ଜୀବନ ବଞ୍ଚାଇଲେ ଓଡ଼ିଆ ଯବାନ ! ଉତ୍ତର ପ୍ରଦେଶରେ ସମ୍ବଲପୁର ଯବାନଙ୍କ ଜୟ ଜୟକାର

45

କନକ ବ୍ୟୁରୋ : ସାହିବାବାଦରେ ସମ୍ଭଲପୁର ଯବାନ ସାଜିଲେ ରକ୍ଷାକର୍ତା । ନବମ ଶ୍ରେଣୀ ଛାତ୍ରଙ୍କୁ ମୃତ୍ୟୁମୁଖରୁ ଉଦ୍ଧାର କଲେ ସମ୍ବଲପୁରର ସିଆଇଏସ୍ ଯବାନ ସୁଶୀଲ ଭୋଇ । ତାଙ୍କର ଏହି ଉଦ୍ୟମକୁ ଉତର ପ୍ରଦେଶରେ ଉଚ୍ଚପ୍ରଶଂସା କରାଯାଇଥିବା ବେଳେ ଆଲୋଚନାର ବିଷୟ ପାଲଟିଛି । ଜାଣିବା ଜୀବନମୃତ୍ୟୁର ଦୋଛକିରେ ଜୀବନରକ୍ଷକଙ୍କ କାମ ।

ଉତ୍ତରପ୍ରଦେଶରେ ବରୀତ୍ୱ ଦେଖାଇଲେ ଓଡ଼ିଆ ଯବାନ । ଯେତେବେଳେ ସମ୍ବଲପୁରର ସିଆଇଏସଏଫ୍ ଯବାନ ଜଣେ ଛାତ୍ରଙ୍କପାଇଁ ବନିଥିଲେ ଜୀବନରକ୍ଷକ । ଯବାନ ସୁଶୀଲ ଭୋଇଙ୍କ ସାହସିକତା ଯୋଗୁ ନିଶ୍ଚିତମୃତ୍ୟୁରୁ ଉଦ୍ଧାର ପାଇଥିଲେ ୟୁପିର ନବମ ଶ୍ରେଣୀ ଛାତ୍ର ଆଶିଷ । ଏକ ଚାରି ମହଲା କୋଠାରୁ ଖସି ପଡ଼ିଥିବା ଆଶିଷଙ୍କୁ ସେ କେବଳ ଉଦ୍ଧାର କରିଥିଲେ ତା ନୁହଁ ଛାତ୍ରଙ୍କୁ ହସ୍ପିଟାଲରେ ମଧ୍ୟ ଭର୍ତି କରିଥିଲେ ସୁଶୀଲ ।

ଉତ୍ତର ପ୍ରଦେଶର ସାହିବାବାଦ ଇନ୍ଦିରାପୂରମ ସିପ୍ରା ସନସିଟି ଆପାର୍ଟମେଂଟ୍ । ୧୪ ବର୍ଷିୟ ଆଶିଷ ନିଜ ସାଙ୍ଗମାନଙ୍କ ସହ ଛାତରେ ଖେଳୁଥିବା ସମୟରେ ହଠାତ ମାଙ୍କଡ଼ପଲ ଆକ୍ରମଣ କରନ୍ତି । ପ୍ରାଣ ବିକଳରେ ଆଶିଷ ଡେଇଁପଡ଼ନ୍ତି ତଳକୁ । ତେବେ ଆଶିଷ ଖସିପଡ଼ିଥିବା ସ୍ଥାନ କୋଠାର ସଫ୍ଟ ଏରିଆରେ ହୋଇଥିବାରୁ କେହି ଯିବାକୁ ପ୍ରସ୍ତୁତ ହୁଅନ୍ତି ନାହିଁ । କିନ୍ତୁ ସମ୍ବଲପୁରର ସିଆଇଏସଏଫ୍ ଯବାନ ସୁଶୀଲ ଭୋଇ ସାହସର ସହ ତଳକୁ ଓହ୍ଲାଇ ମୃତ୍ୟୁମୁଖରୁ ବଂଚାନ୍ତି ଆଶିଷଙ୍କୁ । ସମସ୍ତଙ୍କ ମୁହଁରେ ଏବେ ସୁଶୀଲଙ୍କ ପ୍ରଶଂସା । ସ୍ଥାନୀୟ ଗଣମାଧ୍ୟମରେ ମଧ୍ୟ ସୁଶୀଲଙ୍କ ସାହସିକତାକୁ ଉଚ୍ଚପ୍ରଶଂସା କରାଯାଇଛି ।