଳିଲେ ଘରକୁ ଫେରିବା ଅସମ୍ଭବ

ମାମଲାର ସମାଧାନ ପାଇଁ ପାରିବାରିକ ସ୍ତରରେ ଉଦ୍ୟମ ଜାରି

152

କନକ ବ୍ୟୁରୋ : ବିହାରର ପ୍ରତିଷ୍ଠିତ ଯାଦବ ପରିବାରକୁ ମାଡିଆସିଛି ସଙ୍କଟ । ପ୍ରଥମେ ଲାଲୁଙ୍କ ଦୁଇପୁଅ ତେଜପ୍ରତାପ ଓ ତେଜସ୍ୱୀଙ୍କ ଭିତରେ ମତଭେଦକୁ ନେଇ ଚର୍ଚ୍ଚା ଲାଗି ରହିଥିଲା । ଏବେ ବଡପୁଅ ତେଜପ୍ରତାପଙ୍କ ଛାଡପତ୍ର ମାମଲା ବାପା ଲାଲୁଙ୍କ ଚିନ୍ତା ବଢାଇ ଦେଇଛି । ଏପରିକି ଏହା ତାଙ୍କ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିବାବି କୁହାଯାଉଛି ।

ପତ୍ନୀ ଐଶ୍ଚର୍ଯ୍ୟାଙ୍କୁ ଛାଡପତ୍ର ଦେବା ଜିଦ୍ରେ ଅଟଳ ରହିଛନ୍ତି ଲାଲୁଙ୍କ ପୁଅ ତେଜପ୍ରତାପ । ଘର ଛାଡି ଚାଲି ଯାଇଥିବା ତେଜପ୍ରତାପ କହିଛନ୍ତି, ଯେତେବେଳ ଯାଏଁ ପରିବାର ଲୋକ ମୋ ସହ ସହମତ ନୁହନ୍ତି, ସେପର୍ଯ୍ୟନ୍ତ ମୁଁ ଘରକୁ ଫେରିବି ନାହିଁ । ବାହାଘର ସମୟରେ ବି ମୋ କଥା କେହି ଶୁଣି ନଥିଲେ, ଏବେ ବି କେହି ଶୁଣୁ ନାହାନ୍ତି ।

ତେଜ ପ୍ରତାପ ଓ ଐଶ୍ୱର୍ଯ୍ୟାଙ୍କ ଭିତରେ ସୃଷ୍ଟି ହୋଇଥିବା ଫାଟ ବଢି ବଢି ଚାଲିଛି । ଚାରା ଦୁର୍ନୀତି ଓ ଅନ୍ୟ ଅଭିଯୋଗରେ ଜେଲରେ ଥିବା ଲାଲୁ ଯାଦବ ଏବେ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ବାପାଙ୍କୁ ଭେଟିବା ପାଇଁ ହସ୍ପିଟାଲରେ ପହଂଚିଥିଲେ ତେଜ ପ୍ରତାପ । ଅସୁସ୍ଥ ଲାଲୁ ବଡ ପୁଅର ବୈବାହିକ ସମସ୍ୟା ନେଇ ଚିନ୍ତିତ ଥିବା କୁହାଯାଉଛି । ଏପରିକି ସେ ରାତିରେ ଶୋଇ ପାରୁ ନଥିବା କହିଛନ୍ତି ଡାକ୍ତର । ଅନ୍ୟପଟେ ଐଶ୍ୱର୍ଯ୍ୟାଙ୍କୁ ଛାଡି ପତ୍ର ଦେବା ନେଇ ଅଟଳ ଅଛନ୍ତି ତେଜ ପ୍ରତାପ । ସେ କହିଛନ୍ତି , ମିଠା ମିଠା କଥାରେ ମୁଁ ଭୁଲିଯିବା ମଣିଷ ନୁହେଁ । ମୁଁ ଜାଣିଛି ମୁଁ କଣ କରୁଛି । ମୁଁ ବୁଝି ବିଚାରି ନିଷ୍ପତି ନେଇଛି ।

ଘର ଛାଡି ଏବେ ତେଜ ପ୍ରତାପ ଯାଦବ ବାରଣାସୀ, ବିନ୍ଧ୍ୟାଂଚଳ, ହରିଦ୍ୱାର ଆଦି ସହରରେ ରହୁଥିବା ସୂଚନା ମିଳିଛି । ସେପଟେ ଲାଲୁ ପରିବାରର ସବୁଠୁ ବଡ ପର୍ବ ଛଟ୍ ପୂଜା କରିବେ ନାହିଁ ବୋଲି ନିଷ୍ପତି ନେଇଛନ୍ତି ମାଆ ରାବଡି ଦେବୀ । ବିବାହର ମାତ୍ର ୬ ମାସରେ ତେଜ ପ୍ରତାପ ଓ ଐଶ୍ୱର୍ଯ୍ୟାଙ୍କ ସଂପର୍କରେ ସୃଷ୍ଟି ହୋଇଛି ଫାଟ ସୃଷ୍ଟି । ଏନେଇ ଗତ ନଭେମ୍ବର ୧ ତାରିଖରେ ତେଜ ପ୍ରତାପ ଛାଡପତ୍ର ପାଇଁ କୋର୍ଟରେ ଆବେଦନ କରିଛନ୍ତି । ଦିନେ ଲାଲୁ ପରିବାର ରାଜନୀତି ପାଇଁ ଯେତେ ଚର୍ଚ୍ଚାରେ ରହୁଥିଲା, ଏବେ ତେଜ ପ୍ରତାପ ଓ ଐଶ୍ୱର୍ଯ୍ୟାଙ୍କ ବିବାଦ ନେଇ ଅଧିକ ଚର୍ଚାରେ ରହିଛି ।