ଅଯୋଧ୍ୟା ବିବାଦୀୟ ଜମି ମାମଲାରେ ଆସିବ ‘ସୁପ୍ରିମ’ ଫୈସଲା! ମନ୍ଦିର ନା ମସଜିଦ, କାଉଣ୍ଟଡାଉନ ଆରମ୍ଭ ?

42

କନକ ବ୍ୟୁରୋ : ଅଯୋଧ୍ୟା ମାମଲାର ଶୁଣାଣି ଅକ୍ଟୋବର ୨୯ରୁ କରିବାକୁ ସୁପ୍ରିମକୋର୍ଟ ନିଷ୍ପତି ନେଇଛନ୍ତି । ଆଜି ଇସମାଇଲ ଫାରୁକି ମାମଲାର ନିଷ୍ପତିର ପୁର୍ନବିଚାର କିମ୍ବା ସାମ୍ବିଧାନିକ ଖଣ୍ଡପୀଠକୁ ପଠାଇବାର ଆବଶ୍ୟକ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ । କୋର୍ଟଙ୍କ ଏହି ନିଷ୍ପତି ଅଯୋଧ୍ୟା ବିବାଦ ମୁଖ୍ୟ ମାମଲାର ତ୍ୱରିତ୍ ଶୁଣାଣି ପାଇଁ ବାଟ ଖୋଲିଦେଇଛି ।

ଅଯୋଧ୍ୟାରେ ବିବାଦୀୟ ଜମି କାହାର? ଏ ସଂପର୍କିତ ମାମଲାର ଶୁଣାଣି ପାଇଁ ଆଜି ସୁପ୍ରିମକୋର୍ଟଙ୍କ ରାୟ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । କାରଣ ୧୯୯୪ରେ କୋର୍ଟଙ୍କ ଏକ ମନ୍ତବ୍ୟକୁ ବିରୋଧ କରି ହୋଇଥିବା ଏକାଧିକ ପିଟିସନର ଶୁଣାଣି କରିଛନ୍ତି ତିନି ଜଣିଆ ଖଣ୍ଡପୀଠ । ୧୯୯୪ରେ ଇସମାଇଲ ଫାରୁକି ମାମଲାରେ କୋର୍ଟ କହିଥିଲେ ଯେ, ଇସଲାମରେ ନମାଜ ପାଠ ପାଇଁ ମସଜିଦର ଆବଶ୍ୟକ ନାହିଁ ।

କୋର୍ଟଙ୍କ ଏହି ମନ୍ତବ୍ୟକୁ ବିରୋଧ କରିବା ସହ ଏକ ଉଚ୍ଚ ବେଂଚରେ ଶୁଣାଣି କରିବାକୁ ମୁସଲମାନ ସଂଗଠନଗୁଡିକ ପକ୍ଷରୁ ଆବେଦନ କରାଯାଇଥିଲା । ସେମାନଙ୍କର ଯୁକ୍ତି ଥିଲା ଯେ, ୧୯୯୪ରେ ସୁପ୍ରିମକୋର୍ଟଙ୍କ ଏଭଳି ଆଭିମୁଖ୍ୟ ଯୋଗୁଁ ୨୦୧୦ରେ ଆହ୍ଲାବାଦ ହାଇକୋର୍ଟ ବିବାଦୀୟ ୨.୭୭ ଏକର ଜମିକୁ ତିନିଭାଗ କରିବା ପାଇଁ ନିର୍ଦ୍ଦେଶ ଦେଲେ । ଏନେଇ ଶୁଣାଣି କରିଛନ୍ତି ସୁପ୍ରିମରକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର, ବିଚାରପତି ଜଷ୍ଟିସ ଅଶୋକ ଭୂଷଣ ଓ ଜଷ୍ଟିସ ଅବଦୁଲ ନାଜିର । ଜଷ୍ଟିସ ମିଶ୍ର ଓ ଜଷ୍ଟିସ ଭୂଷଣ କହିଥିଲେ ଯେ,
– ନମାଜ ସଂପର୍କରେ କୋର୍ଟଙ୍କ ମନ୍ତବ୍ୟ ଧର୍ମୀୟ ପ୍ରସଙ୍ଗରେ ନଥିଲେ
– ଏଭଳି ମନ୍ତବ୍ୟ କେବଳ ଜମି ଅଧିଗ୍ରହଣ ପ୍ରସଙ୍ଗରେ ଦିଆଯାଇଥିଲା
– ସବୁ ଧର୍ମ ଓ ଉପସନା ସ୍ଥଳୀ ଯେମିତିକି ମନ୍ଦିର ଓ ମସଜିଦ୍ ସମାନ
– ତେଣୁ ମୂଳ ଜମି ବିବାଦର ଶୁଣାଣିକୁ ଆଉ ବିଳମ୍ବ କରାନଯାଉ
– ଅକ୍ଟୋବର ୨୯ରୁ ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି ହେବ
– ଏହାକୁ ଆଉ ବୃହତ ବେଂଚରେ ଶୁଣାଣି କରିବା ଆବଶ୍ୟକତା ନାହିଁ

ହେଲେ ଜଷ୍ଟିସ ଅବଦୁଲ ନଜିର ଏଥିରେ ଏକମତ ହୋଇନଥିଲେ । ସେ କହିଥିଲେ ଯେ
– ଧର୍ମୀୟ ଭାବନା ଆଧାରରେ ଇସଲାମରେ ମସଜିଦର ଆବଶ୍ୟକତା ଅଛି କି ନାହିଁ ତାର ବିଚାର କରାଯାଉ
– ଏଥିପାଇଁ ଏକ ବୃହତ୍ ବେଂଚ ଦ୍ୱାରା ଧର୍ମୀୟ ନୀତି ନିୟମ କଣ ରହିଛି ତାର ବିସ୍ତୃତ ଭାବେ ତର୍ଜମା ହେଉ

ଜଷ୍ଟିସ ନାଜିରଙ୍କ ଭିନ୍ନମତ ସତ୍ୱେ ୨/୧ରେ ନମାଜ ମାମଲାକୁ ଖାରଜ କରାଯିବା ସହ ବୃହତ ବେଂଚକୁ ସ୍ଥାନାନ୍ତର ପରିବର୍ତେ ତିନି ଜଣିଆ ବେଂଚରେ ରାମ ଜନ୍ମଭୂମି-ବାବ୍ରି ମସଜିଦ ଜମି ବିବାଦ ମାମଲାର ଶୁଣାଣି ଆଗାମୀ ଅକ୍ଟୋବର ୨୯ ତାରିଖରୁ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ଦୀର୍ଘ ଦଶନ୍ଧି ଧରି ଚାଲିଆସିଥିବା ଏହି ନ୍ୟାୟିକ ଲଢେଇ ନିର୍ଣ୍ଣାୟକ ସ୍ଥିତିରେ ପହଂଚିବା ଅନୁମାନ କରାଯାଉଛି । ଅଯୋଧ୍ୟାରେ ରାମ ଜନ୍ମଭୂମି ନିର୍ମାଣ କରିବା ଲାଗି ସମର୍ଥକ ମାନଙ୍କୁ ବାରମ୍ବାର କହିଆସୁଥିବା ବିଜେପି ସରକାରଙ୍କ ପାଇଁ ୨୦୧୯ ପୂର୍ବରୁ ସୁପ୍ରିମକୋର୍ଟଙ୍କ ରାୟ ଆସିବା ବିଶେଷ ଗୁରୁତ୍ୱ ରଖୁଛି ।