ବିକାଶ ଠାରୁ ବହୁ ଦୂରରେ ସୁନ୍ଦରଗଡ ଜିଲ୍ଲାର ବ୍ରହ୍ମଣୀବାହାଲ ଗାଁ ! ଯାତାୟତ ପାଇଁ ଏକମାତ୍ର ଭରସା ପାଲଟିିଛି ବିଦ୍ୟୁତ୍ ଖୁଣ୍ଟ

71

କନକ ବ୍ୟୁରୋ : ଲୋକଙ୍କ ସୁବିଧା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ସରକାର ଯୋଗାଉଥିବା ସୁଖ ସୁବିଧା ତଥା ଅନେକ ଯୋଜନା ଗୁଡ଼ିକ ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ପାରୁନି । ଯୋଜନା କଥା ଦୂରରେ ଥାଉ ଏବେ ବି ରାଜ୍ୟରେ ଏପରି ଗାଁ ଅଛି ଯେଉଁଠି ଲୋକେ ମୌଳିକ ସୁବିଧାରୁ ବଂଚିତ ହେଉଛନ୍ତି । ଏପରି ଏକ ଗାଁ ହେଲା ସୁନ୍ଦରଗଡ଼ର ବ୍ରହ୍ମଣୀବାହାଲ ଗାଁ ।

ବିକାଶ ଠାରୁ ବହୁ ଦୂରରେ ବ୍ରାହ୍ମଣୀବାହାଲ ଗାଁ । ଗାଁକୁ ଯିବାପାଇଁ ରାସ୍ତା ଖଣ୍ଡିଏ ମଧ୍ୟ ନାହିଁ । ସୁନ୍ଦରଗଡ ଜିଲ୍ଲା ଛତିଶଗଡ ସୀମାନ୍ତ ଲୁଲୁକିଡିହି ପଚାଂୟତର ବ୍ରାହ୍ମଣୀବାହାଲ ଗାଁ । ଏହି ଗାଁରେ ଜନ୍ମ ଦେଇଛି ଅନେକ କ୍ରୀଡା ପ୍ରତିଭାଙ୍କୁ । ଜାତୀୟ ଆଉ ଆର୍ନ୍ତଜାତୀୟ ସ୍ତରରେ ହକି ଖେଳାଳୀ ମାନଙ୍କ ଗାଁ ବ୍ରାହ୍ମଣୀବାହାଲ । ହେଲେ ପୋଲ ଖଣ୍ଡିଏ ନଥିବାରୁ ବାହ୍ୟ ଜଗତରୁ ପୁରା ଗାଁ ବିଚ୍ଛିନ୍ନ ହେବାକୁ ବସିଛି । ଲୋକମାନେ କେନାଲ ପାରିହେବା ପାଇଁ ଏକ ବିଦ୍ୟୁତ ଖୁଣ୍ଟ ଉପରେ ଭରସା କରିଛନ୍ତି । ସବୁଠାରୁ ବଡ଼ କଥା ହେଲା ଛୋଟ ଛୋଟ ପିଲାମାନେ ଏହି ବିଦ୍ୟୁତ ଖୁଂଟ ଦେଇ ସ୍କୁଲ ଯିବାଆସିବା କରନ୍ତି ।

ଅନେକ ସମୟରେ ପିଲାମାନେ କେନାଲରେ ପଡ଼ି ବ୍ୟାଗ୍ ଭିଜିଯିବା ସହ ଗୋଡ଼ହାତ ଭାଙ୍ଗିଯିବାର ମଧ୍ୟ ନଜିର ରହିଛି । କେହି ରୋଗରେ ପଡ଼ିଲେ ଅସୁବିଧା ଆହୁରି ବଳିଯାଏ । ରୋଗୀକୁ ବାଇକରେ ବସାଇ ବିଦ୍ୟୁତ ଖୁଂଟକୁ ପାରି କରିବା ପରେ ହିଁ ମେଡିକାଲକୁ ପହଚିଂଥାନ୍ତି ରୋଗୀ । ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଲୁଲୁକିଡିହିରୁ ମାତ୍ର ୨ କିଲୋମିଟର ବ୍ରାହ୍ମଣୀବାହାଲ ଗାଁ । ହେଲେ ପୋଲ ନଥିବାରୁ ପାଖାପାଖି ୮ କିଲୋମିଟର ପାହାଡିଆ ରାସ୍ତା ଦେଇ ଯିବା ଆସିବା କରନ୍ତି ଲୋକେ ।

ଅନେକ ଥର ଗ୍ରାମବାସୀ ମିଶି ପ୍ରଶାସନକୁ ଅସୁବିଧା ନେଇ ଗୁହାରୀ ଶୁଣାଇଛନ୍ତି । ହେଲେ ସେମାନଙ୍କ ଅସୁବିଧାକୁ କେହି ଶୁଣିନାହାନ୍ତି । ଅନ୍ୟପଟେ ଗ୍ରାମବାସୀଙ୍କ ଅସୁବିଧା ନେଇ ପ୍ରଶାସନିକ ଅଧିକାରୀଙ୍କ ମତାମତ ନେବାକୁ ଚେଷ୍ଟା କଲେ ସେମାନେ କ୍ୟାମେରା ସମ୍ମୁଖକୁ ଆସିବା ପାଇଁ ମନାକରିଦେଉଛନ୍ତି ।