ଓଡ଼ିଆ ମିଡିୟମ ସ୍କୁଲରେ ପଡିଲା ତାଲା, ଇଂରାଜୀ ମିଡିୟମ ସ୍କୁଲରେ ଚାଲିଛି ପାଠପଢା ! ରାଜଧାନୀ ରାଜରାସ୍ତାରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

34

କନକ ବ୍ୟୁରୋ : ରାଜଧାନୀ ରାସ୍ତାରେ ଶିକ୍ଷକଙ୍କ ଆନ୍ଦୋଳନ, ସାରା ରାଜ୍ୟରେ ପ୍ରଭାବ । ୧୬ ତାରିଖରୁ ଭୁବନେଶ୍ୱର ଲୋୟର ପିଏମଜିରେ ଆନ୍ଦୋଳନ ଚଳାଇଥିବା ବ୍ଲକଗ୍ରାଂଟ ଶିକ୍ଷକ, ଅଧ୍ୟାପକଙ୍କ ଆନ୍ଦୋଳନ ପ୍ରଭାବରେ ସାରା ରାଜ୍ୟରେ ସ୍କୁଲଗୁଡିକରେ ପଡିଛି ତାଲା । ପୂର୍ଣ୍ଣ ଅନୁଦାନ ଦାବିରେ ସରକାରଙ୍କ ସହ ଏକପ୍ରକାର ମୁହଁମୁହିଁ ହୋଇଛି ଓଡିଶା ସ୍କୁଲ ଓ କଲେଜ ଶିକ୍ଷକ ମିଳିତ ମଂଚ । ଅହୋରାତ୍ର ଧାରଣାରେ ବସିରହିଥିଲେ ବି ସରକାରଙ୍କ ପକ୍ଷରୁ ଆଲୋଚନା ନେଇ କୌଣସି ପଦକ୍ଷେପ ନିଆଯାଇଥିବା ଅଭିଯୋଗରେ ସ୍କୁଲଗୁଡିକୁ ବନ୍ଦ ରଖିବାରୁ ଆହ୍ୱାନ ଦେଇଛି । ଯାହାର ପ୍ରଭାବ ଛାତ୍ରଛାତ୍ରୀଙ୍କ ପାଠପଢା ଉପରେ ପଡିଛି ।

ବିଭିନ୍ନ ଦାବି ନେଇ ଶିକ୍ଷକଙ୍କ ବାରମ୍ବାର ଆନ୍ଦୋଳନ ଫଳରେ ବର୍ଷରେ ଅଧିକାଂଶ ଦିନ ବନ୍ଦ ରହୁଛି ଓଡିଆ ମାଧ୍ୟମ ସ୍କୁଲ । ଯାହା ସାଧାରଣତଃ ଇଂରାଜୀ ମାଧ୍ୟମ ସ୍କୁଲଗୁଡିକରେ ଦେଖିବାକୁ ମିଳେନାହିଁ । ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ ପ୍ରିନ୍ସିପାଲଙ୍କ ସୂଚନା ଅନୁସାରେ ବର୍ଷରେ ୨୨୨ରୁ ଅଧିକ ଦିନ ଏଠାରେ ପାଠପଢା ହୁଏ । ହେଲେ ଆନ୍ଦୋଳନ କୁହନ୍ତୁ ବା ଅନ୍ୟାନ୍ୟ ସରକାରୀ କାର୍ଯ୍ୟକ୍ରମ ଶିକ୍ଷକଙ୍କୁ ନିୟୋଜିତ କରାଯାଉଥିବାରୁ ବର୍ଷର ଅଧିକାଂଶ ସମୟରେ ଓଡିଆ ମାଧ୍ୟମ ସ୍କୁଲରେ ପାଠପଢା ବ୍ୟାହାତ ହୁଏ ।

ଗୋଟିଏ ପଟେ ଶିକ୍ଷକଙ୍କ ଆନ୍ଦୋଳନ, ଆଉଗୋଟିଏ ପଟେ ସରକାରଙ୍କ ଉଦାସୀନତା । ଏହାରି ଭିତରେ ସାମ୍ନାକୁ ଯେଉଁ ଚିତ୍ର ଆସିଛି ତାହା ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ବିରାଟ ପ୍ରଶ୍ନଚିହ୍ନ ଲଗାଇଛି । ଆଗକୁ ମାଟ୍ରିକ ପରୀକ୍ଷାର୍ଥୀଙ୍କ ପ୍ରିଟେଷ୍ଟ ପରୀକ୍ଷା ଥିବାରୁ ରାଉରକେଲାର ଏକ ସ୍କୁଲରେ ପାଳିକରି ପାଠ ପଢାଉଛନ୍ତି ସ୍କୁଲର ମେଧାବୀ ଛାତ୍ରଛୀତ୍ରୀ ।