ଶିକ୍ଷକ ବଢାଇଲେ ସରକାରଙ୍କ ଟେନସନ ! ମାଟ୍ରିକ ଖାତା ମୂଲ୍ୟାୟନ ବର୍ଜନ କରିବାକୁ ନିଷ୍ପତି ନେଲା ଶିକ୍ଷକ ସଂଘ , କଣ ହେବ ୬ ଲକ୍ଷ ପରୀକ୍ଷାର୍ଥୀଙ୍କ ଭାଗ୍ୟ

39

କନକ ବ୍ୟୁରୋ : ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ମାଟ୍ରିକ୍ ପରୀକ୍ଷା ଖାତା ଦେଖା । ରାଜ୍ୟର ୬୦ଟି ମୂଲ୍ୟାୟନ କେନ୍ଦ୍ରରେ ପ୍ରାୟ ୬ ଲକ୍ଷ ପରୀକ୍ଷାର୍ଥୀଙ୍କ ଖାତା ଦେଖିବାକୁ ବ୍ୟବସ୍ଥା କରାଯାଇଛି । ତେବେ ଖାତାଦେଖାକୁ ନେଇ ଦେଖାଦେଇଛି ଅନିଶ୍ଚିତତା । ସରକାର ନିୟୋଜିତ କରିଥିବା ୧୪ ହଜାର ଶିକ୍ଷକଙ୍କ ମଧ୍ୟରୁ ୬ ହଜାର ଶିକ୍ଷକ ଧାରଣାରେ ବସିଛନ୍ତି । ଏଭଳି ସ୍ଥିତିରେ ସରକାର ଶିକ୍ଷକଙ୍କୁ ଚେତାବନୀ ଦେଇ କହିଛନ୍ତି, ଖାତା ଦେଖିବାକୁ ବିକଳ୍ପ ବ୍ୟବସ୍ଥା କରାଯିବ ।

ରାତି ପାହିଲେ ମାଟ୍ରିକ୍ ପରୀକ୍ଷା ଖାତା ଦେଖା । ଏଥର ପ୍ରାୟ ୬ ଲକ୍ଷ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଇଛନ୍ତି । ୬୦ଟି ମୂଲ୍ୟାୟନ କେନ୍ଦ୍ରରେ ୧୪ ହଜାର ୭୭୦ ଜଣ ପରୀକ୍ଷକଙ୍କୁ ନିୟୋଜିତ କରିଛନ୍ତି ସରକାର । ହେଲେ ଖାତା ଦେଖାକୁ ନେଇ ଦେଖାଦେଇଛି ଅନିଶ୍ଚିତତା । ମାଟ୍ରିକ୍ ଖାତା ମୂଲ୍ୟାୟନ ବର୍ଜନ କରିବାକୁ ନିଷ୍ପତି ନେଇଛି ଶିକ୍ଷକ ସଂଘ । ଦାବି ପୂରଣ ପାଇଁ ରାଜ୍ୟର ୫୭ ଟି ମୂଲ୍ୟାୟନ କେନ୍ଦ୍ର ଆଗରେ ଧାରଣାରେ ବସିଛନ୍ତି ପ୍ରାୟ ୬ହଜାର ଶିକ୍ଷକ ।

ଗୋଟିଏ ପଟେ ଦାବି ପୂରଣ ପାଇଁ ଶିକ୍ଷକଙ୍କ ଆନ୍ଦୋଳନ । ଅନ୍ୟପଟେ ଶିକ୍ଷକଙ୍କୁ ଚେତାବନୀ ଦେଇଛନ୍ତି ସରକାର । ମନ୍ତ୍ରୀ କହିଛନ୍ତି, ଖାତା ଦେଖାରେ ଶିକ୍ଷକ ସହଯୋଗ ନକଲେ ବିକଳ୍ପ ବ୍ୟବସ୍ଥା କରାଯିବ ।ସରକାର କହୁଛନ୍ତି, ମାଟ୍ରିକ୍ ଖାତା ଦେଖା ପାଇଁ ବିକଳ୍ପ ବ୍ୟବସ୍ଥା କରିବେ । ସେପଟେ ବୋର୍ଡ କର୍ତୃପକ୍ଷ କହିଛନ୍ତି, ଯେକୌଣସି ପରିସ୍ଥିତିରେ ବି ଆସନ୍ତାକାଲି ପରୀକ୍ଷା ଖାତା ଦେଖାହେବ । ଯଦି ଶିକ୍ଷକ, ଆନ୍ଦୋଳନରୁ ଓହରି ଖାତାଦେଖିବାକୁ ନଆସନ୍ତି ତେବେ ସେମାନଙ୍କ ସ୍ଥାନରେ ନୂଆ ଶିକ୍ଷକ ନିଯୁକ୍ତ ହେବେ ।
ପ୍ରଶ୍ନ ଉଠୁଛି ,
.. କଣ ହେବ ସରକାରଙ୍କ ବିକଳ୍ପ ବ୍ୟବସ୍ଥା?
.. ଯୁକ୍ତ ୩ ସରକାରୀ କଲେଜ୍ ଅଧ୍ୟାପକଙ୍କୁ ଖାତାଦେଖା ପାଇଁ କୁହାଯାଇପାରେ କି?
.. ଅନ୍ୟ ଅଧ୍ୟାପକ ମାଟ୍ରିକ ଖାତା ଦେଖିଲେ ନିର୍ଭୁଲ ମୂଲ୍ୟାୟନ ହେବ ତ?

ମାଟ୍ରିକ୍ ପରୀକ୍ଷା ହେଉଛି ପିଲାଙ୍କ କ୍ୟାରିୟରର ପ୍ରଥମ ସୋପାନ । ଆଉ ଶିକ୍ଷକଙ୍କ ଦାବି ଓ ସରକାରଙ୍କ ଜିଦ୍ ଆଗରେ ବାଜି ଲାଗିଛି ପିଲାଙ୍କ ଭବିଷ୍ୟତ ।