ମେକ୍ ଇନ୍ ଓଡ଼ିଶାକୁ ନେଇ ମହା-ପଲିଟିକ୍ସ : ବିରୋଧୀ କହିଲେ, ଶିଳ୍ପ ଅନୁକୂଳ ବାତାବରଣ ଯୋଗାଇବାରେ ବିଫଳ ସରକାରଙ୍କ ଇଭେଂଟ ଭିତ୍ତିକ କାର୍ଯ୍ୟକ୍ରମ

ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ କିପରି ବାତାବରଣ ରହିଛି, ତାକୁ ସୋ’ କେସ୍ କରିବାକୁ ଯାଉଛନ୍ତି ରାଜ୍ୟ ସରକାର ।

78

କନକ ବ୍ୟୁରୋ : ଆସନ୍ତାକାଲିଠୁ ଭୁବନେଶ୍ୱରରେ ଆରମ୍ଭ ହେଉଛି ମେକ ଇନ୍ ଓଡିଶା କନକ୍ଲେଭ । କନକ୍ଲେଭରେ ଦେଶ ବିଦେଶର ପ୍ରାୟ ୮୦୦ ଶିଳ୍ପ ସଂସ୍ଥାର ପ୍ରତିନିଧିମାନେ ଯୋଗଦେବେ । ୫ ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କନକ୍ଲେଭ ପାଇଁ ରାଜ୍ୟ ସରକାର ଜୋରସୋର ପ୍ରସ୍ତୁତିରେ ଲାଗିପଡିଥିବାବେଳେ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ । ଶିଳ୍ପ ଅନୁକୂଳ ବାତାବରଣ ଯୋଗାଇଦେବାରେ ରାଜ୍ୟ ସରକାରଙ୍କ ବିଫଳକୁ ନେଇ ବିଜେପି ପ୍ରଶ୍ନ କରିଥିବା ବେଳେ ନିର୍ବାଚନ ପୂର୍ବରୁ ଏପରି ଧୂଆଁବାଣ କରାଯାଇଥିବା କଂଗ୍ରେସ କହିଛି ।

କାଲିଠାରୁ ଆରମ୍ଭ ହେବାକୁ ଥିବା ଏହି ମେଗା ଇଭେଂଟ ପାଇଁ ଭୁବନେଶ୍ୱର ଜନତା ମଇଦାନରେ ହୋଇଛି ବ୍ୟାପକ ଆୟୋଜନ । ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ କିପରି ବାତାବରଣ ରହିଛି, ତାକୁ ସୋ’ କେସ୍ କରିବାକୁ ଯାଉଛନ୍ତି ରାଜ୍ୟ ସରକାର । ଏହି କନକ୍ଲେଭରେ ଦେଶ ବିଦେଶର ପ୍ରାୟ ୮୦୦ ଶିଳ୍ପ ସଂସ୍ଥାର ପ୍ରତିନିଧି ଯୋଗ ଦେବେ । ଶିଳ୍ପପତି, ନିବେଶକମାନଙ୍କର ଏହା ହେବ ମହାସମାଗମ । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ମୁଖ୍ୟ ମୁକେଶ ଅମ୍ବାନୀ, ଗୌତମ ଆଦାନି, କୁମର ମଙ୍ଗଳମ ବିର୍ଲା, ଆନନ୍ଦ ମହିନ୍ଦାଙ୍କ ଭଳି ଦେଶର ବଡ଼ ବଡ଼ ଶିଳ୍ପ ଟାଇକୁନ୍ ମଧ୍ୟ ସାମିଲ ହେବେ ଏହି ଶିଳ୍ପ ମହାକୁମ୍ଭରେ । ପ୍ରାୟ ଅଢେଇ ଲକ୍ଷ କୋଟିର ପୁଂଜି ନିବେଶ ପ୍ରସ୍ତାବ ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର ।

ମେକ୍ ଇନ୍ ଓଡ଼ିଶା କନକ୍ଳେଭ ପାଇଁ ରାଜ୍ୟ ସରକାର ବେଶ ଉତ୍ସାହିତ ଥିବାବେଳେ ବର୍ଷିଛନ୍ତି ବିରୋଧୀ । ବିଜେପି ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର କହିଛନ୍ତି, ଇଜ୍ ଅଫ୍ ଡୁଇଙ୍ଗ ବିଜିନେସରେ ଫେଲ ମାରିଛି ଓଡ଼ିଶା । ଶିଳ୍ପ ଅନୁକୂଳ ବାତାବରଣ ଯୋଗାଇଦେବାରେ ବିଫଳ ହୋଇଛନ୍ତି ସରକାର । ସେହିପରି ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି, ନିର୍ବାଚନକୁ ଦୃଷ୍ଟିରେ ରଖି  ରାଜ୍ୟ ସରକାର ଧୂଆଁବାଣ କରୁଛନ୍ତି । ଏହାର ଜବାବରେ ବିଜେଡି କହିଛି ଅଭ୍ୟାସଗତ ନିନ୍ଦୁକ ପାଲଟି ଯାଇଛନ୍ତି ବିରୋଧୀ ।

୫ ଦିନ ଧରି ଚାଲିବ ଏହି ଶିଳ୍ପ ମହାକୁମ୍ଭ  । ନିବେଶକ ସମ୍ମିଳନୀ ହେବା ସହ ଏଥିରେ ଓଡ଼ିଶାର କଳା ସଂସ୍କୃତି, ଐତିହ୍ୟ ଓ ପର୍ଯ୍ୟଟନ କ୍ଷେତ୍ରର ମଧ୍ୟ ପ୍ରଦର୍ଶନୀ କରାଯିବ । ୨୦୧୬ରେ ଆୟୋଜିତ ମେକ୍ ଇନ୍ ଇଣ୍ଡିଆ କନକ୍ଲେଭରେ ପ୍ରାୟ ୨ ଲକ୍ଷ କୋଟି ଟଙ୍କା ପୁଂଜି ନିବେଶ ପ୍ରସ୍ତାବ ଆସିଥିବା ଦାବି କରିଥିଲେ ସରକାର । ଏଥର ଏହି ପରିମାଣ ବୃଦ୍ଧି ହେବ ବୋଲି ଆଶା କରାଯାଉଛି ।