ଯୁଦ୍ଧ ବିଭୀଷିକାର କରୁଣ ଚେହେରା : ସାରା ବିଶ୍ୱକୁ ସ୍ତବ୍ଧ କରିଛି ୫ବର୍ଷୀୟ ଓମରାନ ଦାକନିଶର ଫଟୋ

58

ଯୁଦ୍ଧ ବିଭୀଷିକାର କରୁଣ ଚେହେରା । ସାରା ବିଶ୍ୱକୁ ସ୍ତବ୍ଧ କରିଛି ଉତର ସିରିୟା ଆଲେପୋର ଜଣେ ୫ବର୍ଷୀୟ ଶିଶୁର ଫଟୋ । ଏହି ବାଳକର ଫଟୋଟି ଯୁଦ୍ଧର ଭୟାବହତା ବଖାଣୁଛି । ଗୁରୁତର ଆହତ ୫ବର୍ଷୀୟ ଓମରାନ ଦାକନିଶ ଚିକିତ୍ସା ଅପେକ୍ଷାରେ ଆମ୍ବୁଲାନ୍ସରେ ବସିଥିବା ଫଟୋ ଓ ଭିଡିଓ ଏବେ ଭାଇରାଲ ହୋଇଛି । ରକ୍ତ ଜୁଡୁବୁଡୁ ଶରୀର ସାରା ଧୁଳି ଓ ବାରୁଦର ଦାଗ । ମୁହଁ, ଗୋଡ ଓ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ । ଯେଉଁ ନିଷ୍ପାପ ଶିଶୁ ଖେଳି ବୁଲି ସମୟ କାଟିଥାନ୍ତା, ତାକୁ ଯୁଦ୍ଧର ଭୟାବହତାର ସମ୍ମୁଖୀନ ହେବାକୁ ପଡିଛି । ସେ ନିଜେ ବି ବୁଝିପାରୁନି କାହିଁକି ତାର ଏ ଅବସ୍ଥା । କି ଭୁଲ କରିଛି ସେ? ଅବୁଝା ମନରେ ଭୀଷଣ ଯନ୍ତ୍ରଣାକୁ ସହି ଚାଲିଛି ଶିଶୁଟି । ତାକୁ ଏପରି ଧକା ଲାଗିଛି ଯେ ତା ଆଖିରୁ ଲୁହ ବାହାରୁନି। ପାଖରେ କେହି ଆତ୍ମୀୟ ସ୍ୱଜନ ନାହାନ୍ତି, କଷ୍ଟ ଲାଗୁଥିବା ଯୋଗୁଁ ବାରମ୍ବାର ନିଜ ମୁହଁକୁ ନିଜେ ଆଉଁଷି ଦେଉଛି ।