ଅନ୍ତର୍ଜାତୀୟ ଫୋରମରେ ପାକିସ୍ତାନର ଲୁଚକାଳି ଖେଳ ! ଓଆଇସି ସମ୍ମିଳନୀରେ ଯୋଗଦେଲା ଭାରତ, ଦୂରେଇ ରହିଲା ପାକ୍ ।

133

କନକ ବ୍ୟୁରୋ : ପଦାରେ ପଡିଲା ପାକିସ୍ତାନର ଦୋମୁହାଁ ନୀତି । ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା କମ୍ କରିବାକୁ ବାରମ୍ବାର ଶାନ୍ତି କଥାବାର୍ତା ପାଇଁ ଇମ୍ରାନ ଖାନ୍ ସରକାର ପ୍ରସ୍ତାବ ଦେଉଛନ୍ତି । ହେଲେ ଅପରପକ୍ଷରେ ଭାରତର ଉପସ୍ଥିତି ଯୋଗୁଁ ଓଆଇସି ସମ୍ମିଳନୀରୁ ବିରତ ରହିଛି ପାକିସ୍ତାନ । ସେପଟେ ଆବୁଧାବୀରୁ ଆତଙ୍କବାଦ ବିରୋଧରେ କଡା ସନ୍ଦେଶ ଦେଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ।

ଭାରତ-ପାକିସ୍ତାନ ଉତ୍ତେଜନା ଭିତରେ ଆବୁଧାବୀରୁ ଆତଙ୍କବାଦ ବିରୋଧରେ କଡା ସନ୍ଦେଶ ଦେଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ । ପାକିସ୍ତାନର ନାଁ ନନେଇ ସୁଷମା କହିଛନ୍ତି ଯେ, ମାନବ ଜାତିର ସୁରକ୍ଷା ପାଇଁ ଆତଙ୍କୀଙ୍କୁ ସାହାଯ୍ୟ ଓ ପ୍ରଶ୍ରୟ ବନ୍ଦ କରିବାକୁ ପଡିବ । ଏଥିସହ ଆତଙ୍କୀ କ୍ୟାମ୍ପ ଧ୍ୱଂସ କରିବାକୁ ପଡିବ ବୋଲି ସେ ଆହ୍ୱାନ ଦେଇଛନ୍ତି । ଆତଙ୍କବାଦକୁ ସଂରକ୍ଷଣ ଓ ଶରଣ ଦେବାରେ ରୋକ୍ ଲଗାଇବାର ଆବଶ୍ୟକତା ରହିଛି । ୫୭ଟି ମୁସଲମାନ ରାଷ୍ଟ୍ରର ପ୍ରତିନିଧିଙ୍କୁ ସମ୍ବୋଧନ କରି ଆତଙ୍କବାଦ ବିରୋଧରେ ଏକାଠି ଲଢିବା ପାଇଁ ଆହ୍ୱାନ ଦେଇଛନ୍ତି ସୁଷମା ସ୍ୱରାଜ ।

ଆତଙ୍କବାଦ ବିରୋଧରେ ଲଢେଇ କୌଣସି ଧର୍ମ ବିରୋଧରେ ଯୁଦ୍ଧ ନୁହଁ । ଯେପରି ଇସଲାମର ଅର୍ଥ ଶାନ୍ତି, ଠିକ୍ ସେହିପରି ଆଲ୍ଲାଙ୍କ ୯୯ଟି ନାମରୁ କେଉଁ ଗୋଟିଏ ନାଁର ବି ଅର୍ଥ ହିଂସା ନୁହେଁ ବୋଲି କହିଛନ୍ତି ସୁଷମା ସ୍ୱରାଜ । ଭାରତୀୟ ସଂସ୍କୃତ ପରମ୍ପରାକୁ ମନେପକାଇ ସେ ଋଗ ବେଦର ଉଦାହରଣ ମଧ୍ୟ ଦେଇଛନ୍ତି । ବିଭିନ୍ନ ଧର୍ମୀୟ ଭାବନାକୁ ଆପଣେଇବା ଭାରତ ପାଇଁ ସବୁ ବେଳେ ସହଜ କାରଣ ଋଗ ବେଦରେ ଉଲ୍ଲେଖ ରହିଛି ଯେ, ଇଶ୍ୱର ଏକ କିନ୍ତୁ ବିଦ୍ୱାନ ମାନେ ତାଙ୍କୁ ଭିନ୍ନ ଭିନ୍ନ ଭାବେ ବର୍ଣ୍ଣନା କରନ୍ତି ।

ଓଆଇସିରେ ଭାରତ । ଦୂରେଇ ରହିଲା ପାକିସ୍ତାନ । ଅର୍ଗାନାଇଜେସନ ଅଫ ଇସଲାମିକ କୋଅପରେସନ୍ ସମ୍ମିଳନୀରୁ ଦୂରେଇ ରହିଛି ପାକିସ୍ତାନ । ଭାରତର ବିଦେଶ ମନ୍ତ୍ରୀଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିବାରୁ ଏହି ବୈଠକକୁ ବହିଷ୍କାର କରିଥିବା କହିଛନ୍ତି ପାକିସ୍ତାନ ବିଦେଶ ମନ୍ତ୍ରୀ ଶାହ ମେହମୁଦ କୁରେସି । ଆତଙ୍କବାଦ ବିରୋଧରେ ଲଢେଇ ପାଇଁ ବିଦେଶ ମନ୍ତ୍ରୀ ଆବୁଧାବିରୁ ଆହ୍ୱାନ ଦେଇଥିବା ବେଳେ ଭାରତୀୟ ପ୍ରତିନିଧିଙ୍କ ଉପସ୍ଥିତି ଯୋଗୁଁ ଏହାକୁ ବୟକଟ କରିଛନ୍ତି ପାକିସ୍ତାନ ସରକାର । ଦୁଇ ଦେଶ ମଧ୍ୟରେ ଉତ୍ତେଜନା କମ୍ କରିବାକୁ ବାରମ୍ବାର ଶାନ୍ତି କଥାବାର୍ତା ପ୍ରସ୍ତାବ ଦେଉଛନ୍ତି ଇମ୍ରାନ ଖାନ ସରକାର । ହେଲେ ଭାରତର ଉପସ୍ଥିତି ଯୋଗୁଁ ଓଆଇସି ସମ୍ମିଳନୀକୁ ବୟକଟ୍ କରି ପାକିସ୍ତାନ ତାର ଦୋମୁହାଁ ନୀତି ଦେଖାଇଥିବା କୁହାଯାଉଛି ।