ବାପା ବିକ୍ରି କରନ୍ତି ଚାହା ! ୬ ଲକ୍ଷ ପରୀକ୍ଷାର୍ଥୀଙ୍କୁ ପଛରେ ପକାଇ ଝିଅ ପାଇଲା ବାୟୁସେନାରେ ଚାକିରି, ଉଡାଇବ ଲଢୁଆ ବିମାନ । 

50
ସେ ଜଣେ ଚା’ ବିକଳୀଙ୍କ ଝିଅ । ମାତ୍ର ଜଣେ ଚା’ ବିକାଳୀ ବାପର ଦାରିଦ୍ର୍ୟ ବାଧା ସାଜିପାରିନି ଆଞ୍ଚଲ ଅଗ୍ରଓ୍ଵାଲା(୨୪)ଙ୍କ ସ୍ୱପ୍ନର । ମଧ୍ୟପ୍ରଦେଶର ଉତ୍ତର-ପଶ୍ଚିମ ଅଞ୍ଚଳର ନିମୁଚ ଜିଲ୍ଲାର ଝିଅ ଆଞ୍ଚଲ ଇଣ୍ଡିଆନ ଏୟାରଫୋର୍ସ (ଆଇଏଏଫ୍)ର ଫ୍ଲାଇଂ ବ୍ରାଞ୍ଚରେ ମନୋନୀତ ହୋଇଛନ୍ତି । ଆଞ୍ଚଲ ପିଲାଟି ଦିନରୁ ଭାରତୀୟ ବାୟୁସେନାରେ ଯୋଗ ଦେବା ପାଇଁ ସ୍ୱପ୍ନ ଦେଖି ଆସୁଥିଲେ । ଆଞ୍ଚଲ କହିଛନ୍ତି କି ‘ମୁଁ ଯେତେବେଳେ ଦ୍ୱାଦଶ ଶ୍ରେଣୀରେ ପଢୁଥିଲି ସେତେବେଳେ ଉତ୍ତରଖଣ୍ଡରେ ବନ୍ୟା ହୋଇଥିଲା । ବନ୍ୟା ପ୍ରଭାବିତ ଲୋକଙ୍କୁ ବାୟୁସେନା ଯେଉଁ ଭଳି ଭାବେ ସାହାଯ୍ୟ କରୁଥିଲେ ତାହା ଦେଖି ମୁଁ ପ୍ରେରିତ ହୋଇଥିଲି । ସେତେବେଳେ ମୁଁ  ବାୟୁସେନାରେ ଯୋଗ ଦେବାକୁ ସ୍ୱପ୍ନ ଦେଖିବା ଆରମ୍ଭ କରିଥିଲି ।’
ପାଞ୍ଚ ଫୁଟ୍ ସାତ ଇଞ୍ଚ୍ ଉଚ୍ଚତା ବିଶିଷ୍ଟ ଆଞ୍ଚଲ ନିମୁଚଠାରେ ଥିବା ତାଙ୍କ ସ୍କୁଲ୍ ଏ ପ୍ରଡକ୍ଟ ଅଫ୍ ମେଟ୍ରୋ ଏଚ୍ ଏସ୍ ସ୍କୁଲରେ କ୍ୟାପଟେନ୍ ଥିଲେ । ସେ ତାଙ୍କ ଶ୍ରେଣୀରେ ଟପ୍ପର ବି ହଉଥିଲେ । ପରବର୍ତ୍ତୀ ମୁହୂର୍ତ୍ତରେ ସେ ଛାତ୍ର ବୃତ୍ତି ପାଇ ଉଜ୍ଜୟିନୀର ବିକ୍ରମ ୟୁନିଭରସିଟିରେ ନାମ ଲେଖିବାର ସୁଯୋଗ ପାଇଲେ । ସେଠାରେ ସେ ବାସ୍କେଟ୍ ବଲ୍ ଓ ଦୌଡ଼ ପ୍ରତିଯୋଗିତାରେ ଖୁବ୍ ଭଲ କରୁଥିଲେ । ତାଙ୍କ କହିବା କଥା ହେଲା ସେ ଦେଖିଥିବା ସ୍ପପ୍ନ ଦିନେ ନିଶ୍ଚୟ ପୂରା ହେବ ବୋଲି ତାଙ୍କର ବିଶ୍ୱାସ ଥିଲା ।
ପରେ ତାଙ୍କ ପରିବାରର ଆର୍ଥିକ ସମସ୍ୟା ହେତୁ ସେ ଚାକିରି ଖୋଜିବାରେ ଲାଗିପଡ଼ି ବିଭିନ୍ନ ପ୍ରକାର ପରୀକ୍ଷା ଦେଲେ । ସେ ପୁଲିସ୍ ସବ-ଇନସ୍ପେକ୍ଟର ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପ୍ରଶିକ୍ଷଣରେ ବି ଯୋଗ ଦେଲେ । ମାତ୍ର ସେ ଅନୁଭବ କଲେ ଯେ ପୁଲିସ୍ ପ୍ରଶିକ୍ଷଣ ସମୟର ବ୍ୟସ୍ତତା ଭିତରେ ସେ ତାଙ୍କ ସ୍ୱପ୍ନଠୁ ଦୂରେଇ ଯାଉଛନ୍ତି । ମାତ୍ର ସୌଭାଗ୍ୟକୁ ଲେବର୍ ଇନସ୍ପେକ୍ଟର ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହେଲେ । ସେଠାରେ ଟିକେ ସମୟ ପାଇବାରୁ ସେ ନିଜ ସ୍ପପ୍ନ ପୂରା କରିବା ପାଇଁ ନିଜକୁ ପ୍ରସ୍ତୁତ କରିପାରିଲେ ।
ସେ କହିଛନ୍ତି କି ବାୟୁସେନାର ପ୍ରବେଶ ପରୀକ୍ଷା ଆଦୌ ବି ସହଜ ନ ଥିଲା । ଗୋଟାଏ ବର୍ଷ ଭିତରେ ସେ ୫ ଥର ବୋର୍ଡ ସାକ୍ଷାତକାର ସାମ୍ନା କରିଛନ୍ତି । ଷଷ୍ଠ ଥରରେ ଯାଇ ତାଙ୍କୁ ସଫଳତା ମିଳିଲା । ଜୁନ୍ ୭ରେ ପରୀକ୍ଷା ଫଳାଫଳ ବାହାରିବା ପରେ ଯାଇ ଜଣା ପଡ଼ିଲା ଯେ ଦେଶରେ ଥିବା ମାତ୍ର ୨୨ ଟି ସିଟରୁ ଗୋଟାଏ ସେ ହାତେଇ ପାରିଛନ୍ତି । ୨୨ଜଣଙ୍କ ମଧ୍ୟରୁ ୫ ଜଣ ଝିଅ ଅଛନ୍ତି । ସମୁଦାୟ ୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।