କଳାହାଣ୍ଡି ଜୟପାଟଣାରେ ଅଭାବନୀୟ କାଣ୍ଡ : ଦିନରେ ବିଜ୍ଞାନ,ରାତିରେ ଅନ୍ଧବିଶ୍ୱାସର ପାଠ

75

କଳାହାଣ୍ଡି : ଏକବିଂଶ ଶତାବ୍ଦୀରେ ଅନ୍ଧବିଶ୍ୱାସର ଏଭଳି ରୂପ ଦେଖିଲେ  ବିସ୍ମିତ ଲାଗିବ । ହେଲେ ଏସବୁ ଖଟୁଛି ଆମ ଚାରିପାଖରେ । ଏହି ଦୃଶ୍ୟ ହେଉଛି କଳାହାଣ୍ଡି ଜୟପାଟଣା ବ୍ଲକ ଅଂଚଳରେ ଚାଲିଥିବା ମନ୍ତ୍ରତନ୍ତ୍ର ଦୃଶ୍ୟ । ରୋଗରୁ ମୁକ୍ତି ପାଇବା ପାଇଁ ଚାଲିଛି କାଳିସୀ ପୂଜା । ସବୁଠୁ ବିଡମ୍ବନାର କଥା ହେଉଛି, ଏହା କୌଣସୀ ତାନ୍ତ୍ରିକ ପୀଠ ନୁହେଁ, ଏହା ଚାଲିଛି ଏକ ସ୍କୁଲ ଘରେ । ଜୟପାଟଣା ବ୍ଲକ ଅନ୍ତର୍ଗତ ବଡକର୍ଲାକୋଟ ପଂଚାୟତର ସରକାରୀ ହାଇସ୍କୁଲରେ ଚାଲିଛି ଏହି କାଣ୍ଡ କାରଖାନା । ଯେଉଠି ବିଜ୍ଞାନ ପଢାଯିବା କଥା, ସେହି ପଢାଯାଉଛି ଅନ୍ଧବିଶ୍ୱାସର ପାଠ । ୬-୭ ଜଣ ଝିଅଙ୍କୁ ଆଗରେ ରଖି ତନ୍ତ୍ର ପୂଜା ଚାଲିଛି । ଏହି ପୂଜାରେ ଦିଆଯାଇଛି ପାରା ବଳି । ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଏ ସବୁ ଚାଲିଛି ସ୍କୁଲର ପ୍ରଧାନ ଶିକ୍ଷକଙ୍କ ଅନୁମତିରେ ।

ବିଜ୍ଞାନର ଏତେ ଅଗ୍ରଗତି ପରେ, ସ୍ୱାସ୍ଥ୍ୟ ସେବାର ଅତ୍ୟାଧୁନିକ ବ୍ୟବସ୍ଥା ପରେ ବି ସମାଜରୁ ଦୂର ହୋଇପାରୁନି ଅନ୍ଧବିଶ୍ୱାସ । ଯାହାର ପରିଣତି ହେଉଛି ଏହି ତନ୍ତ୍ରପୂଜା । ସ୍କୁଲରେ ଭୂତ ଥିବା ନେଇ ପ୍ରଚାର ଓ କିଛି ଛାତ୍ରୀ ଅସୁସ୍ଥ ହେବା ପରେ ଚାଲିଛି ଏଭଳି ଝଡାଫୁଙ୍କା । ଖୋଦ ପ୍ରଧାନ ଶିକ୍ଷକ ଓ ଖେଳ ଶିକ୍ଷକ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିବା ଅଭିଯୋଗ ହେଉଛି । ୬ ଦିନ ଧରି ରାତି ଅଧରେ ଏଠି ତାନ୍ତ୍ରୀକ ପୂଜା ପାଠ କରାଯାଉଛି । ସ୍କୁଲ ହଷ୍ଟେଲରେ ରହୁଛନ୍ତି ୧୧୦ ଛାତ୍ରୀ । ଏଭଳି ଏକ ଅଭାବନୀୟ ଘଟଣାକୁ ନେଇ ଆମେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଜଣାଇବା ପରେ ଜୟପାଟଣା ବ୍ଲକ ଶିକ୍ଷା ଅଧିକାରୀ, ସିଆରସି ଓ ଡବ୍ଲୁଇଓ ଯାଇ ଘଟଣାର ତଦନ୍ତ କରିଛନ୍ତି ।