ଗୁରୁତ୍ୱପୂର୍ଣ୍ଣ ଅଦାଲତ କାର୍ଯ୍ୟର ହେବ ସିଧାପ୍ରସାରଣ : ଅନୁମତି ଦେଲେ ସୁପ୍ରିମକୋର୍ଟ

25

କନକ ବ୍ୟୁରୋ : ଗୁରୁତ୍ୱପୂର୍ଣ୍ଣ ଅଦାଲତ କାର୍ଯ୍ୟର ହେବ ସିଧାପ୍ରସାରଣ । ଆଜି ସୁପ୍ରିମିକୋର୍ଟ ଏଥିପାଇଁ ଅନୁମତି ଦେଇଛନ୍ତି । ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ଆଦେଶ ଦେଇ କହିଛନ୍ତି, ଏହି ପ୍ରକ୍ରିୟା ସୁପ୍ରିମକୋର୍ଟରୁ ଆରମ୍ଭ ହେବ । ଏହି ଲାଇଭ ଷ୍ଟ୍ରିମିଙ୍ଗ ଦ୍ୱାରା କୋର୍ଟ କାମରେ ପାରଦର୍ଶିତା ଆସିବା ସହ ଜନକଲ୍ୟାଣ ହୋଇପାରିବ । ସର୍ବୋଚ୍ଚ କୋର୍ଟ ଆହୁରି କହିଛନ୍ତି ଯେ, ଏଥିପାଇଁ କିଛି ନିୟମ ପାଳନ କରିବାକୁ ହେବ । ଲାଇଭ ଷ୍ଟ୍ରିମିଙ୍ଗରେ ନ୍ୟାୟପାଳିକାରେ ଉତରଦାୟିତ୍ୱ ବଢିବ ।

ଏହି ମାମଲାରେ ପୂର୍ବରୁ ସୁପ୍ରିମକୋର୍ଟ କେନ୍ଦ୍ରଠାରୁ ଜବାବ ତଲବ କରିଥିଲେ । କେନ୍ଦ୍ର ସରକାର ଜବାବ ଦେଇଥିଲେ, ଟ୍ରାଏଲ ବେସିସରେ ଏହାକୁ କରାଯାଇପାରେ । ୩ ମାସିଆ ଭିତିରେ ଏହାକୁ ପ୍ରାଇଲଟ ପ୍ରୋଜେକ୍ଟ ବେସିସରେ କରାଯାଇପାରେ । ଆଉ ଏହାକୁ ବିଶ୍ଳେଷଣ କରାଯାଇ ଆଗକୁ ପଦକ୍ଷେପ ନିଆଯିବ । ଗୁରୁତ୍ୱପୂର୍ଣ୍ଣ ଅଦାଲତ କାର୍ଯ୍ୟର ଲାଇଭ ଷ୍ଟ୍ରିମିଙ୍ଗ ପାଇଁ ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ଇନ୍ଦିରା ଜୟସିଂହ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ । ଏଥିରେ ସେ ଅନୁରୋଧ କରିଥିଲେ ଯେ, ରାଷ୍ଟ୍ରୀୟ ଓ ସାମ୍ବିଧାନିକ ଦୃଷ୍ଟିରୁ ଗୁରୁତ୍ୱ ରଖୁଥିବା ମାମଲାର ଭିଡିଓ ରେକର୍ଡିଂ କରାଯିବା ସହିତ ସିଧାପ୍ରସାରଣ ହେବ ଦରକାର ।

ଅନ୍ୟପଟେ ଆଜି ଆଧାର କାର୍ଡର ସାମ୍ବିଧାନିକ ବୈଧତା ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଏହାବ୍ୟତୀତ ସରକାରୀ ଚାକିରିରେ ସଂରକ୍ଷଣ ଭିତ୍ତିରେ ପଦୋନ୍ନତି ଉପରେ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ସର୍ବୋଚ୍ଚ ଅଦାଲତ କହିଛନ୍ତି ପଦୋନ୍ନତି ଉପରେ ସଂରକ୍ଷଣ ଜରୁରୀ ନୁହେଁ । ସୁପ୍ରିମକୋର୍ଟଙ୍କ ୫ଜଣିଆ ଖଣ୍ଡପୀଠ ଏହା ଉପରେ ରାୟ ଶୁଣାଇଛନ୍ତି ।